ଅଭ୍ୟାସ ମ୍ୟାଚରେ ମର୍କରାମଙ୍କ ଦମଦାର ଶତକ

ବିଜୟନଗର: ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟ ତିନିଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଧୋଇ ଦେଇଥିବା ବେଳେ ଶୁକ୍ରବାର ଦ୍ୱିତୀୟ ଦିବସରେ ମାତ୍ର ୫୦ ଓଭର ଖେଳ ସମ୍ଭବ ହୋଇଛି। ଏଥିରେ ଦକ୍ଷିଣ ଆଫ୍ରିକା ଆଇଡେନ୍ ମର୍କରାମଙ୍କ ଦମଦାର ଶତକ ବଳରେ ୪ ୱିକେଟ୍ ହରାଇ ୧୯୯ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ତେମ୍ବା ବାଭୁମା ୫୫ ରନ୍ କରି ଅପରାଜିତ ରହିଛନ୍ତି। ଉକ୍ତ ମ୍ୟାଚରେ […]

markaram

Ranjit Kumar Jena
  • Published: Friday, 27 September 2019
  • , Updated: 27 September 2019, 05:21 PM IST

ବିଜୟନଗର: ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟ ତିନିଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଧୋଇ ଦେଇଥିବା ବେଳେ ଶୁକ୍ରବାର ଦ୍ୱିତୀୟ ଦିବସରେ ମାତ୍ର ୫୦ ଓଭର ଖେଳ ସମ୍ଭବ ହୋଇଛି। ଏଥିରେ ଦକ୍ଷିଣ ଆଫ୍ରିକା ଆଇଡେନ୍ ମର୍କରାମଙ୍କ ଦମଦାର ଶତକ ବଳରେ ୪ ୱିକେଟ୍ ହରାଇ ୧୯୯ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ତେମ୍ବା ବାଭୁମା ୫୫ ରନ୍ କରି ଅପରାଜିତ ରହିଛନ୍ତି।

ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ ପକ୍ଷରୁ ମର୍କରାମ ଓ ଡିନ୍ ଏଲଗାର ଇନିଂସ୍ ଓପନ୍ କରିବାକୁ ଆସିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୨୩ ରନ୍ ଯୋଡ଼ିଥିବା ବେଳେ ଏଲଗାର (୬)ଙ୍କୁ ଉମେଶ ଯାଦବ ଆଉଟ୍ କରି ଘରୋଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଥ୍ୟୁନିସ୍ ଡି' ବ୍ରୁନ୍ ନିରାଶ କରିଥିଲେ।

ସେ ମଧ୍ୟ ୬ ରନ୍ କରି ଇଶାନ୍ ପୋରେଲଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଏହା ପରେ ମର୍କରାମଙ୍କୁ ଜୁବେର୍ ହମଜା କିଛିଟା ସହଯୋଗ କରିଥିଲେ। ତୃତୀୟ ୱିକେଟ୍ ପାଇଁ ଦୁଇ ବ୍ୟାଟ୍ସମ୍ୟାନ୍ ୪୫ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ଏହି ଯୋଡ଼ି ସେଟ୍ ହୋଇଆସୁଥିବା ଧର୍ମେନ୍ଦ୍ରସିଂ ଜାଡେଜା ହମଜାଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାର ତୃତୀୟ ୱିକେଟ୍ ପତନ କରାଇଥିଲେ।

୭୮ ରନରେ ୩ ୱିକେଟ୍ ହରାଇ ଭ୍ରମଣକାରୀ ଦଳ ସଙ୍କଟରେ ପଡ଼ିଥିଲା ବେଳେ ମର୍କରାମ ଓ ବାଭୁମା ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ମର୍କରାମ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୧୮ ବଲରେ ଶତକ ମାରିଥିଲେ। ଶତକ ମାରିବା ପରେ ସେ ରିଟାୟର୍ଡ ହର୍ଟ ହୋଇଥିଲେ। ସେ ୧୧୮ ବଲରେ ୧୮ ଚୌକା ଓ ୨ ଛକା ସହ ୧୦୦ ରନ୍ କରିଥିଲେ। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା-ଏ ଟିମର କ୍ୟାପଟେନ୍ ଭାବେ ମର୍କରାମ ଭାରତ-ଏ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ।

ସେ ମହୀଶୂରରେ ଖେଳାଯାଇଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟରେ ୧୬୧ ରନର ମାରାଥନ୍ ଇନିଂସ୍ ଖେଳିଥିଲେ। ମର୍କରାମଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପଟେନ୍ ଡ୍ୟୁପ୍ଲେସିସ୍ ମାତ୍ର ୯ ରନ୍ କରି ଜାଡେଜାଙ୍କ ଶିକାର ହୋଇଥିଲେ। ଡ୍ୟୁପ୍ଲେସିସଙ୍କ ଆଉଟ୍ ପରେ ଅମ୍ପାୟାର ଦିବସର ଖେଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଭୁମା ୯୨ ବଲରେ ୯ ଚୌକା ସହ ୫୫ ରନରେ ବ୍ୟାଟିଂ କରୁଥିଲେ। ଭାରତୀୟ ବୋର୍ଡ ସଭାପତି ଏକାଦଶ ପକ୍ଷରୁ ଜାଡେଜା ୨ଟି, ଉମେଶ ଓ ପୋରେଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ବର୍ଷା ଯୋଗୁ ମ୍ୟାଚର ପ୍ରଥମ ଦିବସ ଖେଳ ବାତିଲ ହୋଇଥିଲା। ଏପରିକି ଗୁରୁବାର ମ୍ୟାଚର ଟସ୍ ମଧ୍ୟ ପଡ଼ିପାରିନଥିଲା। ତେବେ ଶୁକ୍ରବାର ବର୍ଷା ହୋଇନଥିଲେ ହେଁ, ଆଉଟ୍ ଫିଲ୍ଡ ଓଦା ରହିବାରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଭାରତର ସିନିୟର ଟେଷ୍ଟ ଦଳରେ ସ୍ଥାନ ପାଇଥିବା ରୋହିତ୍ ଶର୍ମା, ଉମେଶ ଯାଦବ ଓ ମୟଙ୍କ ଅଗ୍ରୱାଲ୍ ଏହି ମ୍ୟାଚରେ ବୋର୍ଡ ସଭାପତି ଏକାଦଶ ପକ୍ଷରୁ ଖେଳୁଛନ୍ତି। ବିଶେଷକରି ରୋହିତଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଓହ୍ଲାଇବେ। ଟେଷ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରି ନିଜକୁ ପ୍ରସ୍ତୁତ କରିବାକୁ ଚାହିଁବେ।

Related story