ଇଂଲଣ୍ଡ ଚିତପଟାଙ୍ଗ, ଭାରତର ଏକତରଫା ବିଜୟ

ଲଣ୍ଡନ: ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ଏକତରଫା ଭାବେ ପରାସ୍ତ କରିଛି ଟିମ ଇଣ୍ଡିଆ। ଉଭୟ ବୋଲିଂ ଓ ବ୍ୟାଟିଂରେ କମାଲ କରି ଇଂଲଣ୍ଡକୁ ଚିତପଟାଙ୍ଗ କରିଛି ରୋହିତ ସେନା। ଏହି ବିଜୟ ସହ ୩ଟିକିଆ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି। ବୋଲିଂରେ ଯଶପ୍ରୀତ ବୁମ୍ରା କମାଲ କରିଥିବା ବେଳେ ବ୍ୟାଟିଂରେ ଅଧିନାୟକ ରୋହିତ ଶର୍ମା ନିଜର ଯାଦବୁ ଦେଖାଇଛନ୍ତି। ଇଂଲଣ୍ଡ ଦେଇଥିବା ୧୧୧ ରନର ଟାର୍ଗେଟକୁ ଭାରତ ବିନା କୌଣସି ୱିକେଟ ହରାଇ ୧୮୮ […]

Rohit

Hemant Lenka
  • Published: Tuesday, 12 July 2022
  • , Updated: 12 July 2022, 09:48 PM IST

ଲଣ୍ଡନ: ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ଏକତରଫା ଭାବେ ପରାସ୍ତ କରିଛି ଟିମ ଇଣ୍ଡିଆ। ଉଭୟ ବୋଲିଂ ଓ ବ୍ୟାଟିଂରେ କମାଲ କରି ଇଂଲଣ୍ଡକୁ ଚିତପଟାଙ୍ଗ କରିଛି ରୋହିତ ସେନା। ଏହି ବିଜୟ ସହ ୩ଟିକିଆ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି। ବୋଲିଂରେ ଯଶପ୍ରୀତ ବୁମ୍ରା କମାଲ କରିଥିବା ବେଳେ ବ୍ୟାଟିଂରେ ଅଧିନାୟକ ରୋହିତ ଶର୍ମା ନିଜର ଯାଦବୁ ଦେଖାଇଛନ୍ତି।

ଇଂଲଣ୍ଡ ଦେଇଥିବା ୧୧୧ ରନର ଟାର୍ଗେଟକୁ ଭାରତ ବିନା କୌଣସି ୱିକେଟ ହରାଇ ୧୮୮ ବଲ ପୂର୍ବରୁ ହାସଲ କରି ନେଇଛି। ରୋହିତ ଶେଷ ଯାଏ ୫୮ ବଲରେ ୭୬ ଓ ଶିଖର ଧୱନ ୫୪ ବଲରେ ଅପରାଜିତ ୩୧ ରନର ଇନିଂସ ଖେଳିଛନ୍ତି। ବୋଲିଂରେ ଇଂଲଣ୍ଡର ୬ ଜଣ ବ୍ୟାଟରଙ୍କୁ ଆଉଟ କରିଥିବା ବୁମ୍ରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।

