ମୟଙ୍କ ଓ ରୋହିତଙ୍କ ଧମାକା ପରେ ସ୍ପିନର୍ ଦେଖାଇଲେ ଦମ୍, ମଜଭୁତ୍ ସ୍ଥିତିରେ ଭାରତ

ବିଶାଖପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ମଧ୍ୟ ଘରୋଇ ଦଳର ସପକ୍ଷରେ ଯାଇଛି। ପ୍ରଥମ ଦିବସରେ ରୋହିତ୍ ରାଜ୍ ପରେ ଦ୍ୱିତୀୟ ଦିବସରେ ମୟଙ୍କଙ୍କ ମ୍ୟାଜିକ୍ ବଳରେ ଟିମ୍ ଇଣ୍ଡିଆ ଫ୍ରଣ୍ଟଫୁଟରେ ରହିଛି। ମୟଙ୍କ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ (୨୧୫ ରନ୍, ୩୭୧ ବଲ୍, ୨୩ ଚୌକା, ୬ ଛକା) ଓ ରୋହିତ୍ ଶର୍ମା (୧୭୬) କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଛନ୍ତି, ଯଦ୍ଦ୍ୱାରା ଭାରତ ପ୍ରଥମ […]

agarwal

agarwal

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 07:31 PM IST

Sports

Latest News

ବିଶାଖପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ମଧ୍ୟ ଘରୋଇ ଦଳର ସପକ୍ଷରେ ଯାଇଛି। ପ୍ରଥମ ଦିବସରେ ରୋହିତ୍ ରାଜ୍ ପରେ ଦ୍ୱିତୀୟ ଦିବସରେ ମୟଙ୍କଙ୍କ ମ୍ୟାଜିକ୍ ବଳରେ ଟିମ୍ ଇଣ୍ଡିଆ ଫ୍ରଣ୍ଟଫୁଟରେ ରହିଛି। ମୟଙ୍କ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ (୨୧୫ ରନ୍, ୩୭୧ ବଲ୍, ୨୩ ଚୌକା, ୬ ଛକା) ଓ ରୋହିତ୍ ଶର୍ମା (୧୭୬) କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଛନ୍ତି, ଯଦ୍ଦ୍ୱାରା ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୫୦୨ ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଛି।

ଏହି ଦୁଇ ଓପନିଂ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ିଦେଲେ ଟିମର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ଏହି ବଡ଼ ସ୍କୋର ଜବାବରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦିବସର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩ ୱିକେଟ୍ ହରାଇ ୩୯ ରନ୍ କରିଛି। ଦକ୍ଷିଣ ଆଫ୍ରିକା ପାଇଁ ଏବେ ଫଲୋଅନ୍ ଏଡାଇବା ଚ୍ୟାଲେଞ୍ଜିଂ ହେବ, କାରଣ ଏଥିପାଇଁ ଦଳକୁ ଆହୁରି ୨୬୩ ରନ୍ କରିବାକୁ ପଡ଼ିବ। ଷ୍ଟମ୍ପ ଅପସାରଣ ବେଳକୁ ଡିନ୍ ଏଲଗାର ୨୭ ଓ ତେମ୍ବା ବାଭୁମା ୨ ରନ୍ କରି ଅପରାଜିତ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ପାଇଁ ସ୍ପିନ୍ ପୁଣିଥରେ କାଳ ସାବ୍ୟସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ଇନିଂସର ପଞ୍ଚମ ଓଭରରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସ୍ପିନରଙ୍କୁ ଲଗାଇଥିଲେ। ଅଶ୍ୱିନ୍ କ୍ୟାପଟେନଙ୍କୁ ନିରାଶ ନକରି ନିଜର ଦ୍ୱିତୀୟ ଓଭରରେ ହିଁ ଭ୍ରମଣକାରୀ ଦଳର ଓପ୍ନର ଆଇଡେନ୍ ମର୍କରାମ (୫)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଥ୍ୟୁନିସ୍ ଡି'ବ୍ର୍ୟୁରନ୍ (୪)ଙ୍କୁ ମଧ୍ୟ ଅଶ୍ୱିନ୍ ନିଜର ଶିକାର ବନାଇ ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଝଟକା ଦେଇଥିଲେ । ଅଶ୍ୱିନଙ୍କ ସହ ତାଳ ମିଶାଇ ରବୀନ୍ଦ୍ର ଜାଡେଜା ମଧ୍ୟ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ସେ ନାଇଟ ୱାଚମ୍ୟାନ୍ ଭାବେ ଆସିଥିବା ଡେନ୍ ପିଟ୍ (୦)ଙ୍କୁ ଖାତା ଖୋଲିବାକୁ ଦେଇନଥିଲେ। ଅଭିଜ୍ଞ ଏଲଗାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ପକ୍ଷରୁ ଅଶ୍ୱିନ୍ ୨ଟି ଓ ଜାଡେଜା ଗୋଟିଏ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଦିବସର ମୁଖ୍ୟ ଆକର୍ଷଣ ଥିଲେ ମୟଙ୍କ ଅଗ୍ରୱାଲ୍, ଯିଏ ନିଜର ପ୍ରଥମ ଦ୍ୱିଶତକ ଦ୍ୱାରା ଭାରତକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଭାରତ ଆଜି ତା'ର ପୂର୍ବଦିନର ସ୍କୋର ୨୦୨/୦ରୁ ଖେଳ ଆରମ୍ଭ କରିଥିଲା। ମୟଙ୍କଙ୍କ ଓପନିଂ ପାର୍ଟନର୍ ରୋହିତ୍ ମଧ୍ୟ ଆଜି ନିଜର ଚିରାଚରିତ ବ୍ୟାଟିଂ ଜାରି ରଖିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୩୧୭ ରନର ପାର୍ଟନରଶିପ୍ କରିଥିଲେ। ମୟଙ୍କ ୨୦୪ ବଲରେ ନିଜର ପ୍ରଥମ ଟେଷ୍ଟ ପୂରଣ କରିଥିଲେ। ରୋହିତ୍ ୨୨୪ ବଲରେ ୧୫୦ ରନ୍ କରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ହତାଶ କରିଥିଲେ। ଏହା ପରେ ରୋହିତ୍ ନିଜ ରନ୍ ଗତିକୁ ବଢ଼ାଇ ଦ୍ୱିଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। କିନ୍ତୁ ଭାରତ ଇନିଂସର ୮୨ତମ ଓଭରରେ କେଶବ ମହାରାଜଙ୍କ ବଲରେ ରୋହିତ୍ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ।

