ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପେସ୍ ବୋଲର ଯଶପ୍ରୀତ ବୁମ୍ରା ୨୦୧୯ରେ ଅନେକ ସଫଳତା ଅର୍ଜନ କରିଛନ୍ତି। କିନ୍ତୁ ଆହତ ସମସ୍ୟା କାରଣରୁ ସେ ଅନେକ ସମୟରେ କ୍ରିକେଟ୍ ମଇଦାନରୁ ବାହାରେ ରହିଥିଲେ। କିନ୍ତୁ ବୁମ୍ରା ଯେତିକି ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି, ସେଥିରେ ସଫଳତାର ନୂଆ ଶିଖର ଛୁଇଁଛନ୍ତି। ବୁମ୍ରାଙ୍କ ମତରେ, ୨୦୧୯ ବର୍ଷ ତାଙ୍କ ପାଇଁ ମଇଦାନ ଭିତରେ ଏବଂ ବାହାରେ ଉପଲବ୍ଧି, ଶିଖିବା ଏବଂ ସ୍ମରଣୀୟ ବର୍ଷ ଥିଲା ଏବଂ ୨୦୨୦ରେ ଆଉ ଏକ ସଫଳ ବର୍ଷକୁ ଅପେକ୍ଷା କରି ରହିଛନ୍ତି।
ବୁମ୍ରା ନିଜର ଟ୍ୱିଟର ହ୍ୟାଣ୍ଡଲରେ ୨୦୧୯ରେ ନିଜର ଉପଲବ୍ଧିର କିଛି ଫଟୋ ଶେଆର କରି ଲେଖିଛନ୍ତି, ୨୦୧୯ ମଇଦାନ ବାହାରେ ଓ ଭିତରେ ଉପଲବ୍ଧି, ଶିଖିବା, କଠିନ ପରିଶ୍ରମ ଏବଂ ସୁଖଦ ସ୍ମୃତି ସାଉଁଣ୍ଟିବା ବର୍ଷ ଥିଲା। ୨୦୨୦ରେ ମୁଁ ଯେଉଁ ଉପଲବ୍ଧି ହାସଲ କରିବି, ତାହାର ଅପେକ୍ଷା ରହିଲା।
2019 has been a year of accomplishments, learning, hard work and making memories, on the field and off it too. And on the last day of the year, I’m looking forward to everything that 2020 has to offer! 💪🏼 pic.twitter.com/YishbcuYWO
— Jasprit Bumrah (@Jaspritbumrah93) December 31, 2019
ବୁମ୍ରା ୨୦୧୯ରେ ତିନୋଟି ଯାକ ଫର୍ମାଟରେ ଭାରତୀୟ ପେସ୍ ଆକ୍ରମଣର ମୁଖ୍ୟ ସୂତ୍ରଧର ସାଜିଥିଲେ। ୨୬ ବର୍ଷୀୟ ବୁମ୍ରା ୨୦୧୯ରେ ଦିନିକିଆରେ ଏକ ନମ୍ବର ବୋଲର ରହି ବର୍ଷ ଶେଷ କରିଛନ୍ତି। ସେହିପରି ଟେଷ୍ଟ ରାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ରହିଛନ୍ତି। ବୁମ୍ରା ଏହି ବର୍ଷ ହରଭଜନ ସିଂହ ଏବଂ ଇରଫାନ୍ ପଠାନଙ୍କ ପରେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେବାରେ ତୃତୀୟ ଭାରତୀୟ ବୋଲର ହୋଇଥିଲେ।
ବୁମ୍ରା ଏପର୍ଯ୍ୟନ୍ତ ୧୨ ଟେଷ୍ଟ, ୫୮ ଦିନିକିଆ ଏବଂ ୪୨ ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୬୨, ୧୦୩ ଏବଂ ୫୧ ୱିକେଟ୍ ହାସଲ କରିଛନ୍ତି। ଜୁଲାଇ-ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପରଠାରୁ ବୁମ୍ରା ଆହତ କାରଣରୁ ଟିମରୁ ବାହାରେ ଅଛନ୍ତି। ତେବେ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ସେ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାଛଡ଼ା ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ମଧ୍ୟ ଭାରତୀୟ ଟିମରେ ସାମିଲ୍ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।