ଟି-୨୦ ବିଶ୍ୱକପ: ବିଜୟରୁ ଅଭିଯାନ ଆରମ୍ଭ କଲା ବାଂଲାଦେଶ

ହୋବାର୍ଟ: ସହଜ ବିଜୟରୁ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ। ସୁପର ୧୨ ପର୍ଯ୍ୟାୟରେ ଆଜି ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ବାଂଲାଦେଶ ୯ ରନରେ ନେଦରଲ୍ୟାଣ୍ଡ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ସମାନ ୨୦ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୩୫ ରନ କରିବାକୁ ସକ୍ଷମ ହୋଇଛି। ବାଂଲାଦେଶ ପକ୍ଷରୁ ବୋଲିଂରେ […]

bangaledesh

  • Published: Monday, 24 October 2022
  • , Updated: 24 October 2022, 05:55 PM IST

ହୋବାର୍ଟ: ସହଜ ବିଜୟରୁ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ। ସୁପର ୧୨ ପର୍ଯ୍ୟାୟରେ ଆଜି ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ବାଂଲାଦେଶ ୯ ରନରେ ନେଦରଲ୍ୟାଣ୍ଡ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ସମାନ ୨୦ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୩୫ ରନ କରିବାକୁ ସକ୍ଷମ ହୋଇଛି।

ବାଂଲାଦେଶ ପକ୍ଷରୁ ବୋଲିଂରେ କମାଲ କରିଥିବା ଦ୍ରୁତ ବୋଲର ତସ୍କିନ ଅହମଦ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ୪ ଓଭରରେ ୨୫ ରନ ଦେଇ ଡଚ୍‌ ଟିମର ୪ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ବ୍ୟାଟିଂରେ ବାଂଲାଦେଶ ପାଇଁ ଅଫିଫ ହୁସେନ ସର୍ବାଧିକ ୩୮ ରନ କରିଥିଲା।

ଅଫିଫଙ୍କ ବ୍ୟତୀତ ନଜମୁଲ ହୁସେନ ୨୫, ସୌମ୍ୟ ସରକାର ୧୪, ଲିଟନ ଦାସ ୯, ଅଧିନାୟକ ସାକିବ ଅଲ ହାସନ ୭, ୟାସିର ଅଲୀ ୩, ନୁରୁଲ ହାସନ ୩ ଓ ଶେଷ ଭାଗରେ ମୋସାଡେକ ହୁସେନ ଅପରାଜିତ ୨୦ ରନ କରିବାରୁ ବାଂଲାଦେଶ ୧୪୪ ରନ କରିବାକୁ ସକ୍ଷମ ହୋଇଥିଲା।

୧୪୫ ରନର ଟାର୍ଗେଟ ପାଇଥିବା ନେଦରଲ୍ୟାଣ୍ଡ୍ସ ପ୍ରଥମ ଦୁଇ ବଲରେ ଦୁଇଟି ୱିକେଟ ହରାଇଥିଲା। ବିକ୍ରମଜିତ ସିଂହ ଓ ବାସ ଲେ ଲିଡ୍‌ ଖାତା ଖୋଲିବା ପୂର୍ବର ତସ୍କିନଙ୍କ ଶିକାର ବନିଥିଲେ। ମାକ୍ସ ଓ’ଡୋୱାଡ ମଧ୍ୟ କେବଳ ୮ ରର କରି ରନଆଉଟ ହୋଇଯାଇଥିଲେ। ଟମ କୁପର ବି କୌଣସି ବଲ ସାମ୍ନା  କରିବା ପୂର୍ବରୁ ରନ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

୧୫ ରନରେ ୪ ୱିକେଟ ହରାଇ ନେଦରଲ୍ୟାଣ୍ଡ୍ସ ସଙ୍କଟରେ ପଡ଼ିଥିଲା। ତେବେ କୋଲିନ ଆକେରମନ୍ନ ଓ ଅଧିନାୟକ ସ୍କଟ ଏଡୱାର୍ଡସ କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ୫ମ ୱିକେଟ ପାଇଁ ୪୪ ରନର ଭାଗିଦାରୀ କରିବା ପରେ ଏଡୱାର୍ଡସ(୧୬) ଆଉଟ ହୋଇଯାଇଥିଲେ। ଟିମ ପ୍ରିଙ୍ଗଲ(୧) ଓ ଲୋଗାନ ଭାନ ବୀକ(୨) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ଆକେରମନ୍ନ ଦମଦାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ କିଛି ସମୟ ଶାରିଜ ଅହମଦ(୯) ସାଥ ଦେଇଥିଲେ। କିନ୍ତୁ ଦଳୀୟ ସ୍କୋର ୯୬ ଥିବା ବେଳେ ଅହମଦ ଓ ୧୦୧ ଥିବା ବେଳେ ଆକେରମନ୍ନ ପ୍ୟାଭିଲିୟପ ଫେରିଥିଲେ। ଆଉଟ ହେବା ପୂର୍ବରୁ ସେ ୪୮ ବଲରେ ୬ଟି ଚୌକା ଓ ୨ଟି ଛକା ବଳରେ ୬୨ ରନର ଇନିଂସ ଖେଳିଥିଲେ।

ଶେଷ ୱିକେଟ ପାଇଁ ଫ୍ରେଡ କ୍ଲାସେନ(ଅପରାଜିତ ୭) ଓ ପଲ ଭାନ ମୀକେରେନ(୨୪) ୨୫ ରନ ଯୋଡ଼ିଥିଲେ। ତଥାପି ନେଦରଲ୍ୟାଣ୍ଡ୍ସ ୯ ରନ ପଛରେ ରହି ଯାଇଥିଲା। ଶେଷ ବଲରେ ମୀକେରେନ ଆଉଟ ହେବା ସହ ନେଦରଲ୍ୟାଣ୍ଡ୍ସ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ବାଂଲାଦେଶ ପକ୍ଷରୁ ତସ୍କିନ ୪ଟି ୱିକେଟ ନେଇଥିବା ବେଳେ ହାସନ ମହମଦ ୨ଟି, ସାକିବ ଅଲ ହାସନ ଓ ସୌମ୍ୟ ସରକାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ୨ଟି ୱିକେଟ ରନ ଆଉଟରୁ ମିଳିଛି।

Related story