କରାଚି: ଅଷ୍ଟ୍ରେଲିଆ ବୋଲରଙ୍କ କଡ଼ା ମୁକାବିଲା କରି ଦମଦାର ବ୍ୟାଟିଂ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୯୬ ରନ୍ର ମାରାଥନ ଇନିଂସ ଖେଳି ବାବର ପାକିସ୍ତାନକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି।
୫୦୬ ରନ୍ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ କରାଚି ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ୨୧ ରନରେ ଦୁଇଟି ୱିକେଟ ହରାଇଥିଲା। ୪ର୍ଥ ଦିବସରେ ଆରମ୍ଭରୁ ପାକିସ୍ତାନ ଦୁଇଟି ୱିକେଟ ହରାଇଥିବାରୁ ମ୍ୟାଚଟିକୁ ଅଷ୍ଟ୍ରେଲିଆ ଜିତି ନେବ ବୋଲି ଆଶା କରାଯାଉଥିଲା।
ହେଲେ ବାବର ଧୈର୍ଯ୍ୟ ଓ କ୍ଲାସ ଦେଖାଇ ଅଷ୍ଟ୍ରେଲିଆ ବୋଲରଙ୍କ କଡ଼ା ମୁକାବିଲା କରିଥିଲେ। ସେ ପ୍ରାୟ ୨ ଦିନ କାଳ ବ୍ୟାଟିଂ କରି ପାକିସ୍ତାନକୁ ଉଦ୍ଧାର କରିଥିଲେ। ସେ ୧୯୬ ରନର ଇନିଂସ ଖେଳିଥିବା ବେଳେ ଅବଦୁଲ୍ଲା ଶଫିକ୍ୟୁ ୯୬ ଓ ଶେଷ ଭାଗରେ ମହମ୍ମଦ ରିଜୱାନ ଅପରାଜିତ ୧୦୪ ରନ୍ କରିଛନ୍ତି। ଫଳରେ ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟ ମଧ୍ୟ ଡ୍ର ହୋଇ ଯାଇଛି।
ଅଷ୍ଟ୍ରେଲିଆ ୫୦୬ ରନ୍ର ଟାର୍ଗେଟ ଦେଇଥିବା ବେଳେ ପାକିସ୍ତାନ ୭ ୱିକେଟ ହରାଇ ୪୪୩ ରନ୍ କରିବାକୁ ସକ୍ଷମ ହୋଇଛି।
ଦ୍ୱିତୀୟ ଟେଷ୍ଟରେ ୧୯୬ ରନ୍ର ଇନିଂସ ଖେଳିଥିବା ବାବର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ୪୨୫ ବଲ୍ ଖେଳି ୧୯୬ ରନ୍ କରିଛନ୍ତି। ୪ର୍ଥ ଇନିଂସରେ କୌଣସି ଦଳର ଅଧିନାୟକ ଏତେ ରନ୍ କରିବା ପ୍ରଥମ ଘଟଣା। ଏହାପୂର୍ବରୁ ପାକିସ୍ତାନ ପାଇଁ ୪ର୍ଥ ଇନିଂସରେ ସର୍ବାଧିକ ରନ୍ କରିଥିବା ୟୁନିସ ଖାନଙ୍କ ରେକର୍ଡକୁ ଭାଙ୍ଗିଥିଲେ ବାବର। ୨୦୧୫ରେ ୟୁନିସ ଖାନ ଶ୍ରୀଲଙ୍କା ବିପକ୍ଷରେ ୧୭୧ ରନ୍ କରିଥିଲେ। ହେଲେ ବାବର ୧୯୬ ରନ୍ କରି ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ବାବର ଆଜି କେବଳ ୟୁନିସଙ୍କ ଏହି ରେକର୍ଡ ଭାଙ୍ଗି ନାହାନ୍ତି, ବରଂ ୧୫ ବର୍ଷ ହେଲା ଜାରି ରହିଥିବା ଆଉ ଏକ ମାଇଲଖୁଣ୍ଟକୁ ଅତିକ୍ରମ କରିଛନ୍ତି। ୨୦୦୭ରେ ୟୁନିସ ଖାନ ପାକିସ୍ତାନ କ୍ୟାପ୍ଟେନ ଥିବା ବେଳେ ଭାରତ ବିପକ୍ଷ କୋଲକାତା ଟେଷ୍ଟର ୪ର୍ଥ ଇନିଂସରେ ୧୦୭ ରନ୍ର ଇନିଂସ ଖେଳିଥିଲେ। ସେବେଠାରୁ କୌଣସି ପାକିସ୍ତାନ କ୍ୟାପ୍ଟେନ ୪ର୍ଥ ଇନିଂସରେ ଏହାଠାରୁ ଅଧିକ ରନ କରିପାରି ନଥିଲେ।
ହେଲେ ବାବର ଆଜି ଏହି ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଖାଲି ସେତିକି ନୁହେଁ, ବାବର ପ୍ରଥମ ପାକିସ୍ତାନୀ ଖେଳାଳି ଯିଏ ୪ର୍ଥ ଇନିଂସରେ ୪୦୦ରୁ ଅଧିକ ବଲର ସମ୍ମୁଖୀନ ହୋଇଛନ୍ତି। ଏତେ ସବୁ ରେକର୍ଡ ସତ୍ତ୍ୱେ ସେ ୨୦୦ ଶତକରୁ ମାତ୍ର ୪ ରନ୍ ପଛରେ ରହି ଯାଇଥିଲେ।
ପାକିସ୍ତାନ ଇନିଂସର ୧୬୦ତମ ଓଭର୍ରେ ବାବରଙ୍କୁ ସ୍ପିନର ନାଥନ ଲାୟନ ପ୍ୟାଭିଲିୟନ ପଠାଇ ଦେଇଥିଲେ। ବାବର ତାଙ୍କର ୧୯୬ ରନର ଇନିଂସରେ ୨୧ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।