ପାକିସ୍ତାନ ଇତିହାସ ରଚିବ ନା ଭାରତ ରେକର୍ଡ ବଜାୟ ରଖିବ

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଆଉ ପାକିସ୍ତାନ ଇତିହାସ ରଚିପାରିବ ନା ଭାରତ ତା’ର ରେକର୍ଡ ଜାରି ରଖିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ତା’ହେଲେ କ’ଣ ଏହି ରେକର୍ଡ, ଆସନ୍ତୁ ସେ ବିଷୟରେ ଜାଣିବା। ଦିନିକିଆରେ ଭାରତ ଓ […]

virat1

virat1

Jitendra Garnayak
  • Published: Sunday, 16 June 2019
  • Updated: 16 June 2019, 10:43 AM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଆଉ ପାକିସ୍ତାନ ଇତିହାସ ରଚିପାରିବ ନା ଭାରତ ତା’ର ରେକର୍ଡ ଜାରି ରଖିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ତା’ହେଲେ କ’ଣ ଏହି ରେକର୍ଡ, ଆସନ୍ତୁ ସେ ବିଷୟରେ ଜାଣିବା।

ଦିନିକିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏଯାବତ୍‌ ୧୩୧ଟି ମ୍ୟାଚ୍ ଖେଳା ଯାଇଛି। ଏଥିରୁ ପାକିସ୍ତାନ ୭୩ଟିରେ ବିଜୟୀ ହୋଇଥିବା ବେଳେ ଭାରତ ୫୪ଟିରେ ଜିତିଛି। ୪ଟି ମ୍ୟାଚ୍‌ର କୌଣସି ଫଳାଫଳ ବାହାରିପାରି ନାହିଁ। ତେବେ ବିଶ୍ୱକପ୍‌ରେ ପୂରା ଭିନ୍ନ ସ୍ଥିତି ରହିଛି। ଯେଉଁମ୍ୟାଚ୍‌ଗୁଡ଼ିକ ବିଶ୍ୱକପ୍‌ରେ ଖେଳା ଯାଇଛି, ସେଥିରେ ଭାରତ ବାଜି ମାରିଛି। ବିଶ୍ୱକପ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ୬ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତ ସବୁଗୁଡ଼ିକରେ ବିଜୟୀ ହୋଇଛି।

ବିଶ୍ୱକପ୍‌ରେ ୧୯୯୨ରେ ହିଁ ଭାରତ ଓ ପାକିସ୍ତାନ ପ୍ରଥମେ ମୁହାଁମୁହିଁ ହୋଇଥିଲେ। ତା’ପୂର୍ବରୁ ଖେଳାଯାଇଥିବା ୧୯୭୫, ୧୯୭୯, ୧୯୮୩ ଓ ୧୯୮୭ ବିଶ୍ୱକପ୍‌ରେ ଏହି ଦୁଇ ଦେଶ ମଧ୍ୟରେ କୌଣସି ମୁକାବିଲା ହୋଇ ନଥିଲା।

sachin୧୯୯୨ରେ ଜବରଦସ୍ତ ପ୍ରଦର୍ଶନ କରି ପାକିସ୍ତାନ ବିଶ୍ୱକପ୍ ଜିତିଥିଲା। କିନ୍ତୁ ଏହି ବିଶ୍ୱକପ୍‌ରେ ଏକ ମ୍ୟାଚ୍‌ରେ ଦଳ ଭାରତଠାରୁ ୪୩ ରନ୍‌ରେ ହାରି ଯାଇଥିଲା। ସଚିନ ତେନ୍ଦୁଲକରଙ୍କ ଅପରାଜିତ ୫୪ ରନ୍ ବଳରେ ଭାରତ ୨୧୬ ରନ୍ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୭୩ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ଆମିର ସୋହେଲ ୬୨ ରନ୍ କରିଥିବା ବେଳେ କପିଲ ଦେବ, ମନୋଜ ପ୍ରଭାକର ଓ ଜଭାଗଲ୍‌ ଶ୍ରୀନାଥ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍‌ରେ ତେନ୍ଦୁଲକର ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଥିଲେ।

