କ୍ୱାଣ୍ଟନ: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ ହୋଇଛି। ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ୩-୨ ଗୋଲରେ ପାକିସ୍ତାନକୁ ହରାଇ ଦ୍ୱିତୀୟ ଥର ପାଇଁ ଏହି ଟ୍ରଫି ହାସଲ କରିଛି।
ମ୍ୟାଚ୍ର ପ୍ରଥମାର୍ଦ୍ଧ ବହୁତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଟିମ୍ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ କେହି ଗୋଲ୍ ଦେବାକୁ ସକ୍ଷମ ହୋଇ ନ ଥିଲେ। ଦ୍ୱିତୀୟାର୍ଦ୍ଧର ୧୮ ତମ ଓ ୨୩ ତମ ମିନିଟ୍ରେ ଭାରତ ୨ଟି ଗୋଲ୍ ଦେଇ ୨-୦ରେ ଅଗ୍ରଣୀ ରହିଥିଲା। ଏହାପରେ ପାକିସ୍ତାନ ପଲଟା ଆକ୍ରମଣ କରିଥିଲା। ୨୬ତମ ଓ ୩୮ ତମ ମିନିଟ୍ରେ ପାକିସ୍ତାନ ୨ଟି ଗୋଲ ଦେଇ ସ୍ଥିତି ୨-୨କୁ ବରାବର କରି ଦେଇଥିଲା। ମ୍ୟାଚ୍ର ୫୩ ତମ ମିନିଟ୍ରେ ଭାରତ ପକ୍ଷରୁ ନିତିନ୍ ତୃତୀୟ ଗୋଲ୍ ଦେଇ ଭାରତକୁ ୩-୨ରେ ବିଜୟୀ କରାଇଥିଲେ।
ପୂର୍ବରୁ ୨୦୧୧ରେ ପ୍ରଥମ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ୍ ହୋଇଥିଲା। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ ହୋଇଥିଲା। ୨୦୧୪ ଓ ୨୦୧୫ରେ ଏହି ଟୁର୍ଣ୍ଣାମେଣ୍ଟ୍ ହୋଇ ନ ଥିଲା।