ଅଣ୍ଡର୍‌-୧୯ ବିଶ୍ୱକପ୍‌: ଭାରତ-ବାଂଲାଦେଶ ଫାଇନାଲ୍ ଟକ୍କର

ପୋଚେଫଷ୍ଟ୍ରୁମ୍‌: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଦୁଇ ଏସୀୟ ଟିମ୍ ଭାରତ ଓ ବାଂଲାଦେଶ ଯୁବ ବିଶ୍ୱକପ୍ ଟାଇଟଲ୍ ଲଢ଼େଇ ପାଇଁ ଅବତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ଦ୍ୱିତୀୟ ସେମିଫାଇନାଲ୍ ମୁକାବିଲାରେ ବୋଲରଙ୍କ କମାଲ୍ ପରେ ମହମଦୁଲ୍ଲ ହାସନ୍ ଜୟ (୧୦୦)ଙ୍କ ଆକର୍ଷଣୀୟ ଶତକ ବଳରେ ବାଂଲାଦେଶ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇ ପ୍ରଥମଥର ଲାଗି ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ବାଂଲାଦେଶ ୨୦୧୬ ସଂସ୍କରଣର ସେମିଫାଇନାଲରେ ହାରିଯାଇଥିଲା। କିନ୍ତୁ ତୃତୀୟ ସ୍ଥାନ […]

joy

Ranjit Kumar Jena
  • Published: Thursday, 06 February 2020
  • , Updated: 06 February 2020, 08:47 PM IST

ପୋଚେଫଷ୍ଟ୍ରୁମ୍‌: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଦୁଇ ଏସୀୟ ଟିମ୍ ଭାରତ ଓ ବାଂଲାଦେଶ ଯୁବ ବିଶ୍ୱକପ୍ ଟାଇଟଲ୍ ଲଢ଼େଇ ପାଇଁ ଅବତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ଦ୍ୱିତୀୟ ସେମିଫାଇନାଲ୍ ମୁକାବିଲାରେ ବୋଲରଙ୍କ କମାଲ୍ ପରେ ମହମଦୁଲ୍ଲ ହାସନ୍ ଜୟ (୧୦୦)ଙ୍କ ଆକର୍ଷଣୀୟ ଶତକ ବଳରେ ବାଂଲାଦେଶ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇ ପ୍ରଥମଥର ଲାଗି ବିଶ୍ୱକପର ଫାଇନାଲରେ ପହଞ୍ଚିଛି।

ଏହା ପୂର୍ବରୁ ବାଂଲାଦେଶ ୨୦୧୬ ସଂସ୍କରଣର ସେମିଫାଇନାଲରେ ହାରିଯାଇଥିଲା। କିନ୍ତୁ ତୃତୀୟ ସ୍ଥାନ ମୁକାବିଲାରେ ବାଂଲାଦେଶ ଶ୍ରୀଲଙ୍କାକୁ ହରାଇଥିଲା। ଚଳିତ ବିଶ୍ୱକପର ଦ୍ୱିତୀୟ ସେମିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ନ୍ୟୁଜିଲ୍ୟାଣ୍ଡ୍ ଦଳକୁ ୫୦ ଓଭରରେ ୮ ୱିକେଟରେ ୨୧୧ ରନରେ ସୀମିତ ରଖିଥିଲା। ଜବାବରେ ବାଂଲାଦେଶ ୪୪.୧ ଓଭରରେ ୪ ୱିକେଟ୍ ହରାଇ ୨୧୫ ରନ୍ କରି ବିଜୟୀ ହୋଇଛ।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ଆରମ୍ଭରୁ ହିଁ ତା'ର ଶୀର୍ଷ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ରାଇସ୍ ମାରିଉ ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଓଲି ହ୍ୱାଇଟ୍ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଫର୍ଗୁସ୍ ଲେଲମ୍ୟାନ୍ (୨୪) ଓ କ୍ୟାନଟେନ୍ ଜେସି ଟାଶକଫ୍ (୧୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ବେକହାମ୍ ହ୍ୱିଲର୍‌-ଗ୍ରୀନାଲ୍ ଓ ନିକୋଲାସ ଲିଡଷ୍ଟୋନ୍ ପଞ୍ଚମ ୱିକେଟ୍ ପାଇଁ ୬୭ ରନର ଭାଗୀଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ପୁଣିଥରେ ନ୍ୟୁଜିଲ୍ୟାଣ୍ଡର ରନରେ ଅଙ୍କୁଶ ଲାଗିଥିଲା।

ହ୍ୱିଲର-ଗ୍ରୀନାଲ୍ ସର୍ବାଧିକ ୭୫ (୮୩ ବଲ୍‌, ୫ ଚୌକା, ୨ ଛକା) ରନ୍ କରି ଅପରାଜିତ ଥିବା ବେଳେ ଲିଡଷ୍ଟୋନ୍ ୪୪ ରନ୍ କରି ଆଉଟ୍ ହୋଇଥିଲେ। ନିମ୍ନକ୍ରମରେ ଜୋଏ ଫିଲ୍ଡ ୧୨, କ୍ରିଷ୍ଟିଆନ୍ କ୍ଲାର୍କ ୭ ଓ କ୍ୱିନ୍ ସୁଣ୍ଡେ ୧ ରନ୍ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ଶୋରିଫୁଲ୍ ଇସଲାମ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶାମିମ୍ ହୁସେନ୍ ଓ ହାସନ୍ ମୁରାଦ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୨୧୨ ରନର ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୁଇ ଓପ୍ନର ପରଭେଜ୍ ହୁସେନ୍ ଇମନ୍ (୧୪) ଓ ତାନଜିଦ୍ ହାସନ୍ (୩) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। କିନ୍ତୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମହମଦୁଲ୍ ହାସନ୍ ଜୟ ଦମଦାର ବ୍ୟାଟିଂ କରିଥିଲେ ଏବଂ ଦଳକୁ ବିଜୟୀ ଅଭିମୁଖେ ନେଇଥିଲେ। ସେ ତୃତୀୟ ୱିକେଟ୍ ପାଇଁ ତୋହିଦ୍ ହୃଦୟଙ୍କ ସହ ୬୮ ଏବଂ ଶାହାଦତ୍ ହୁସେନଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୦୧ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ।

ମହମଦୁଲ୍ ଶତକ ମାରିବା ପରେ ନିଜ ୱିକେଟ୍ ହରାଇ ବସିଥିଲେ। ମହମଦୁଲ୍ଲ ୧୨୭ ବଲରେ ୧୩ ଚୌକା ମାରିଥିଲେ। ଏହା ପରେ ଶାହାଦତ୍ (୪୦) ଓ ଶାମିମ୍ (୫) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ତୋହିଦ୍ ୪୦ ରନ୍ କରି ଆଉଟ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ କ୍ଲାର୍କ, ଡେଭିଡ୍ ହାନକକ୍‌, ଆଦିତ୍ୟ ଅଶୋକ ଓ ଟାଶକଫ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story