ଲଣ୍ଡନର ଓଭାଲରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଭାରତ ଆରମ୍ଭରୁ ହିଁ ନିଜର ଦବଦବା ଦେଖାଇଥିଲେ। ‌ଇଂଲଣ୍ଡ ଇନିଂସର ଦ୍ୱିତୀୟ ଓଭର୍‌ରେ  ଯଶପ୍ରୀତ ବୁମ୍ରା ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେ ଜେସନ ରୟ(୦) ଓ ଜୋ ରୁଟ(୦)ଙ୍କୁ ଆଉଟ କରି ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହାପରେ ବେନ ଷ୍ଟୋକ୍ସ ଖାତା ଖୋଲିବା ପୂର୍ବରୁ ମହମ୍ମଦ ଶାମିଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଜନ୍ନି ବେୟାରଷ୍ଟୋ(୭)ଙ୍କୁ ଆଉଟ କରି ବୁମ୍ରା ଇଂଲଣ୍ଡକୁ ୪ର୍ଥ ଝଟକା ଦେଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ ମଧ୍ୟ ଖାତା ଖୋଲିବାକୁ ଅକ୍ଷମ ହୋଇଛନ୍ତି। ତାଙ୍କ ୱିକେଟ ବୁମ୍ରା ନେଇଛନ୍ତି। ୨୬ ରନରେ ଇଂଲଣ୍ଡର ୫ ଜଣ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଜୋଶ ବଟଲର(୩୦) ବେଶୀ କିଛି କରିପାରି ନଥିଲେ। ତାଙ୍କୁ ଶାମି ଆଉଟ କରି ଇଂଲଣ୍ଡକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ।

ବଟଲରଙ୍କ ପୂର୍ବରୁ ମୋଇନ ଅଲୀ(୧୪) ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଥିଲେ। କ୍ରେଗ ଓଭରଟନ(୮) ଶାମିଙ୍କ ତୃତୀୟ ଶିକାର ବନିଥିଲେ। ଡାଭିଡ ୱିଲ୍ଲୀ ଓ ବ୍ରାୟଡନ କାର୍ସେ କିଛି ସମୟ ଲଢ଼େଇ କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ହେଲେ ବୁମ୍ରା ନିଜର ଦ୍ୱିତୀୟ ସ୍ପେଲରେ ଉଭୟଙ୍କୁ ଆଉଟ କରି ଇଂଲଣ୍ଡକୁ ୧୧୦ ରନରେ ଅଟକାଇ ଦେଇଥିଲେ।

୧୧୧ ରନର ଟାର୍ଗେଟ ପାଇଥିବା ଭାରତ ପାଇଁ ରୋହିତ ଓ ଧୱନ ଯୋଡ଼ି ଇନିଂସ ଆରମ୍ଭ କରିଥିଲେ। ରୋହିତ ଆରମ୍ଭରୁ ଆଟାକିଂ ଶଟ ଖେଳିଥିଲେ ହେଁ ଧୱନ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ଉଭୟଙ୍କୁ ଆଉଟ କରିବା ପାଇଁ ବଟଲର କ୍ରମାଗତ ଭାବେ ବୋଲିଂ ଏଣ୍ଡରେ ପରିବର୍ତ୍ତନ କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା।

ବରଂ ରୋହିତ ବଡ଼ବଡ଼ ଶଟ ଖେଳି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ତାଙ୍କୁ ଧୱନ ପୂରା ସାଥ ଦେଇଥିଲେ। ରୋହିତ ୪୯ଟି ବଲରେ ନିଜ ଦିନିକିଆ କ୍ୟାରିୟରର ଆଉ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ରନରେ ବ୍ୟାଟିଂ କରୁଥିବା ବେଳେ ବ୍ରାୟଡନ କାର୍ସେଙ୍କୁ ବିରାଟ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଏହାପରେ ସେ ଶୀଘ୍ର ମ୍ୟାଚ୍‌ ସାରିବା ମୁଡକୁ ଆସି ପ୍ରତିଟି ଇଂଲଣ୍ଡ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଶେଷରେ ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ଧୱନ ଦ୍ରୁତ ବୋଲର କାର୍ସେଙ୍କୁ ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ।

ରୋହିତ ୫୮ଟି ବଲରେ ଅପରାଜିତ ୭୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୭ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସେହିପରି ଧୱନ ୪ଟି ଚୌକା ବଲରେ ଅପରାଜିତ ୩୧ ରନ କରିଛନ୍ତି। ସିରିଜର ଦ୍ୱିତୀୟ ଦିନିକିଆ ଆସନ୍ତା ୧୪ ତାରିଖରେ ଖେଳାଯିବ।

Related story