ଏହାପରେ ୧୯୯୬ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ। ବେଙ୍ଗାଲୁରୁରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ନବଜୋତ୍ ସିଂହ ସିଦ୍ଧୁଙ୍କ ୯୩ ରନ୍ ବଳରେ ଭାରତ ୨୮୭ ରନ୍ କରିଥିଲା। ଜବାବରେ ପାକିସ୍ତାନ ୨୪୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଅନୀଲ କୁମ୍ବଲେ ଓ ଭେଙ୍କଟେଶ ପ୍ରସାଦ ୩ଟି ଲେଖାଏ ୱିକେଟ୍ ନେଇ ପାକିସ୍ତାନକୁ ଧରାଶୟୀ କରି ଦେଇଥିଲେ। ଏହି ମ୍ୟାଚ୍‌ରେ ସିଦ୍ଧୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଥିଲେ।

୧୯୯୯ ବିଶ୍ୱକପ୍‌ରେ ଇଂଲଣ୍ଡର ମଞ୍ଚେଷ୍ଟରରେ ଦୁଇ ଦେଶ ପୁଣି ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ୪୭ ରନ୍‌ରେ ବିଜୟୀ ହୋଇଥିଲା। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୨୭ ରନ୍ କରିଥିଲା। ରାହୁଲ ଦ୍ରାବିଡ଼ ଦଳ ପକ୍ଷରୁ ସର୍ବାଧିକ ୬୧ ରନ୍ କରିଥିଲେ। ଜବାବରେ ପାକିସ୍ତାର ପୂରା ଟିମ୍ ୧୮୦ ରନ୍ କରି ଆଉଟ୍ ହୋଇଯାଇଥିଲା। ୫ଟି ୱିକେଟ୍ ନେଇଥିବା ଭେଙ୍କଟେଶ ପ୍ରସାଦଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

sachin1୨୦୦୩ ବିଶ୍ୱକପ୍‌ରେ ଭାରତ ଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲା। ଏହି ବିଶ୍ୱକପ୍‌ରେ ବି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା। ସେଞ୍ଚୁରିୟନରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ପାକିସ୍ତାନକୁ ପରାଜିତ କରିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ସଇଦ ଅନୱରଙ୍କ ୧୦୧ ରନ୍ ବଳରେ ୨୭୩ ରନ୍ କରିଥିଲା। ତେବେ ଭାରତୀୟ ଦଳ ୪୫.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ୯୮ ରନ୍ କରିଥିବା ସଚିନ ତେନ୍ଦୁଲକରଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

୨୦୦୭ ବିଶ୍ୱକପ୍‌ରେ ଭାରତ ଗ୍ରୁପ୍ ସ୍ତର ମ୍ୟାଚ୍‌ରୁ ହିଁ ବାହାର ହୋଇଯାଇଥିଲା। ପାକିସ୍ତାନ ବି ଗ୍ରୁପ୍ ସ୍ତର ମ୍ୟାଚ୍‌ରୁ ବାହାର ହୋଇଯାଇଥିଲା। ଫଳରେ ପାକିସ୍ତାନ ସହିତ ଏହାର କୌଣସି ମ୍ୟାଚ୍ ହୋଇପାରି ନଥିଲା।

୨୦୧୧ରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିଥିଲା। ଏହି ବିଶ୍ୱକପ୍‌ର ଏକ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ମୋହାଲିରେ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୦ ରନ୍ କରିଥିଲା। ଜବାବରେ ପାକିସ୍ତାନ ୨୩୧ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା। ୮୩ ରନ୍ କରିଥିବା ସଚିନ୍ ତେନ୍ଦୁଲକରଙ୍କୁ ’ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

virat1୨୦୧୫ ବିଶ୍ୱକପ୍‌ରେ ଏଡିଲେଡ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ବିରାଟ କୋହଲିଙ୍କ ୧୦୭ ରନ୍ ବଳରେ ୩୦୦ ରନ୍ କରିଥିଲା। ଜବାବରେ ପାକିସ୍ତାନ ୨୨୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ମହମ୍ମଦ ସାମି ଏହି ମ୍ୟାଚ୍‌ରେ ୪ଟି ୱିକେଟ୍ ନେଇଥିଲେ। ବିରାଟଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

ବିଶ୍ୱକପ୍‌ରେ ଆଜି ଦୁଇ ଦେଶ ସପ୍ତମ ଥର ପାଇଁ ପରସ୍ପରକୁ ଭେଟିବେ। ତେଣୁ ସବୁବେଳେ ଭାରତଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ଆଜି କି ରଣନୀତି ଆପଣାଇବ, ତା’ଉପରେ ସମସ୍ତଙ୍କ ନଜର ରହିଛି।

ଚଳିତ ବିଶ୍ୱକପ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌ଟି ବର୍ଷା ଯୋଗୁ ହୋଇପାରି ନଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାସ୍ତ ହୋଇଛି। ଦଳର ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ରଦ୍ଦ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos