୪ ୱିକେଟ୍ ହରାଇଲା ଶ୍ରୀଲଙ୍କା, ଦୃଢ଼ ସ୍ଥିତିରେ ଭାରତ

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଆଜି ସମାପ୍ତ ହୋଇଥିବା ବେଳେ ଭାରତ ନିଜକୁ ଦୃଢ଼ ସ୍ଥିତିରେ ରଖିବାରେ ସଫଳ ହୋଇଛି। ଗତକାଲି ଠାରୁ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଆଜି ୮ ୱିକେଟ୍ ହରାଇ ୫୭୪ ରନ୍ କରିଥିବା ବେଳେ ପାଳି ଘୋଷଣା କରିଥିଲା। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳ ଷ୍ଟମ୍ପ ଅପସାରଣ ବେଳକୁ ମାତ୍ର ୧୦୮ ରନ୍‌ରେ ୪ ୱିକେଟ୍ ହରାଇ ଦେଇଥିଲା। ଅଧିନାୟକ ଦିମୁତ […]

Cricket

Jitendra Garnayak
  • Published: Saturday, 05 March 2022
  • , Updated: 05 March 2022, 07:12 PM IST

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଆଜି ସମାପ୍ତ ହୋଇଥିବା ବେଳେ ଭାରତ ନିଜକୁ ଦୃଢ଼ ସ୍ଥିତିରେ ରଖିବାରେ ସଫଳ ହୋଇଛି। ଗତକାଲି ଠାରୁ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଆଜି ୮ ୱିକେଟ୍ ହରାଇ ୫୭୪ ରନ୍ କରିଥିବା ବେଳେ ପାଳି ଘୋଷଣା କରିଥିଲା। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳ ଷ୍ଟମ୍ପ ଅପସାରଣ ବେଳକୁ ମାତ୍ର ୧୦୮ ରନ୍‌ରେ ୪ ୱିକେଟ୍ ହରାଇ ଦେଇଥିଲା।

ଅଧିନାୟକ ଦିମୁତ କରୁଣାରତ୍ନେ ଓ ଲାହିରୁ ଥିରିମାନେ ଶ୍ରୀଲଙ୍କାର ପ୍ରଥମ ଇନିଂସ ଆରମ୍ଭ କରିଥିଲେ। ଦୁହେଁ ଜଗିରଖି ଖେଳୁଥିଲେ। କିନ୍ତୁ ୧୮.୨ ଓଭରରେ ଦଳକୁ ଲାଗିଥିଲା ପ୍ରଥମ ଝଟକା। ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଲାହିରୁ ଥିରିମାନେ। ଆଉଟ୍ ହେଲା ବେଳକୁ ସେ ୬୦ଟି ବଲ୍‌ରୁ ୧୭ ରନ୍ କରିଥିଲେ।

ଏହାର ୬ ଓଭର ପରେ ଆଉଟ୍ ହୋଇଥିଲେ ଅଧିନାୟକ ଦିମୁତ କରୁଣାରତ୍ନେ। ସେ ୭୧ଟି ବଲ୍‌ରେ ୫ଟି ଚୌକା ସାହାଯ୍ୟରେ ୨୮ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ଜାଡେଜା ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ।

ଦିମୁତ ଆଉଟ୍ ହେବା ପରେ ପାଥୁମ ନିଶାଙ୍କ ଓ ଆଞ୍ଜେଲୋ ମାଥ୍ୟୁସ୍ ଇନିଂସ୍‌କୁ ଆଗେଇ ନେଇଥିଲେ। ତେବେ ୩୩ତମ ଓଭରରେ ଏଥିରେ ପଡ଼ିଥିଲା ବ୍ରେକ୍‌। ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ଯଶପ୍ରୀତ ବୁମ୍ରା। ମାଥ୍ୟୁସ୍‌ ୩୯ଟି ବଲ୍‌ରୁ ମାତ୍ର ୨୨ ରନ୍ କରିଥିଲେ। ଏହା ପରେ କ୍ରିଜ୍‌କୁ ଆସିଥିଲେ ଧନଞ୍ଜୟ ଡି’ସିଲଭା। କିନ୍ତୁ ସେ ତିଷ୍ଠି ପାରି ନଥିଲେ। ମାତ୍ର ୮ଟି ବଲ୍‌ ଖେଳି ୧ ରନ୍‌ରେ ସେ ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ତିନି ନମ୍ବରରେ ଆସିଥିବା ପାଥୁମଙ୍କ ସହିତ ଚରିତ ଅସଲଙ୍କା ଅପରାଜିତ ରହିଛନ୍ତି। ଏ ଦୁହେଁ ଆସନ୍ତାକାଲି ପୁଣି ଦଳୀୟ ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇବେ। ଭାରତ ପକ୍ଷରୁ ଅଶ୍ୱିନ ୨ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ଓ ବୁମ୍ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ଇନିଂସ୍‌ରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଜବରଦସ୍ତ ଖେଳିଥିଲେ। ସେ ଅପରାଜିତ ରହି ୧୭୫ ରନ୍ କରିଥିଲେ। ଏହା ସହିତ ସେ ୩୬ ବର୍ଷ ତଳେ କପିଳ ଦେବ କରିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଜାଡେଜା ଭାରତ ପାଇଁ ୭ମ ୱିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ବନି ଯାଇଛନ୍ତି।

Related story