ମହିଳା ବିବିଏଲ୍ ଟ୍ରଫି ବଜାୟ ରଖିଲା ବ୍ରିସବେନ୍ ହିଟ୍‌

ବ୍ରିସବେନ୍‌: ବେଥ୍ ମୁନୀଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବ୍ରିସବେନ୍ ହିଟ୍ କ୍ରମାଗତ ଦ୍ୱିତୀୟଥର ଲାଗି ମହିଳା ବିଗ୍ ବ୍ୟାଶ୍ ଲିଗ୍ (ଡବ୍ଲ୍ୟୁବିବିଏଲ୍‌) ଟାଇଟଲ୍ ଜିତିଛି। ଟାଇଟଲ୍ ଲଢ଼େଇରେ ବ୍ରିସବେନ୍ ହିଟ୍ ୬ ୱିକେଟରେ ଆଡିଲେଡ୍ ଷ୍ଟ୍ରାଇକର୍ସକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଆଡିଲେଡ୍ ଷ୍ଟ୍ରାଇକର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା।

ଦଳ ପକ୍ଷରୁ ଅମାଣ୍ଡା-ଜେଡ୍ ୱେଲିଂଟନ୍ ସର୍ବାଧିକ ୫୫ (୩୩ ବଲ୍‌, ୧୦ ଚୌକା) ରନ୍ କରିଥିବା ବେଳେ ତାହିଲା ମ୍ୟାକଗ୍ରା ୩୩, କ୍ୟାପଟେନ୍ ସୁଜି ବେଟ୍ସ ୨୭, ଟେଗାନ୍ ମ୍ୟାକଫାର୍ଲିନ୍ ୧୮ ଓ ବ୍ରିଜେଟ୍ ପ୍ୟାଟରସନ୍ ୧୨ ରନ୍ କରିଥିଲେ। ବ୍ରିସବେନ୍ ହିଟ୍ ପକ୍ଷରୁ ଜର୍ଜିଆ ପ୍ରେଷ୍ଟ୍ୱିଜ୍ ଓ ଜେସ୍ ଜୋନାସେନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୬୨ ରନର ବିଜୟ ଲକ୍ଷ୍ୟକୁ ବ୍ରିସବେନ୍ ହିଟ୍ ୧୮.୧ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମୁନୀ ସର୍ବାଧିକ ୫୬ (୪୫ ବଲ୍‌, ୫ ଚୌକା) ଓ ଲୌରା ହାରିସ୍ ୧୯ (୧୧ ବଲ୍‌, ୩ ଚୌକା) ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୋନାସେନ୍ ୩୩, ସାମି-ଜୋ ଜନସନ୍ ୨୭ (୧୧ ବଲ୍‌, ୪ ଛକା) ଓ ମ୍ୟାଡୀ ଗ୍ରୀନ୍ ୧୧ ରନ୍ କରି ଆଉଟ୍ ହୋଇଥିଲେ। ଆଡିଲେଡ୍ ପକ୍ଷରୁ ମ୍ୟାକଗ୍ରା ୨ଟି ୱିକେଟ୍ ନେଇଥିଲେ।