ମହିଳା ଦିନିକିଆ ସିରିଜ୍ ଜିତିଲା ଭାରତ

ଭଦୋଦରା: କ୍ୟାପଟେନ୍ ମିତାଲୀ ରାଜ ଓ ପୁନମ ରାଉତଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ ୮ ୱିକେଟରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ୍ […]

mithali

Ranjit Kumar Jena
  • Published: Friday, 11 October 2019
  • , Updated: 11 October 2019, 05:10 PM IST

ଭଦୋଦରା: କ୍ୟାପଟେନ୍ ମିତାଲୀ ରାଜ ଓ ପୁନମ ରାଉତଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ ୮ ୱିକେଟରେ ବିଜୟୀ ହୋଇଥିଲା।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ୍ ହରାଇ ୨୪୭ ରନ୍ କରିଥିଲା। ଜବାବରେ ଭାରତୀୟ ମହିଳା ଟିମ୍ ୪୮ ଓଭରରେ ୫ ୱିକେଟ୍ ହରାଇ ୨୪୮ ରନ୍ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ ମିତାଲୀ ସର୍ବାଧିକ ୬୬ (୮୨ ବଲ୍‌, ୮ ଚୌକା) ଓ ପୁନମ ୬୫ ରନ୍ କରିଥିବା ବେଳେ ହରମନପ୍ରୀତ କୌର୍ ଦ୍ରୁତ ୩୯ (୨୭ ବଲ୍‌, ୫ ଚୌକା, ୧ ଛକା) ରନ୍ କରି ନିଜ ଟିମକୁ ଜିତାଇଛନ୍ତି। ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ପାଇଁ ପୁନମ ରାଉତଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

୨୪୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ୬୬ ରନରେ ତା'ର ଦୁଇ ଓପ୍ନରଙ୍କୁ ହରାଇଥିଲା। ପ୍ରଥମ ଦିନିକିଆରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ପ୍ରିୟା ଆଜି ୨୦ ରନ୍ କରି ଶବନିମ୍ ଇସମାଇଲଙ୍କ ଶିକାର ହୋଇଥିଲେ। ସେହିପରି ଜେମିମା ରୋଡ୍ରିଗ୍ସ (୧୮)ଙ୍କୁ ଆୟାବୋଙ୍ଗା ଖାକା ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ମିତାଲୀ ଓ ପୁନମ ରାଉତ ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୧୨୯ ରନର ଶତକୀୟ ଭାଗୀଦାରୀ କରି ଭାରତକୁ ବିଜୟ ସ୍ଥିତିରେ ପହଞ୍ଚାଇଥିଲେ। ମିତାଲିଙ୍କୁ ମାରିଜେନ୍ କାପ୍ ଏବଂ ପୁନମଙ୍କୁ ଖାକା ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଲଗାତାର ଦୁଇଟି ସଫଳତା ଦେଇଥିଲେ।

ଦୀପ୍ତି ଶର୍ମା (୨)ଙ୍କୁ ଖାକା ନିଜର ତୃତୀୟ ଶିକାର ବନାଇଥିଲେ। ୧୭ ରନର ବ୍ୟବଧାନରେ ୩ ୱିକେଟ୍ ହରାଇ ଭାରତ ବିପଦରେ ପଡ଼ିଥିବା ବେଳେ ହରମନପ୍ରୀତ ନିଜର ସ୍ୱାଭାବିକ ପ୍ରଦର୍ଶନ କରି ଭାରତକୁ ଦୁଇ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ସେ ତାନିଆ ଭାଟିଆ (୮*)ଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ଅପରାଜିତ ୩୬ ରନର ଭାଗୀଦାରୀ କରିଥିଲେ। ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ପକ୍ଷରୁ ଖାକା ୩ଟି, ଇସମାଇଲ୍ ଓ କାପ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲା। ଲିଜେଲ୍ ଲି' ଓ ଲୌରା ଉଲଭାର୍ଟ ପ୍ରଥମ ୱିକେଟ୍ ପାଇଁ ୭୬ ରନ୍ ଯୋଡ଼ିଥିଲେ। ଲି' ୪୦ ରନ୍ କରି ପୁନମ ଯାଦବଙ୍କ ଶିକାର ହୋଇଥିବା ବେଳେ ତାଙ୍କ ସାଥୀ ଉଲଭାର୍ଟ ଅର୍ଦ୍ଧଶତକ ମାରିଥିଲେ। ଉଲଭାର୍ଟ (୬୯) ତ୍ରିଶା ଚେଟ୍ଟୀ(୨୨)ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୧ ରନର ଭାଗୀଦାରୀ କରିଥିଲେ।

ଦୁହିଁଙ୍କୁ ଶିଖା ପାଣ୍ଡେ ପ୍ୟାଭିଲିୟନ୍ ପଠାଇ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। କିନ୍ତୁ ଏହା ପରେ ମିଗନନ୍ ଡୁ'ପ୍ରୀଜ୍ ଓ ଲାରା ଗୁଡାଲ୍ ଅର୍ଦ୍ଧଶତକୀୟ ଭାଗୀଦାରୀ କରି ଟିମର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଡୁ'ପ୍ରୀଜ୍ ୪୪ (୪୮ ବଲ୍‌, ୨ ଚୌକା, ୧ ଛକା) ଓ ଗୁଡାଲ୍ ୩୮ (୩୨ ବଲ୍‌, ୫ ଚୌକା) ରନ୍ କରି ଏକତା ବିଷ୍ଟଙ୍କ ବୋଲିଂରେ ଆଉଟ୍ ହୋଇଥିଲେ। କ୍ୟାପଟେନ୍ ସୁନ୍ ଲୁସ୍ (୧୨) ଆଉଟ୍ ହୋଇଥିବା ବେଳେ କାପ୍ (୧୧*) ଓ ଇସମାଇଲ୍ (୧*) ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଶିଖା, ଏକତା ଏବଂ ପୁନମ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story