ଚେନ୍ନାଇ ସୁପର କିଙ୍ଗ୍ସ ହାତେଇଲା IPL-୨୦୧୮ ଟାଇଟଲ୍। ସନରାଇଜର୍ସକୁ ୮ ୱିକେଟରେ ହରାଇ ଚେନ୍ନାଇ ଚାମ୍ପିଅନ୍ ହୋଇଛି। ଫାଇନାଲରେ ସେନ୍ ୱାଟସନଙ୍କ ଜବରଦସ୍ତ ଶତକୀୟ ଇଂନିସ ବଳରେ ବିଜୟୀ ହୋଇଛି ଧୋନୀ ବାହିନୀ। ୫୭ଟି ବଲରୁ ୧୧ଟି ଚୌକା , ୮ଟି ଛକା ଜରିଆରେ ୧୧୭ ରନ୍ ସଂଗ୍ରହ କରି ଦଳକୁ ଚାମ୍ପିୟନ କରାଇଛନ୍ତି ୱାଟ୍ସନ। ୱାଟ୍ସନଙ୍କ ବିସ୍ଫୋରକ ଇଂନିସ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।
ଆଜିର ଫାଇନାଲ୍ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୬ ଓ୍ୱିକେଟ୍ ବିନିମୟରେ ୧୭୮ ରନ୍ ସଂଗ୍ରହ କରିଥିଲା। ଏହାପରେ ୧୭୯ରନ୍ ବିଜୟ ଲକ୍ଷ୍ୟର ପିଛା କରି ମାତ୍ର ୨ଟି ଓ୍ୱିକେଟ୍ ହରାଇ ୧୮୧ ରନ୍ କରିବାରେ ସମର୍ଥ ହୋଇଥିଲା ଚେନ୍ନାଇ। ଚେନ୍ନାଇ ସୁପର୍ କିଙ୍ଗସ୍ ସପ୍ତମ ଥର ପାଇଁ ଫାଇନାଲ୍ ଖେଳି ୩ୟ ଥର ପାଇଁ ଚାମ୍ପିଅନ୍ ହୋଇଛି। ୨୦୧୦ ଓ ୨୦୧୧ରେ ଚାମ୍ପିଅନ୍ ହେବା ସହ ୨୦୦୮, ୨୦୧୨, ୨୦୧୩, ୨୦୧୫ରେ ରନର୍ସଅପ୍ ହୋଇଥିଲା ସିଏସ୍କେ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୩ ଥର ଚାମ୍ପିୟନ ହୋଇଥିଲା।
ଅରେଞ୍ଜ କ୍ୟାପ୍: ଆଇପିଏଲ୍ରେ ଆକର୍ଷଣୀୟ ବ୍ୟାଟିଂ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ୱିଲିୟମସନ ଅରେଞ୍ଜ କ୍ୟାପ୍ ନିଜ ନାଁରେ କରିଛନ୍ତି। ସେ ପ୍ରତିଯୋଗିତାରେ ସର୍ବାଧିକ ୭୩୫ ରନ କରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି।
ସୁପର ଷ୍ଟ୍ରାଇକର୍: ସୁନିଲ ନାରେନଙ୍କୁ ସୁପର ଷ୍ଟ୍ରାଇକର୍ ଆୱାର୍ଡ ପ୍ରଦାନ କରାଯାଇଛି। ବୋଲିଂ ଓ ବ୍ୟାଟିଂରେ ସେ ନିଜର ଦବ୍ଦବା ଜାହିର କରିଥିଲେ। ସୁନିଲ ୨୦୧୮ ଆଇପିଏଲ୍ରେ ମଷ୍ଟ୍ ଭେଲ୍ୟୁଏବୁଲ୍ ପ୍ଲେୟାର ମଧ୍ୟ ହୋଇଛନ୍ତି।
ପର୍ଫେକ୍ଟ କ୍ୟାଚ୍ ଅଫ୍ ଦି ସିଜିନ: ୨୦୧୮ ଆଇପିଏଲ୍ରେ ପରଫେକ୍ଟ କ୍ୟାଚ୍ ଅଫ୍ ଦି ସିଜିନ ଆୱାର୍ଡ ଟ୍ରେଣ୍ଟ ବୋଲ୍ଟଙ୍କୁ ମିଳିଛି। ଆର୍ସିବି ବିପକ୍ଷରେ ବାଉଣ୍ଡ୍ରି ଲାଇନ୍ ନିକଟରେ ଏକ ଆକର୍ଷଣୀୟ କ୍ୟାଚ୍ ନେଇ ବିରାଟ କୋହଲିଙ୍କୁ ଆଉଟ୍ କରିଥିଲେ ବୋଲ୍ଟ।
ଫେୟାର୍ପ୍ଲେ ଆୱାର୍ଡ: ଆଇପିଏଲ୍ ଫେୟାର୍ପ୍ଲେ ଆୱାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍କୁ ମିଳିଛି।
ଇନୋଭେଟିବ୍ କ୍ୟାପଟେନ୍ ଆୱାର୍ଡ: ଇନୋଭେଟିବ୍ କ୍ୟାପଟେନ୍ ଆୱାର୍ଡ ସିଏସ୍କେ ଅଧିନାୟକ ଧୋନୀଙ୍କୁ ମିଳିଛି।