ନୂଆଦିଲ୍ଲୀ: ବିଶ୍ୱକପକୁ କ୍ରିକେଟର ମହାକୁମ୍ଭ କୁହାଯାଏ। ଏହି ମହାକୁମ୍ଭରେ ସାମିଲ୍ ହେବା ପ୍ରତି କ୍ରିକେଟରଙ୍କ ସ୍ୱପ୍ନ ରହିଥାଏ। ଯେପରି ଭିଭିଆନ୍ ରିଚାର୍ଡ୍ସ, ସଚିନ ତେନ୍ଦୁଲକର ଓ ଶେନ୍ ୱାର୍ଣ୍ଣ ସବୁ ଫର୍ମାଟରେ ସଫଳତା ଅର୍ଜନ କରିଛନ୍ତି। ତେବେ କିଛି ଖେଳାଳି ଟେଷ୍ଟ କ୍ରିକେଟରେ ତ ସଫଳ, କିନ୍ତୁ ସୀମିତ ଓଭରରେ ସେତେଟା ପ୍ରଭାବ ପକାଇପାରି ନାହାନ୍ତି। ଏହି ଖେଳାଳିମାନଙ୍କ ପାଖରେ ପ୍ରତିଭାର କୌଣସି ଅଭାବ ନାହିଁ, କିନ୍ତୁ ସେମାନେ କେବେବି ବିଶ୍ୱକପ୍ ଟିମରେ ସ୍ଥାନ ପାଇନାହାନ୍ତି। ଆସନ୍ତୁ ଜାଣିବା ସେହି ୫ ବଡ଼ ଖେଳାଳି, ଯେଉଁମାନେ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି।
ଭିଭିଏସ୍ ଲକ୍ଷ୍ମଣ: ଭାରତୀୟ କ୍ରିକେଟ୍ ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ୍ ଡ୍ରାଭିଡ୍ ଓ ସୌରଭ ଗାଙ୍ଗୁଲିଙ୍କ ସହ କେଳିଛନ୍ତି। ମହମ୍ମଦ ଆଝାରୁଦ୍ଦିନଙ୍କ ଭଳି ଲକ୍ଷ୍ମଣ ଟେକନିକରେ ମାହିର୍। ସେ ୧୯୯୬ରେ ଡେବ୍ୟୁ କରିଥିଲେ ଏବଂ ୧୬ ବର୍ଷ ଧରି ଭାରତର ପ୍ରତିନିଧିତ୍ୱ କରିଥିଲେ।
ଆଲିଷ୍ଟର କୁକ୍: ଇଂଲଣ୍ଡର ପୂର୍ବତନ ଟେଷ୍ଟ କ୍ୟାପଟେନ୍ ଆଲିଷ୍ଟର କୁକ୍ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା କୁକ୍ ୧୨ ବର୍ଷ ପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ସେବା କରିଥିଲେ। ଯେଉଁଥିରେ ୧୬୧ ଟେଷ୍ଟ ମ୍ୟାଚ୍ ଖେଳି ୪୫.୩୫ ହାରରେ ୧୨,୪୭୨ ରନ୍ କରିଛନ୍ତି।
କ୍ରିସ୍ ମାର୍ଟିନ୍: ନ୍ୟୁଜିଲ୍ୟାଣ୍ଡର ଏହି ପେସ ବୋଲରଙ୍କୁ ଟେଷ୍ଟ କ୍ରିକେଟରେ ବେଶ୍ ଭଲ ସଫଳତା ମିଳିଛି। ୨୦୦୦ ମସିହାରେ ପଦାର୍ପଣ କରିଥିବା ଏହି ଡାହାଣହାତୀ ପେସ୍ ବୋଲର ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୭୧ ଟେଷ୍ଟ ମ୍ୟାଚରେ ୨୩୩ ୱିକେଟ୍ ନେଇଛନ୍ତି।
ମାଥ୍ୟୁ ହୋଗାର୍ଡ: ୨୦୦୦ ମସିହାରେ ଡେବ୍ୟୁ କରିଥିବା ଇଂଲଣ୍ଡର ଏହି ପେସ୍ ବୋଲର ୮ ବର୍ଷ ଜାତୀୟ ଦଳର ସେବା କରିଛନ୍ତି। ସେ ଇଂଲଣ୍ଡ ପକ୍ଷରୁ ୬୭ ଟେଷ୍ଟରେ ୨୪୮ ୱିକେଟ୍ ହାସଲ କରିଛନ୍ତି। ସେ ଜଣେ ସଫଳ ଟେଷ୍ଟ କ୍ରିକେଟର, କିନ୍ତୁ ଦିନିକିଆରେ ତାଙ୍କର ଏହି ପ୍ରତିଫଳନ ଦେଖିବାକୁ ମିଳିନଥିଲା।
ଜଷ୍ଟିନ୍ ଲାଙ୍ଗର: ଲାଙ୍ଗର ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ଓପନିଂ ବ୍ୟାଟ୍ସମ୍ୟାନ୍। ସେ ଓ ମାଥ୍ୟୁ ହେଡେନଙ୍କ ଓପନିଂ ଯୋଡ଼ି ବେଶ୍ ପରିଚିତ ଥିଲା ଏବଂ ଦୁହେଁ ୧୧୩ ଟେଷ୍ଟ ମ୍ୟାଚରେ ୫୧.୮୮ ହାରରେ ୫୬୫୫ ରନ୍ କରିଛନ୍ତି। ଲାଙ୍ଗର ଅଷ୍ଟ୍ରେଲିଆ ପକ୍ଷରୁ ୧୦୫ ଟେଷ୍ଟ ମ୍ୟାଚ୍ ଖେଳି ୪୫.୨୭ ହାରରେ ୭୬୯୬ ରନ୍ କରିଛନ୍ତି।