ରବିବାର ବାରବାଟୀରେ ଆରପାର୍ ଲଢ଼େଇ

କଟକ (ଓଡ଼ିଶା ରିପୋର୍ଟର): ସୁପର ସଣ୍ଡେରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ହାଇଭୋଲଟେଜ୍ ଦିନିକିଆ ମ୍ୟାଚ୍। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୧ରେ ବରାବର ଥିବାରୁ ଆସନ୍ତାକାଲିର ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଭାରତ ଏହି ମ୍ୟାଚ୍ ଜିତି କ୍ରମାଗତ ଦଶମ ଦ୍ୱିପାକ୍ଷିକ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଚେନ୍ନାଇ ଭଳି ବାରବାଟୀ ଦିନିକିଆ ଜିତି ଭାରତକୁ ଚକମା ଦେବାକୁ […]

ind

ind

Ranjit Kumar Jena
  • Published: Saturday, 21 December 2019
  • Updated: 21 December 2019, 06:39 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସୁପର ସଣ୍ଡେରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ହାଇଭୋଲଟେଜ୍ ଦିନିକିଆ ମ୍ୟାଚ୍। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୧ରେ ବରାବର ଥିବାରୁ ଆସନ୍ତାକାଲିର ମ୍ୟାଚ୍ ଉଭୟ ଦଳ ପାଇଁ 'କର ବା ମର' ସ୍ଥିତି ସୃଷ୍ଟି କରିଛି। ଭାରତ ଏହି ମ୍ୟାଚ୍ ଜିତି କ୍ରମାଗତ ଦଶମ ଦ୍ୱିପାକ୍ଷିକ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଚେନ୍ନାଇ ଭଳି ବାରବାଟୀ ଦିନିକିଆ ଜିତି ଭାରତକୁ ଚକମା ଦେବାକୁ ଟାର୍ଗେଟ୍ ରଖିଛି। ୱେଷ୍ଟଇଣ୍ଡିଜ୍ ଚେନ୍ନାଇରେ ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ଭାରତ ବିଶାଖାପାଟଣାରେ ବଡ଼ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ୱିତୀୟ ମ୍ୟାଚରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ବଳରେ ଭାରତ ୩୮୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହା ପରେ କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ ସଫଳତା ବଳରେ ଭାରତ ଇଣ୍ଡିଜ୍ ଟିମକୁ ୨୮୦ ରନରେ ସୀମିତ ରଖିଥିଲା।

ଭାରତର ବ୍ୟାଟିଂ ମଜଭୁତ୍‌: ବ୍ୟାଟିଂରେ ଭାରତ ଭ୍ରମଣକାରୀ ଦଳ ଅପେକ୍ଷା ବହୁତ ମଜଭୁତ୍। ଦୁଇ ଓପ୍ନର ରାହୁଲ୍ ଓ ରୋହିତ୍ ଜବରଦସ୍ତ ଫର୍ମରେ ଅଛନ୍ତି। ରୋହିତ୍ ପ୍ରଥମ ମ୍ୟାଚରେ ୩୬ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୧୫୯ ରନର ଦମଦାର ଇନିଂସ୍ ଖେଳିଥିଲେ। ରାହୁଲ ପ୍ରଥମ ମ୍ୟାଚରେ ନିରାଶ କରିଥିଲେ, କିନ୍ତୁ ବିଶାଖାପାଟଣାରେ ସେ ୧୦୨ ରନ୍ କରି ଫର୍ମକୁ ଫେରିଥିଲେ। ତେବେ କ୍ୟାପଟେନ୍ ବିରାଟ୍ କୋହଲି (୪ ଓ ୦) ଦୁଇଟି ଯାକ ମ୍ୟାଚରେ ବିଫଳ ହୋଇଛନ୍ତି। ବାରବାଟୀରେ ସେ ରନ୍ କରି ଫର୍ମକୁ ଫେରିବାକୁ ଚାହିଁବେ। ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରି ସମସ୍ତଙ୍କୁ ଆକୃଷ୍ଟ କରିଛନ୍ତି।

