ପର୍ଥ ଦିବାରାତ୍ର ଟେଷ୍ଟ: ମଜଭୁତ୍ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ: ପର୍ଥରେ ଚାଲିଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ଅଷ୍ଟ୍ରେଲିଆର ୪୧୬ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ମାତ୍ର ୧୬୬ ରନ୍ କରି ଅଲଆଉଟ୍ ହୋଇଛି। ତେବେ ଭ୍ରମଣକାରୀ ଟିମକୁ ଫଲୋଅନ୍ ନ ଦେଇ ଅଷ୍ଟ୍ରେଲିଆ ପୁଣିଥରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ବିନିମୟରେ ୧୬୭ ରନ୍ କରିଛି। ଅଷ୍ଟ୍ରେଲିଆ ଏବେ ୪ ୱିକେଟ୍ ହାତରେ ରଖି ୪୧୭ ରନର […]

aus

Ranjit Kumar Jena
  • Published: Saturday, 14 December 2019
  • , Updated: 14 December 2019, 07:27 PM IST

ପର୍ଥ: ପର୍ଥରେ ଚାଲିଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ଅଷ୍ଟ୍ରେଲିଆର ୪୧୬ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ମାତ୍ର ୧୬୬ ରନ୍ କରି ଅଲଆଉଟ୍ ହୋଇଛି। ତେବେ ଭ୍ରମଣକାରୀ ଟିମକୁ ଫଲୋଅନ୍ ନ ଦେଇ ଅଷ୍ଟ୍ରେଲିଆ ପୁଣିଥରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ବିନିମୟରେ ୧୬୭ ରନ୍ କରିଛି। ଅଷ୍ଟ୍ରେଲିଆ ଏବେ ୪ ୱିକେଟ୍ ହାତରେ ରଖି ୪୧୭ ରନର ବିଶାଳ ଅଗ୍ରଣୀ ହାସଲ କରିନେଇଛି। ଦିବସର ଷ୍ଟମ୍ପ ଅପସାରଣ ବେଳକୁ ମାଥ୍ୟୁ ୱେଡ୍ ୮ ଓ ପ୍ୟାଟ୍ କମିନ୍ସ ୧ ରନ୍ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ଚତୁର୍ଥ ଦିବସର ପ୍ରଥମ ସେସନରେ ଅଷ୍ଟ୍ରେଲିଆ ଦ୍ରୁତ ରନ୍ କରି ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଟାର୍ଗେଟ୍ ଦେବାକୁ ଲକ୍ଷ୍ୟ ରଖିଛି।

ପ୍ରଥମ ଇନିଂସ୍ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଡେଭିଡ୍ ୱାର୍ଣ୍ଣର୍ (୧୯) ନିରାଶ କରିଥିଲେ । ତେବେ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍ ଜୋ ବର୍ନସ୍ ଓ ଇନଫର୍ମ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଅର୍ଦ୍ଧଶତକ ମାରି ଟିମର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ଏହି ସେଟ୍ ଯୋଡ଼ିକୁ ନିଲ୍ ୱାଗନର ଭାଙ୍ଗିଥିଲେ। ଲାବୁଶେନ୍ ୫୦ (୮୧ ବଲ୍‌, ୩ ଚୌକା) ରନ୍ କରି ମିଚେଲ୍ ସାଣ୍ଟନରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ବର୍ନସଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୮୭ ରନର ଭାଗୀଦାରୀ କରିଥିଲେ।

ବର୍ନସ୍ ମଧ୍ୟ ଅର୍ଦ୍ଧଶତକ ମାରିବା ପରେ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ। ସେ ବ୍ୟକ୍ତିଗତ ୫୩ ରନ୍ କରି ସାଉଦୀଙ୍କ ଶିକାର ହୋଇଥିଲେ । ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥଙ୍କ ଖରାପ ଫର୍ମ ଜାରି ରହିଛି ଏବଂ ସେ ୧୪ ରନ୍ କରି ୱାଗନରଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ସାଉଦୀ ଟ୍ରାଭିସ୍ ହେଡ୍ (୫) ଓ କ୍ୟାପଟେନ୍ ଟିମ୍ ପେନ୍ (୦)ଙ୍କୁ ପ୍ୟାଭିଲିୟନ୍ ପଠାଇ ନ୍ୟୁଜିଲ୍ୟାଣ୍ଡକୁ ଷଷ୍ଠ ସଫଳତା ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସାଉଦୀ ୪ଟି ଓ ୱାଗନର୍ ୨ଟି ୱିକେଟ୍ ନେଇଥିଲେ।

ଶନିବାର ୧୦୯/୫ରୁ ଖେଳ ଆରମ୍ଭ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ଆଉ ୫୭ ରନ୍ ଯୋଡ଼ି ଅଲଆଉଟ୍ ହୋଇଯାଇଥିଲା । ଶୁକ୍ରବାର ୬୬ ରନରେ ଅପରାଜିତ ଥିବା ରସ୍ ଟେଲର ନିଜ ସ୍କୋରରେ ୧୪ ରନ୍ ଯୋଡ଼ି ପ୍ୟାଭିଲିୟନ୍ ଫେରିଥିଲେ । ସେ ବ୍ୟକ୍ତିଗତ ୮୦ (୧୩୪ ବଲ୍‌, ୯ ଚୌକା) ରନ୍ କରି ନେଥନ୍ ଲାୟନଙ୍କ ଶିକାର ହୋଇଥିଲେ। ନିମ୍ନକ୍ରମରେ କଲିନ୍ ଡି'ଗ୍ରାଣ୍ଡହୋମ୍ (୨୩), ମିଚେଲ୍ ସାଣ୍ଟନର୍ (୨) ଓ ସାଉଦୀ (୮) ନିରାଶ କରିଥିଲେ। ଆହତ କାରଣରୁ ମ୍ୟାଚରୁ ବାଦ୍ ପଡ଼ିଥିବା ପେସ୍ ବୋଲର ଲକି ଫର୍ଗୁସନ୍ ବ୍ୟାଟିଂ କରିବାକୁ ଆସିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୫୨ ରନ୍ ଦେଇ ସର୍ବାଧିକ ୫ଟି ଓ ଲାୟନ୍ ୨ଟି ୱିକେଟ୍ ନେଇଥିଲେ।

Related story