ଦ୍ୱିତୀୟ ଟି-୨୦ ହାରିଲା ଭାରତ, ସିରିଜକୁ ଫେରିଲା ୱେଷ୍ଟଇଣ୍ଡିଜ୍

ଥିରୁଅନନ୍ତପୁରମ୍‌: ଦୁର୍ବଳ ଫିଲ୍ଡି ଓ ଖରାପ ବୋଲିଂ ସାଙ୍ଗକୁ ଲୋୟର୍ ମିଡଲ୍ ଅର୍ଡରରେ ନୈରାଶ୍ୟଜନକ ବ୍ୟାଟିଂ ଯୋଗୁ ଭାରତ ରବିବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। ବିଜୟ ସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରି ଜବରଦସ୍ତ କମବ୍ୟାକ୍ କରିଛି। ସିରିଜର ନିର୍ଣ୍ଣାୟକ ତଥା ଅନ୍ତିମ ଟି-୨୦ ୧୧ ତାରିଖରେ ମୁମ୍ବାଇରେ ଖେଳାଯିବ। ଗ୍ରୀନ୍ ଫିଲ୍ଡ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍ […]

wi

Ranjit Kumar Jena
  • Published: Sunday, 08 December 2019
  • , Updated: 08 December 2019, 10:33 PM IST

ଥିରୁଅନନ୍ତପୁରମ୍‌: ଦୁର୍ବଳ ଫିଲ୍ଡି ଓ ଖରାପ ବୋଲିଂ ସାଙ୍ଗକୁ ଲୋୟର୍ ମିଡଲ୍ ଅର୍ଡରରେ ନୈରାଶ୍ୟଜନକ ବ୍ୟାଟିଂ ଯୋଗୁ ଭାରତ ରବିବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। ବିଜୟ ସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରି ଜବରଦସ୍ତ କମବ୍ୟାକ୍ କରିଛି। ସିରିଜର ନିର୍ଣ୍ଣାୟକ ତଥା ଅନ୍ତିମ ଟି-୨୦ ୧୧ ତାରିଖରେ ମୁମ୍ବାଇରେ ଖେଳାଯିବ।

ଗ୍ରୀନ୍ ଫିଲ୍ଡ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ବୋଲରମାନେ ଦମଦାର ପ୍ରଦର୍ଶନ କରି ଭାରତକୁ ୨୦ ଓଭରରେ ୭ ୱିକେଟରେ ୧୭୦ ରନରେ ରୋକିଥିଲେ। ଭାରତ ପକ୍ଷରୁ ଦୁବେ ସର୍ବାଧିକ ୫୪ (୩୦ ବଲ୍‌, ୩ ଚୌକା, ୪ ଛକା) ରନ୍ କରିଥିବା ବେଳେ ଋଷଭ ପନ୍ତ ଅପରାଜିତ ୩୩ (୨୨ ବଲ୍‌, ୩ ଚୌକା, ୧ ଛକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଜବାବରେ ଇଣ୍ଡିଜ୍ ୧୮.୩ ଓଭରରେ ୨ ୱିକେଟ୍ ହରାଇ ୧୭୩ ରନ୍ କରି ମୁକାବିଲାକୁ ଏକତରଫା ଭାବେ ଜିତି ନେଇଛି। ଇଣ୍ଡିଜ୍ ପକ୍ଷରୁ ଲେଣ୍ଡନ୍ ସିମନ୍ସ ସର୍ବାଧିକ ୬୭ (୪୫ ବଲ୍‌, ୪ ଚୌକା, ୪ ଛକା) ଏବଂ ନିକୋଲାସ ପୁରନ୍ ୩୮ (୧୮ ବଲ୍‌, ୪ ଚୌକା, ୨ ଛକା) ରନ୍ କରି ଇଣ୍ଡିଜକୁ ଜିତାଇଛନ୍ତି।

୧୭୧ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଜ୍ ଆରମ୍ଭରୁ ଭଲ ଆରମ୍ଭ କରିଥିଲା। ଭ୍ରମଣକାରୀ ଦଳର ଦୁଇ ଓପ୍ନର ସିମନ୍ସ ଓ ଏଭିନ୍ ଲୁଇସ୍ ଗୋଟିଏ ଲେଖାଏ ବଡ଼ ଜୀବନଦାନ ପାଇଥିଲେ ଏବଂ ଦୁହେଁ ଏହାର ଫାଇଦା ଉଠାଇ ପ୍ରଥମ ୱିକେଟ୍ ପାଇଁ ୭୩ ରନର ଭାଗୀଦାରୀ କରିଥିଲେ। ଲୁଇସ୍ ଆଉ ଏକ ଭଲ ଇନିଂସ୍ ଖେଳି ୪୦ (୩୫ ବଲ୍‌, ୩ ଚୌକା, ୩ ଛକା) ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ବଲରେ ଋଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶିମରନ୍ ହେଟମାୟର୍ ଦ୍ରୁତ ୨୩ (୧୪ ବଲ୍‌, ୩ ଛକା) ରନ୍ କରି ଟିମର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ପ୍ରଥମ ମ୍ୟାଚରେ ଫେଲ୍ ମାରିଥିବା ସିମନ୍ସ ଓ ପ୍ରତ୍ୟାବର୍ତ୍ତନ କରିଥିବା ନିକୋଲାସ ପୁରନ୍ ଜବରଦସ୍ତ ବ୍ୟାଟିଂ କରି ଇଣ୍ଡିଜକୁ ବିଜୟୀ କରାଇଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୧ ରନର ଭାଗୀଦାରୀ କରିଥିଲେ। ଭାରତ ପକ୍ଷରୁ ସୁନ୍ଦର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଖରାପ ରହିଥିଲା। ପ୍ରଥମ ମ୍ୟାଚରେ ୬୦ ରନର ଇନିଂସ୍ ଖେଳିଥିବା ଲୋକେଶ ରାହୁଲ୍ ମାତ୍ର ୧୧ ରନ୍ କରି ଖାରୀ ପିଏରଙ୍କ ଶିକାର ହୋଇଥିଲେ। ରୋହିତ୍ ଶର୍ମା କ୍ରମାଗତ ଦ୍ୱିତୀୟ ମ୍ୟାଚରେ ନିରାଶ କରିଥିଲେ। ସେ ନିଜ ଦକ୍ଷତାର ଅନୁରୂପ ବ୍ୟାଟିଂ କରି ମାତ୍ର ୧୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ବିରାଟ୍ କୋହଲିଙ୍କ ସ୍ଥାନରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୁବେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ଆରମ୍ଭରୁ ସର୍ତକତାର ସହ ବ୍ୟାଟିଂ କରିଥିଲେ ଏବଂ ସେଟ୍ ହେବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୨୭ ବଲରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ସେ ପ୍ୟାଭିଲିୟନ୍ ଫେରିଥିଲେ। ଆଉଟ୍ ହେବା ପୂର୍ବରୁ ସେ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୪୧ ରନର ଭାଗୀଦାରୀ କରିଥିଲେ। ଗତ ମ୍ୟାଚର ହିରୋ କୋହଲି ଆଜି ଫେଲ୍ ମାରିଥିଲେ।

କୋହଲି ବ୍ୟକ୍ତିଗତ ୧୯ ରନ୍ କରିଥିବା ବେଳେ କେଶରିକ୍ ୱିଲିୟମ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ୱିଲିୟନ୍ସ ସେହି ବୋଲର, ଯାହାଙ୍କୁ କୋହଲି ହାଇଦ୍ରାବାଦରେ ନିର୍ମମ ପ୍ରହାର କରିଥିଲେ। କିନ୍ତୁ ଆଜି ୱିଲିୟମ୍ସ କୋହଲିଙ୍କୁ ଆଉଟ୍ କରି ନିଜର ପ୍ରତିଶୋଧ ପୂରା କରିଛନ୍ତି। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ହେଁ, ତାଙ୍କୁ ଅନ୍ୟପଟରୁ ସେଭଳି ସହଯୋଗ ମିଳିପାରିନଥିଲା, ଯେଉଁକାରଣରୁ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର୍ (୧୦), ରବୀନ୍ଦ୍ର ଜାଡେଜା (୯) ଓ ୱାଶିଂଟନ୍ ସୁନ୍ଦର (୦) ନିରାଶ କରିଥିଲେ। ଇଣ୍ଡିଜ୍ ପକ୍ଷରୁ ୱିଲିୟମ୍ସ ଓ ୱାଲ୍ସ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story