କୋଭିଡ୍ ୧୯: ଆଇପିଏଲ୍ ବୈଠକ ବାତିଲ କଲା ବିସିସିଆଇ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲକୁ ପୂର୍ବରୁ ହିଁ ଏପ୍ରିଲ୍ ୧୫ ତାରିଖ ଯାଏ ସ୍ଥଗିତ କରିଦିଆଯାଇଛି। ଆଇପିଏଲର ପରବର୍ତ୍ତୀ ଯୋଜନା ଉପରେ ବିସିସିଆଇ ମଙ୍ଗଳବାର ଟେଲିକନଫରେନ୍ସିଂ ଜରିଆରେ ସବୁ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା କରିବା ପାଇଁ ସ୍ଥିର କରିଥିଲା, କିନ୍ତୁ ଏହାକୁ ଏବେ ରଦ୍ଦ କରାଯାଇଛି। ଏହି ବୈଠକ ବାତିଲ୍ ହେବା ଦ୍ୱାରା ଚଳିତ ବର୍ଷ ଆଇପିଏଲ୍ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଅଧିକ ବଢ଼ିଯାଇଛି। ବୈଠକ ବାତିଲ ହେବା ନେଇ […]

bcci

Ranjit Kumar Jena
  • Published: Tuesday, 24 March 2020
  • , Updated: 24 March 2020, 06:15 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲକୁ ପୂର୍ବରୁ ହିଁ ଏପ୍ରିଲ୍ ୧୫ ତାରିଖ ଯାଏ ସ୍ଥଗିତ କରିଦିଆଯାଇଛି। ଆଇପିଏଲର ପରବର୍ତ୍ତୀ ଯୋଜନା ଉପରେ ବିସିସିଆଇ ମଙ୍ଗଳବାର ଟେଲିକନଫରେନ୍ସିଂ ଜରିଆରେ ସବୁ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା କରିବା ପାଇଁ ସ୍ଥିର କରିଥିଲା, କିନ୍ତୁ ଏହାକୁ ଏବେ ରଦ୍ଦ କରାଯାଇଛି। ଏହି ବୈଠକ ବାତିଲ୍ ହେବା ଦ୍ୱାରା ଚଳିତ ବର୍ଷ ଆଇପିଏଲ୍ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଅଧିକ ବଢ଼ିଯାଇଛି।

ବୈଠକ ବାତିଲ ହେବା ନେଇ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମାଲିକ ନେସ୍ ୱାଡିଆ କହିଛନ୍ତି, ଆମ ପାଇଁ ମାନବିକତା ହେଉଛି ସର୍ବପ୍ରଥମେ ଏବଂ ଦ୍ୱିତୀୟରେ ଏହା ପରେ ବାକି ସବୁ କିଛି। ଏପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସି ନାହିଁ ଏବଂ ବର୍ତ୍ତମାନ ଆଇପିଏଲ୍ ଉପରେ କୌଣସି ଚର୍ଚ୍ଚା କରାଯିବା ଉଚିତ୍ ହେବନି। ଯଦି ଆଇପିଏଲ୍ ଚଳିତ ବର୍ଷ ନହୁଏ, ତାହେଲେ କୌଣସି ଅସୁବିଧା ନାହିଁ।

ନେସ୍ ମଧ୍ୟ କୋଭିଡ୍‌-୧୯ ବିରୋଧରେ ସରକାର ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସରକାରଙ୍କ ଦ୍ୱାରା ଅନେକ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଉଛି। ଆମେ ଅନେକ ସମୟରେ ସରକାରଙ୍କୁ ସମାଲୋଚନା କରିଥାଏ, କିନ୍ତୁ ବର୍ତ୍ତମାନ କୋଭିଡ୍‌-୧୯ ପାଇଁ ଯେଉଁସବୁ ପଦକ୍ଷେପ ଉଠାଯାଇଛି, ସେଥିପାଇଁ ସରକାରଙ୍କୁ ପ୍ରଶଂସା କରାଯିବା ଉଚିତ୍। ଭାରତ ଭଳି ବଡ଼ ଦେଶରେ ସବୁ ଫ୍ଲାଇଟକୁ ବନ୍ଦ କରିଦିଆଯାଇଛି, ଯାହାକି ବହୁତ ଭଲ ବଡ଼ ଏବଂ ସକାରାତ୍ମକ ପଦକ୍ଷେପ। ଏହା ତୃତୀୟ ବିଶ୍ୱ ଯୁଦ୍ଧ ସ୍ଥିତି ଭଳି ଲାଗୁଛି, ଯେଉଁଥିରେ ଆମେ ଏତେ ସଂଖ୍ୟକ ଲୋକଙ୍କ ସହାୟତା ପାଇଁ ଲଢ଼ୁଛୁ। ଆଇପିଏଲର ଆଉ ଜଣେ ଫ୍ରାଞ୍ଚାଇଜି ମାଲିକ ନିଜ ନାମ ଗୁପ୍ତ ରଖି କହିଛନ୍ତି, ବର୍ତ୍ତମାନ ଏହା ଉପରେ କୌଣସି ଆଲୋଚନା କରିବା ମୂଲ୍ୟହୀନ। ପୂରା ଦେଶ ଲକଡାଉନରେ ଅଛି। ଆମକୁ ଏବେ ସେହିସବୁ ମାମଲା ସହ ଡିଲ୍ କରିବା ଦରକାର, ଯାହା ଆଇପିଏଲ୍ ଠାରୁ ବି ଅଧିକ ଜରୁରୀ।

ତେବେ ବିସିସିଆଇ ଏତେ ଶୀଘ୍ର ଆଇପିଏଲକୁ ବାତିଲ୍ କରିବା ସପକ୍ଷରେ ନାହିଁ। ସବୁକିଛି ପୂର୍ବଭଳି ସ୍ୱାଭାବିକ ହେଲା ପରେ ହିଁ ବିସିସିଆଇ କୌଣସି ସଠିକ୍ ନିଷ୍ପତ୍ତି ନେବ। ଏହା ମଧ୍ୟରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଯଦି ଅଲିମ୍ପିକ୍ସ ଭଳି କ୍ରୀଡ଼ା ବର୍ଷକ ପାଇଁ ସ୍ଥଗିତ କରାଯାଇପାରେ, ତାହେଲେ ଆଇପିଏଲ୍ ଏହା ଆଗରେ ବହୁତ ଛୋଟ। ବର୍ତ୍ତମାନ ସରକାର ବିଦେଶୀ ନାଗରିକଙ୍କୁ ଭିସା ଦେବାକୁ ଚାହୁଁନାହାନ୍ତି, ତାହେଲେ ଆମେ ଆଇପିଏଲ୍ ଆୟୋଜନ କଥା କେମିତି ଭାବି ପାରିବୁ।

ସୂଚନାଯୋଗ୍ୟ, ଭାରତରେ ମହାମାରୀକୁ କାବୁ କରିବା ପାଇଁ ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ସାରା ବିଶ୍ୱରେ ଏହି ଭାଇରସ୍ ସଂକ୍ରମଣରେ ଏପର୍ଯ୍ୟନ୍ତ ୧୬ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଭାରତରେ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ଏଥିରେ ୧୦ଜଣ ପ୍ରାଣ ହରାଇଛନ୍ତି।

Related story