ବିଜୟନଗରମ: ଦକ୍ଷିଣ ଆଫ୍ରିକା ଓ ଭାରତ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ଅଭ୍ୟାସ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ବର୍ଷା ଯୋଗୁ ଗୋଟିଏ ଦିନର ଖେଳ ବାତିଲ ହୋଇଥିବା ବେଳେ ବଳକା ଦୁଇ ଦିନରେ ଦକ୍ଷିଣ ଆଫ୍ରିକାର ଦବଦବା ଦେଖିବାକୁ ମିଳିଛି।
ଅକ୍ଟୋବର ୨ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଏହି ସିରିଜ୍ରେ ରୋହିତ ଶର୍ମା ପ୍ରଥମଥର ପାଇଁ ରେଡ୍ ବଲ କ୍ରିକେଟରେ ଓପନିଂ କରିବେ। ଏଥିପାଇଁ ଅଭ୍ୟାସ ମ୍ୟାଚ୍ରେ ରୋହିତ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ରୋହିତ ମାତ୍ର ୨ଟି ବଲ ଖେଳିବାକୁ ସକ୍ଷମ ହୋଇଛନ୍ତି। ଖାତା ଖୋଲିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଭେରନନ୍ ଫିଲାଣ୍ଡର ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି।
ତେବେ ଯୁବ ଖେଳାଳି ପ୍ରିୟଙ୍କ ପଞ୍ଚଲ, କେଏସ୍ ଭାରତ ଓ ସିଦ୍ଧେଶ ଲାଡଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ବୋର୍ଡ ସଭାପତି ଏକାଦଶ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ୍ ସ୍କୋରର ନିକଟତର ହେବା ସହ ମ୍ୟାଚ୍କୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା।
ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସ୍ରେ ଆଡେନ୍ ମର୍କରାମଙ୍କ ଦମଦାର ଶତକ ଓ ତେମ୍ବା ବାଭୁମାଙ୍କ ଅପରାଜିତ ୮୭ ରନ୍ ବଳରେ ୬ ୱିକେଟ୍ ହରାଇ ୨୭୯ ରନ୍ କରିବା ପରେ ଆଜି ପାଳି ଘୋଷଣା କରିଥିଲା।
ଏହାପରେ ବୋର୍ଡ ସଭାପତି ଏକାଦଶର ବ୍ୟାଟସମ୍ୟାନ୍ମାନେ ଫିଲାଣ୍ଡର ଓ କାଗିସୋ ରବାଡାଙ୍କୁ ସାମ୍ନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ରୋହିତ(୦) ପ୍ୟାଭିଲିୟନ ଫେରିଥିଲେ। ଏଆର ଈଶଶ୍ୱରନ୍ ମାତ୍ର ୧୩ ରନ୍ କରି ରବାଡାଙ୍କ ଶିକାର ହୋଇଥିଲେ। କିଛି ସମୟ ପାଇଁ ମୟଙ୍କ ଅଗ୍ରୱାଲ ଓ ଯୁବ ତାରକା ପ୍ରିୟଙ୍କ ପଞ୍ଚଲ ଦଳ ସ୍ଥିତି ସମ୍ଭାଳିଥିଲେ। ଦଳୀୟ ସ୍କୋର ୮୫ ଥିବା ବେଳେ ବ୍ୟକ୍ତିଗତ ୩୯ ରନ୍ କରି ମୟଙ୍କ ସ୍ପିନର କେଶବ ମହାରାଜଙ୍କ ବଲରେ ଆଉଟ୍ ହୋଇଯାଇଥିଲେ।
କରୁଣ ନାୟର(୧୯) ମଧ୍ୟ ବେଶୀ ସମୟ କ୍ରିଜ୍ରେ ତିଷ୍ଟ ପାରି ନଥିଲେ। ଭଲ ବ୍ୟାଟିଂ କରୁଥିବା ପଞ୍ଚଲ(୬୦) ନିଜର ଅର୍ଦ୍ଧଶତକ ହାସଲ କରି କ୍ରିଜ୍ରେ ଜମି ଆସୁଥିବା ବେଳେ ତାଙ୍କୁ ଫିଲାଣ୍ଡର ଆଉଟ୍ କରିଦେଇଥିଲେ। କିନ୍ତ ଦୁଇ ଯବ ତାରକା କେଏସ୍ ଭାରତ ଓ ସିଦ୍ଧେଶ ଲାଡ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ଉଭୟ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କଡ଼ା ମୁକାବିଲା କରି ଦଳର ସ୍କୋରକୁ ଆଗକୁ ନେଇଥିଲେ।
ଲାଡ ଶେଷ ଯାଏ ୫୨ ରନ୍ କରି ଅପରାଜିତ ରହିଥିବା ବେଳେ ଭାରତ ୭୧ ରନ୍ କରି ମହାରାଜଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଜଲଜ ସାକ୍ସେନା ୨ ଓ ଧର୍ମେନ୍ଦ୍ର ସିଂହ ଜାଡେଜା ୧ ମଧ୍ୟ ନିରାଶ କରିଥିଲେ।
ବୋର୍ଡ ସଭାପତି ଏକାଦଶର ସ୍କୋର ୨୬୫/୮ ଥିବା ବେଳେ ଅମ୍ପାୟାର ଷ୍ଟମ୍ପ ଅପସାରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ମ୍ୟାଚ୍ଟି ଡ୍ରରେ ଶେଷ ହୋଇଥିଲା। ମ୍ୟାଚ୍ ଡ୍ର ହୋଇଥିଲେ ହେଁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାର ମନୋବଳ ଅକ୍ଟୋବର ୨ ମୁକାବିଲା ପୂର୍ବରୁ ଯଥେଷ୍ଟ ବୃଦ୍ଧି ପାଇଛି।