ବୋଲିଂ ଓ ଫିଲ୍ଡିଂ ଚିନ୍ତା: ଫିଲ୍ଡିଂରେ ଭାରୀତ ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚରେ ଆୟର୍ ହୁଏତ ଶିମରନ୍ ହେଟମେୟରଙ୍କୁ ରନଆଉଟ୍ କରିଥାଇପାରନ୍ତି, କିନ୍ତୁ ଦୀପକ ଚହର୍ ଲଗାତାର ଦୁଇଟି କ୍ୟାଚ୍ ଛାଡ଼ିବା ଟିମକୁ ଚିନ୍ତାରେ ପକାଇଥିଲା। ଦୀପକ ଏହି ମ୍ୟାଚରେ ଆହତ କାରଣରୁ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ନଭଦୀପ ସାଇନିଙ୍କୁ ସୁଯୋଗ ମିଳିପାରେ। ତୃତୀୟ ମୁକାବିଲା ପାଇଁ ମଧ୍ୟ ଭାରତ ଖୁବ୍ କ୍ୟାଚିଂ ଅଭ୍ୟାସ କରିଛି। ଏହାଛଡ଼ା ଟିମର ବୋଲିଂରେ ମଧ୍ୟ ସେଭଳି ଗଭୀରତା ଦେଖିବାକୁ ମିଳିନାହିଁ। କେବଳ ମହମ୍ମଦ ଶାମିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିନାହାନ୍ତି। ବାରବାଟୀରେ ହୁଏତ କ୍ୟାପଟେନ୍ କୋହଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନପାରନ୍ତି। ଯଦି କୌଣସି ପରିବର୍ତ୍ତନ ନହୁଏ, ତାହେଲେ ୟୁଜବେନ୍ଦ୍ର ଚହଲଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ।

୧୩ ବର୍ଷ ହେବ ଜିତିନି ୱେଷ୍ଟଇଣ୍ଡିଜ୍‌: ୱେଷ୍ଟଇଣ୍ଡିଜ୍ ଟିମ୍ ୧୩ ବର୍ଷ ହେବ ଭାରତରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଜିତି ନାହିଁ। ତେଣୁ ୱେଷ୍ଟଇଣ୍ଡିଜ୍ ଟିମ୍ ଏହି ଦୀର୍ଘଦିନର ବ୍ୟବଧାନର ଅନ୍ତ ଘଟାଇବାକୁ ଚାହିଁବ। ଟିମ୍ ପାଇଁ ବୋଲିଂ ମୁଖ୍ୟ ସମସ୍ୟା। ଶେଲଡନ୍ କଟ୍ଟରେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲରଙ୍କ ପାଖରେ ନିରନ୍ତରତା ଦେଖିବାକୁ ମିଳିନାହିଁ। ଭାରତର ଶକ୍ତିଶାଳୀ ବ୍ୟାଟିଂଲାଇନକୁ ରୋକିବାକୁ ହେଲେ ଟିମର ବୋଲିଂ ଆଟାକକୁ ମଜଭୁତ୍ କରିବାକୁ ପଡ଼ିବ। ତେବେ ଭ୍ରମଣକାରୀ ଟିମର ବ୍ୟାଟିଂଲାଇନ୍ ଏବେ ବହୁତ ଦମଦାର ରହିଛି। ବିଶେଷକରି ଯୁବ ବ୍ୟାଟ୍ସମ୍ୟାନ୍ ଶାଇ ହୋପ୍‌, ଶିମରନ୍ ହେଟମେୟର୍ ଓ ନିକୋଲାସ ପୁରନଙ୍କ ଉପସ୍ଥିତି ଟିମକୁ ଏକ ନୂଆ ଊର୍ଜ୍ଜା ଦେଇଛି। ଆଇପିଏଲ୍ ନିଲାମୀରେ ଦିଲ୍ଲୀ କ୍ୟାପିଟାଲ୍ସ ହେଟମେୟରଙ୍କୁ ୭.୭୫ କୋଟି ଟଙ୍କାର କିଣିଛି। ତାଙ୍କ ସାଥୀ ଖେଳାଳି କଟ୍ଟରେଲଙ୍କୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୮.୫ କୋଟି ଟଙ୍କାରେ କିଣିଛି। ଆଇପିଏଲରେ ମୋଟା ଅଙ୍କରେ ନିଲାମ ହେବା ପରେ ଦୁଇ ଇଣ୍ଡିଜ୍ ଖେଳାଳିଙ୍କ ମନୋବଳ ନିଶ୍ଚିତ ବୃଦ୍ଧି ପାଇଛି।

