ମୁମ୍ବାଇ: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜୀବୁର ରେହମାନଙ୍କ ୧୦୦ତମ ଜୟନ୍ତୀ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଆୟୋଜନ କରିବ।
ଏସିଆ ଏକାଦଶ ଟିମ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତର ଚାରିଜଣ ଖେଳାଳିଙ୍କ ନାଁ ପଠାଇଛି। ଏହି ଖେଳାଳିଙ୍କ ମଧ୍ୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି, ଶିଖର ଧୱନ୍, କୁଲଦୀପ ଯାଦବ ଓ ମହମ୍ମଦ ଶାମି ରହିଛନ୍ତି।
ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିସିବିର ଅନୁରୋଧ ପରେ ଗାଙ୍ଗୁଲି ଭାରତର ଚାରିଜଣ ଖେଳାଳିଙ୍କୁ ଏସିଆ ଏକାଦଶ ଟିମ୍ ପାଇଁ ମନୋନୀତ କରିଛନ୍ତି। ସୂଚନାଯୋଗ୍ୟ ଏହି ଦୁଇଟି ଯାକ ମ୍ୟାଚ୍ ଢାକାର ଶେର୍-ଇ-ବାଂଲା ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନର କୌଣସି ଖେଳାଳିଙ୍କୁ ସାମିଲ୍ କରାଯିବ ନାହିଁ।