ଦ୍ୱିତୀୟ ଟି-୨୦ ବି ହାରିଲା ପାକିସ୍ତାନ

ଲାହୋର: ଭାନୁକା ରାଜପାକସାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ପାକିସ୍ତାନକୁ ୩୫ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି। ଏହାଛଡ଼ା ଶ୍ରୀଲଙ୍କା ପ୍ରଥମଥର ଲାଗି ପାକିସ୍ତାନରେ ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବୁଧବାର ଖେଳାଯିବ। ଉକ୍ତ ମ୍ୟାଚରେ ଟସ୍ ଜିତି […]

sri

Ranjit Kumar Jena
  • Published: Tuesday, 08 October 2019
  • , Updated: 08 October 2019, 12:39 PM IST

ଲାହୋର: ଭାନୁକା ରାଜପାକସାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ପାକିସ୍ତାନକୁ ୩୫ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି। ଏହାଛଡ଼ା ଶ୍ରୀଲଙ୍କା ପ୍ରଥମଥର ଲାଗି ପାକିସ୍ତାନରେ ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବୁଧବାର ଖେଳାଯିବ।

ଉକ୍ତ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ଶ୍ରୀଲଙ୍କା ତା'ର ଦୁଇ ଓପ୍ନର ଦନୁସ୍କା ଗୁଣତିଳକ (୧୫) ଓ ଅଭିସ୍କା ଫର୍ଣ୍ଣାଣ୍ଡୋ (୮)ଙ୍କୁ ସଅଳ ହରାଇ ବିପଦରେ ପଡ଼ିଥିଲେ। ତେବେ ରାଜପାକସା ଓ ଶେହାନ୍ ଜୟସୁରିୟା ତୃତୀୟ ୱିକେଟ୍ ପାଇଁ ୯୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ।

ଜୟସୁରିୟା ୨୮ ବଲରେ ୪ ଚୌକା ସହ ୩୪ ରନ୍ କରି ଆଉଟ୍ ହୋଇଥିଲେ। ରାଜପାକସା ପାକ୍ ବୋଲରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ ଏବଂ ୭୭ (୪୮ ବଲ୍‌, ୪ ଚୌକା, ୬ ଛକା) ରନର ଇନିଂସ୍ ଖେଳିଥିଲେ। କ୍ୟାପଟେନ୍ ଦାସୁନ୍ ଶନକା ୨୭ (୧୫ ବଲ୍‌, ୩ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଇମାଦ ୱାସିମ୍‌, ୱହାବ ରିଆଜ ଓ ଶଦାବ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୧୮୩ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୧୯ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟିମ୍ ପକ୍ଷରୁ ଇମାଦ୍ ୱାସିମ୍ ସର୍ବାଧିକ ୪୭ (୨୯ ବଲ୍‌, ୮ ଚୌକା) ରନ୍ କରିଥିବା ବେଳେ ଆସିଫ୍ ଅଲୀ ୨୯, କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ୨୬ ଓ ଅହମ୍ମଦ ଶେହଜାଦ୍ ୧୩ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ନୁୱନ୍ ପ୍ରଦୀପ ୨୫ ରନ୍ ଦେଇ ୪ଟି, ୱାନିନ୍ଦୁ ଡି'ସିଲଭା ୩ଟି ଓ ଇସୁରୁ ଉଦାନା ୨ଟି ୱିକେଟ୍ ନେଇଥିଲେ। ଦମଦାର ବ୍ୟାଟିଂ ପାଇଁ ରାଜପାକସାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

Related story