ରୋହିତ୍ ନିଜ ଇନିଂସରେ ୨୪୪ ବଲ୍ ଖେଳି ୨୩ ଚୌକା ଓ ୬ ଛକା ମାରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ମାତ୍ର ୬ ରନ୍ କରି ଭର୍ନନ୍ ଫିଲାଣ୍ଡରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ମୟଙ୍କ କ୍ୟାପଟେନ୍ କୋହଲି (୨୦) ଓ ଆଜିଙ୍କ ରାହାଣେ (୧୫)ଙ୍କ ମିଶି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ୱିକେଟ୍ ପାଇଁ ୫୩ ଓ ୫୪ ରନ୍ ଯୋଡ଼ି ଭାରତର ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ମୟଙ୍କ ୩୫୮ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ।

ଦ୍ୱିଶତକ ମାରିବା ପରେ ବଡ଼ ଶଟ୍ ଖେଳିବା ପ୍ରୟାସରେ ମୟଙ୍କଙ୍କୁ ଏଲଗାର ଆଉଟ୍ କରିଥିଲେ। ତାଙ୍କ ଆଉଟ୍ ପରେ ଜାଡେଜା ଓ ଋଦ୍ଧିମାନ ସାହା ଦ୍ରୁତ ରନ୍ କରି ଭାରତକୁ ୫୦୦ ରନରେ ପହଞ୍ଚାଇଥିଲେ। ଜାଡେଜା ୪୬ ବଲରେ ୩୦ ରନ୍ କରି ଅପରାଜିତ ରହିଥିବା ବେଳେ ସାହା ୧୬ ବଲରେ ୨୧ ଓ ହନୁମା ବିହାରୀ ୧୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସର୍ବାଧିକ ୩ଟି, ଫିଲାଣ୍ଡର, ପିଟ୍, ସେନୁରାନ୍ ମୁଥୁସାମୀ ଓ ଏଲଗାର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍ (୫୦୨/୭ରେ ପାଳି ଘୋଷିତ): ମୟଙ୍କ ଅଗ୍ରୱାଲ୍ ୨୧୫, ରୋହିତ୍ ଶର୍ମା ୧୭୬, ରବୀନ୍ଦ୍ର ଜାଡେଜା ୩୦*, ଋଦ୍ଧିମାନ ସାହା ୨୧, ବିରାଟ୍ କୋହଲି ୨୦, କେଶବ ମହାରାଜ ୩/୧୮୯।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ୍ (୩୯/୩): ଡିନ୍ ଏଲଗାର ୨୭*, ତେମ୍ବା ବାଭୁମା ୨*।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos