ଦକ୍ଷିଣ ଆଫ୍ରିକାର ଆତ୍ମସପର୍ମଣ, ସିରିଜ୍ କବଜା କଲା କଙ୍ଗାରୁ ଟିମ୍‌

କେପ୍ ଟାଉନ୍‌: କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ସାଙ୍ଗକୁ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୯୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ ଦକ୍ଷିଣ […]

aus

Ranjit Kumar Jena
  • Published: Thursday, 27 February 2020
  • , Updated: 27 February 2020, 05:32 PM IST

କେପ୍ ଟାଉନ୍‌: କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ସାଙ୍ଗକୁ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୯୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଭ୍ରମଣକାରୀ ଟିମର ବୋଲିଂ ଆଗରେ ଆତ୍ମସମର୍ପଣ କରି ୧୫.୩ ଓଭରରେ ମାତ୍ର ୯୬ ରନ୍ କରି ଅଲଆଉଟ୍ ହୋଇଥିଲା। ଦକ୍ଷିଣ ଆଫ୍ରିକାକୁ ଝଟକା ଦେଇଥିବା ବାମହାତୀ ପେସର୍ ଷ୍ଟାର୍କ (୩/୨୩) ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ଅଷ୍ଟ୍ରେଲିଆ କ୍ୟାପଟେନ୍ ଫିଞ୍ଚ୍ ପ୍ଲେୟର୍ ଅଫ୍ ଦି ସିରିଜ୍ ହୋଇଛନ୍ତି।

ନ୍ୟୁଲ୍ୟାଣ୍ଡସରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଥିଲେ ୱାର୍ଣ୍ଣର୍ ଓ ଫିଞ୍ଚ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୨୦ ରନର ବଡ଼ ଭାଗୀଦାରୀ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ଦେଇଥିଲେ। ୱାର୍ଣ୍ଣର୍ ୩୭ ବଲରେ ୫ ଚୌକା ଓ ୨ ଛକା ସହାୟତାରେ ୫୭ ଓ ଫିଞ୍ଚ୍ ୩୭ ବଲରେ ୬ ଚୌକା ଓ ୧ ଛକା ବଳରେ ୫୫ ରନ୍ କରି ଆଉଟ୍ ହୋଇଥିଲେ।

ମିଡିଲ୍ ଅର୍ଡରରେ ମାଥ୍ୟୁ ୱେଡ୍ (୧୦) ଓ ମିଚେଲ୍ ମାର୍ଶ (୧୯) ଓ ଆଲେକ୍ସ କ୍ୟାରୀ (୭) ନିରାଶ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ଦ୍ରୁତ ୩୦ (୧୫ ବଲ୍‌, ୨ ଛକା) ରନ୍ କରି ନିଜ ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା, ଆନରିଚ୍ ନୋର୍ଟଜେ, ଲୁଙ୍ଗି ଏନଗିଡି, ଡ୍ୱେନ୍ ପ୍ରିଟୋରିଅସ୍ ଓ ତାବରେଜ୍ ଶାମସୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହି ବଡ଼ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଘରୋଇ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଦୃଢ଼ତାର ସହ ଛିଡ଼ା ହୋଇପାରିନଥିଲେ। ରାସି ଭାନ୍ ଡର୍ ଡୁସେନ୍ ସର୍ବାଧିକ ୨୪ ରନ୍‌, ହେନରିଚ୍ କ୍ଲାସେନ୍ ୨୨, ଡେଭିଡ୍ ମିଲର୍ ୧୫ ଓ ପ୍ରିଟୋରିଅସ୍ ୧୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଅଷ୍ଟନ୍ ଅଗର୍ ୩ଟି ଓ ଆଡାମ ଜାମ୍ପା ୨ଟି ୱିକେଟ୍ ହାସଲ କରିଥିଲେ।

Related story