ହାମିଲଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବୁଧବାର ହାମିଲଟନର ସେଡନ୍ ପାର୍କରେ ଖେଳାଯିବ। ଟି-୨୦ ସିରିଜକୁ ୫-୦ରେ କ୍ଲିନସୁଇପ୍ କରିବା ପରେ ଭାରତୀୟ ଟିମ୍ ଏବେ ଦିନିକିଆ ସିରିଜରେ ମଧ୍ୟ କିୱି ଟିମ୍ ଉପରେ ଏହି ଦବଦବା ବଜାୟ ରଖିବାକୁ ପ୍ରୟାସ କରିବ। ରୋହିତ୍ ଶର୍ମା ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ପୃଥ୍ୱୀ ଶ'ଙ୍କ ଭଳି ଯୁବ ଖେଳାଳିଙ୍କ ପାଇଁ ବାଟ ଖୋଲିଛି, ଯିଏ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆ ଖେଳିବାକୁ ପ୍ରସ୍ତୁତ।
କ୍ୟାପଟେନ୍ ବିରାଟ୍ କୋହଲି ମ୍ୟାଚ୍ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ପୃଥ୍ୱୀ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆରେ ଓପନ୍ କରିବେ। କୋହଲି ଆହୁରି ମଧ୍ୟ କହିଛନ୍ତି, ଜବରଦସ୍ତ ଫର୍ମରେ ଥିବା ଲୋକେଶ ରାହୁଲ୍ ମିଡିଲ୍ ଅର୍ଡରରେ ବ୍ୟାଟିଂ କରିବେ। ଗତବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ ପରେ ଭାରତୀୟ ଟିମ୍ ପାଇଁ ଏହା ତୃତୀୟ ଦିନିକିଆ ସିରିଜ୍। ଟିମ୍ ଇଣ୍ଡିଆ ଏହା ପୂର୍ବରୁ ବିଦେଶ ମାଟିରେ ୱେଷ୍ଟଇଣ୍ଡିଜ୍ ଏବଂ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ହରାଇଥିଲା। ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡଠାରୁ ହାରିବା ପରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ପ୍ରଥମଥର ଦିନିକିଆ ମୁକାବିଲା ଖେଳିବାକୁ ଓହ୍ଲାଇବ। ଶେଷଥର ପାଇଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ବିଶ୍ୱକପରେ ପରସ୍ପରକୁ ଭେଟିଥିଲେ, ଯେଉଁଥିରେ ବିରାଟ୍ କୋହଲିଙ୍କ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।
ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଆହତକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଏଭଳି ସ୍ଥିତିରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିପାରେ। ରୋହିତଙ୍କ ଆହତ ଭାରତକୁ ବଡ଼ ଝଟକା ଦେଇଛି। ଶିଖର ଧୱନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଦୀପକ ଚହରଙ୍କ ଭଳି ପ୍ରମୁଖ ଖେଳାଳି ପୂର୍ବରୁ ହିଁ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ମୟଙ୍କ ଅଗ୍ରୱାଲଙ୍କୁ ଦିନିକିଆ ସିରିଜ୍ ପାଇଁ ରୋହିତଙ୍କ ସ୍ଥାନରେ ସାମିଲ୍ କରାଯାଇଛି। ମୟଙ୍କ ହୁଏତ ପୃଥ୍ୱୀଙ୍କ ସହ ଇନିଂସ୍ ଓପନ୍ କରିପାରନ୍ତି। ଯଦି ଏହା ହୁଏ, ତାହେଲେ ଉଭୟ ପୃଥ୍ୱୀ ଓ ମୟଙ୍କ ଦିନିକିଆରେ ଡେବ୍ୟୁ କରିବେ।
ଏହା ପୂର୍ବରୁ ୨୦୧୬ରେ ଠିକ୍ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ଜିମ୍ବାୱେ ଗସ୍ତରେ ରାହୁଲ୍ ଓ କରୁନ୍ ନାୟର୍ ଜିମ୍ବାୱେରେ ନିଜର ପଦାର୍ପଣ ମ୍ୟାଚରେ ଭାରତ ପକ୍ଷରୁ ଇନିଂସ୍ ଓପନ୍ କରିଥିଲେ। ଏହା ପୂର୍ବରୁ ସୁନୀଲ୍ ଗାଭାସ୍କରୀ ଓ ସୁଧୀର ନାଏକ (୧୯୭୪) ଇଂଲଣ୍ଡ ବିପକ୍ଷରେ ଏବଂ ପାର୍ଥସାରଥୀ ଶର୍ମା ଓ ଦିଲୀପ ଭେଙ୍ଗସରକାର (୧୯୭୬) ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଏଭଳି କରିସାରିଛନ୍ତି। କ୍ୟାପଟେନ୍ କୋହଲି କହିଛନ୍ତି, ରାହୁଲ୍ ୱିକେଟକିପର ଭୂମିକା ତୁଲାଇବା ସହ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବେ।
ଖୋଦ୍ କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ ଏବଂ ତାଙ୍କ ପରେ ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟର୍ ଆସିବେ। ନେଟ୍ସରେ ଶିବମ୍ ଦୁବେ, ଋଷଭ ପନ୍ତ ଓ କେଦାର ଯାଦବ ଅଭ୍ୟାସ କରିଥିଲେ। ଏହା ପୂର୍ବରୁ ମନିଷ ପାଣ୍ଡେ କ୍ୟାପଟେନ୍ କୋହଲି ଓ ଆୟରଙ୍କ ସହ ପ୍ରାକ୍ଟିସ୍ କରିଥିଲେ। ଯଦି ପାଣ୍ଡେ ଖେଳନ୍ତି, ତାହେଲେ ରବୀନ୍ଦ୍ର ଜାଡେଜା, ଦୁବେ ଓ ଯାଦବଙ୍କ ମଧ୍ୟରୁ କୌଣସି ଜଣେ ଅଲରାଉଣ୍ଡରଙ୍କୁ ସୁଯୋଗ ମିଳିବ। ଟିମ୍ ଇଣ୍ଡିଆ ତିନି ପେସ୍ ବୋଲରଙ୍କ ସହ ଓହ୍ଲାଇବ। ଟି-୨୦ ସିରିଜରେ ଡ୍ରେସିଂ ରୁମରେ ବସିଥିବା କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ।
ନ୍ୟୁଜିଲ୍ୟାଣ୍ଡ୍ ଟିମ୍ କ୍ୟାପଟେନ୍ କେନ୍ ୱିଲିୟମସନଙ୍କ ବିନା ମଇଦାନକୁ ଓହ୍ଲାଇବ। ସେହିପରି ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଆହତ କାରଣରୁ ଟିମରୁ ବାହାରେ ଅଛନ୍ତି। ୱିଲିୟମସନଙ୍କ ସ୍ଥାନରେ ଟମ୍ ଲାଥମ ନେତୃତ୍ୱ ବହନ କରିବେ। ଘରୋଇ ଦଳର ଦୁଇ ଷ୍ଟାର୍ ଅଲରାଉଣ୍ଡର ଜେମ୍ସ ନିଶାମ୍ ଓ କଲିନ୍ ଡି'ଗ୍ରାଣ୍ଡହୋମଙ୍କ ଉପରେ ଅତିରିକ୍ତ ଦାୟିତ୍ୱ ରହିବ। ପେସ୍ ବୋଲର କାଇଲ୍ ଜେମିସନ୍ ଭାରତ ବିପକ୍ଷରେ ପଦାର୍ପଣ କରିପାରନ୍ତି।
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ପୃଥ୍ୱୀ ଶ', ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର୍, କେଦାର ଯାଦବ।
ନ୍ୟୁଜିଲ୍ୟାଣ୍ଡ୍: ଟମ୍ ଲାଥମ୍ (କ୍ୟାପଟେନ୍), ମାର୍ଟିନ୍ ଗପ୍ଟିଲ୍, ରସ୍ ଟେଲର୍, କଲିନ୍ ଡି'ଗ୍ରାଣ୍ଡହୋମ୍, ଜେମ୍ସ ନିଶାମ, ସ୍କଟ୍ କୁଗେଲାଇନ୍, ଟମ୍ ବ୍ଲଣ୍ଡେଲ୍, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର୍, ହାମିଶ୍ ବେନେଟ୍ଟ, ଇଶ ସୋଢୀ, ଟିମ୍ ସାଉଦୀ, କାଇଲ୍ ଜେମିସନ୍, ମାର୍କ ଚାପମ୍ୟାନ୍।