ଖୁବ୍ ରନ୍ ବର୍ଷିବ: ବିଶାଖାପାଟଣା ଭଳି ବାରବାଟୀ ଷ୍ଟାଡିୟମରେ ମଧ୍ୟ ରନ୍ ଭୋଜି ହେବ। ବାରବାଟୀରେ ଖେଳାଯାଇଥିବା ଶେଷ ଦୁଇଟି ଦିନିକିଆ ମ୍ୟାଚରେ ଖୁବ୍ ରନ୍ ବର୍ଷିଥିଲା। ତେଣୁ ଏଥର ପିଚରେ କୌଣସି ପରିବର୍ତ୍ତନ କରିଯାଇ ନାହିଁ। ପିଚ୍ କ୍ୟୁରେଟର୍ ପଙ୍କଜ ପଟ୍ଟନାୟକଙ୍କ ମତରେ, ଗତଥର ଏଠାରେ ଯେଉଁ ପିଚରେ ମ୍ୟାଚ୍ ହୋଇଥିଲା, ସେହି ପିଚରେ ପୁଣି ଖେଳାଯିବ। ପିଚ୍ ନିଶ୍ଚିତ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ତେଣୁ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରିବ, ସେହି ଦଳ ବଡ଼ ସ୍କୋର କରିବ। ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଟିମ୍ ପାଇଁ ବଡ଼ ଲକ୍ଷ୍ୟକୁ ପିଛା କରିବା ସହଜ ହେବନି।

କାକର ତୁଲାଇବା ନିର୍ଣ୍ଣାୟକ ଭୂମିକା: ଯେହେତୁ ଶୀତ ଦିନରେ ମ୍ୟାଚ୍ ଆୟୋଜିତ ହେଉଛି, ତେଣୁ ଗ୍ରାଉଣ୍ଡରେ କାକର ରହିବା ସ୍ୱାଭାବିକ। ଗ୍ରାଉଣ୍ଡରେ କାକର ରହିବା ଦ୍ୱାରା ଦ୍ୱିତୀୟ ଇନିଂସରେ ବୋଲିଂ କରୁଥିବା ଟିମ୍ ପାଇଁ ସାମାନ୍ୟ ସମସ୍ୟା ହେବ। ବିଶେଷକରି ସ୍ପିନରମାନଙ୍କୁ ଗ୍ରିପରେ ବୋଲିଂ କରିବା କଷ୍ଟକର ହେବ। କାକରରୁ ରକ୍ଷା ପାଇବା ପାଇଁ ଷ୍ଟାଡିୟମରେ ବ୍ୟବସ୍ଥା କରାଯାଇଛି । ମ୍ୟାଚର ବ୍ରେକ୍ ସମୟରେ ଗ୍ରାଉଣ୍ଡ କର୍ମକର୍ତ୍ତା ଦଉଡ଼ି ସାହାଯ୍ୟରେ କାକରକୁ ହଟାଇବେ।

ସମ୍ଭାବ୍ୟ ଦଳ
ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିରାଟ୍‌ କୋହଲି (କ୍ୟାପଟେନ୍), ଶ୍ରେୟସ୍ ଆୟର୍, ଋଷଭ ପନ୍ତ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନଭଦୀପ ସାଇନି, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର/ୟୁଜବେନ୍ଦ୍ର ଚହଲ୍।
ୱେଷ୍ଟଇଣ୍ଡିଜ୍: ଏଭିନ୍ ଲୁଇସ୍, ଶାଇ ହୋପ, ଶିମରନ୍ ହେଟମେୟର, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, କାଇରନ୍ ପୋଲାର୍ଡ (କ୍ୟାପଟେନ୍), ଜେସନ୍ ହୋଲ୍ଡର, ଅଲଜାରି ଜୋସେଫ୍, ଖାରୀ ପିଏରୀ, ଶେଲଡନ୍ କଟ୍ଟରେଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos