ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଫିଫା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ। ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ କ୍ରୋଏସିଆ। ଗୋଟେ ପଟେ କମାଲ ଆଶାରେ କେନଙ୍କ ଇଂଲିଶ ଟିମ୍ ତ ଅନ୍ୟପଟେ ଚକ୍ମା ଦେଖାଇବା ଲକ୍ଷ୍ୟରେ କ୍ରୋଏସିଆ।
ହୋମ୍ ଗ୍ରାଉଣ୍ଡ ଏବଂ ହୋମ୍ କ୍ରାଉଡ୍ ସାମ୍ନାରେ କ୍ୱାର୍ଟରରେ ରଷିଆକୁ ପରାଜିତ କଲାପରେ ବିଲକୁଲ ଏବେ କନଫିଡେଣ୍ଟ କ୍ରୋଏସିଆ ଟିମ୍। ଆର୍ଜେଣ୍ଟିନା, ଡେନମାର୍କ ଏବଂ ନାଇଜେରିଆ ଭଳି ଶକ୍ତିଶାଳୀ ଦଳକୁ ହରାଇ ଦମ୍ ଦେଖାଇଛି କ୍ରୋଏସିଆ। ବିଶ୍ୱକପ ଇତିହାସରେ ଥରେ ମାତ୍ର ସେମିଫାଇନାଲ୍ ଖେଳିଛି କ୍ରୋଏସିଆ। ଦୀର୍ଘ ୨୦ ବର୍ଷ ପରେ ପୁଣି ମିଳିଛି ସୁଯୋଗ। ତେଣୁ ଟାଇଟଲ୍ ଜିତିବା ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କ୍ରୋଏସିଆ। ଲୁକା ମୋର୍ଡିକଙ୍କ ଉପରେ ନିର୍ଭରଶୀଳ ଦଳ ଇଭାନ ରାକିଟିକିଙ୍କ ସହ ମିଡ୍ ଫିଲ୍ଡରେ ବେଶ ଶକ୍ତିଶାଳୀ ଟିମ୍। ଡିଫେନ୍ସରେ ସାମାନ୍ୟ ଦୁର୍ବଳ ମନେହେଉଥିଲେ ମଧ୍ୟ ଡୋମାଗଜ ଏବଂ ଲଭ୍ରେନଙ୍କୁ ଦେଖାଇବାକୁ ହେବ ଦମ୍। ତାହେଲେ ଯାଇ ପ୍ରଥମଥର ପାଇଁ କ୍ରୋଏସିଆର ଫାଇନାଲ ଖେଳିବାର ସ୍ୱପ୍ନ ସାକାର ହେବ।
ଅପରପକ୍ଷରେ ଗତ ୨୮ ବର୍ଷ ଧରି ସେମିଫାଇନାଲ ଖେଳିବାର ସ୍ୱାଦ ଚାଖିନଥିବା ଇଂଲଣ୍ଡ ଏବେ ବେଶ୍ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ଗତ ଦୁଇଟି ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ସେମିରେ ପ୍ରବେଶ କରିଛି କେନଙ୍କ ଯୁବ ବାହିନୀ। ଖାସ୍ କରି କେନ୍ ଏବଂ କୋଚ୍ ସାଉଥଗେଟଙ୍କ କେମିଷ୍ଟ୍ରି କମାଲ ରିହିଛି ଏହି ବିଶ୍ୱକପରେ। ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ପେନାଲ୍ଟି ଶୁଟ୍ ଆଉଟ ଏବଂ କ୍ୱାର୍ଟରରେ ଶକ୍ତିଶାଳୀ ସ୍ୱିଡେନକୁ ଚକମା ଦେବା ପରେ ଆର ପାର୍ର ଲଢ଼େଇ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଂଲିଶ ଟିମ୍। ହ୍ୟାରି ମାଗୁଇର ଏବଂ ଡେଲ ଅଲ୍ଲିୀଙ୍କ ପ୍ରଦର୍ଶନ ଓ ଆଶ୍ଲେ ୟଙ୍ଗଙ୍କ ଭଳି ଭେଟେରାନ ଖେଳାଳିଙ୍କ ଅଭିଜ୍ଞତା ବଳରେ ଟାଇଟଲ ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟ ନେଇ ଓହ୍ଲାଇବ ବ୍ରିଟିଶ ବାହିନୀ।