କୋଚି: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଅଲରାଉଣ୍ଡରମାନଙ୍କ ଚାହିଦା ଆଇପିଏଲ ମିନି ଅକ୍ସନରେ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଯୁବ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ଚଳିତ ଆଇପିଏଲ ଅକ୍ସନର ଦ୍ୱିତୀୟ ବ୍ୟୟ ବହୁଳ କ୍ରିକେଟର ବନିଛନ୍ତି। ସାମ କୁରାନ ରେକର୍ଡ ୧୮.୫୦ କୋଟିରେ ବିକ୍ରି ହୋଇଥିବା ବେଳେ ଗ୍ରୀନ ୧୭.୫୦ କୋଟି ଟଙ୍କାରେ କିଣା ହୋଇଛନ୍ତି।
ଗ୍ରୀନଙ୍କୁ ଏତେ ଟଙ୍କା ଦେଇ ୫ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନିଜର ସହ ସାମିଲ କରିଛି। ତାଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଆଗ୍ରହ ଦେଖାଇଥିଲା। ଏଥିପାଇଁ ଦୁଇ ପ୍ରାଞ୍ଚାଇଜ୍ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ମୁମ୍ବାଇ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ କିଣିଛି।
ସେହିପରି ଇଂଲିଶ ଟିମର ଅନ୍ୟତମ ଅଲରାଉଣ୍ଡର ବେନ ଷ୍ଟୋକ୍ସ ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାମ୍ପକୁ ଫେରିଛନ୍ତି। ୨୦୧୬ରେ ଧୋନି ଓ ଷ୍ଟୋକ୍ସ ଏକାଠି ପୁଣେ ସୁପରଜିଆଣ୍ଟସ ପକ୍ଷରୁ ଖେଳୁଥିଲେ। ଏହାପରେ ଷ୍ଟୋକ୍ସ ରାଜସ୍ଥାନ ରୟାଲ୍ସକୁ ଚାଲି ଯାଇଥିଲେ।
ହେଲେ ୨୦୨୩ ଆଇପିଏଲର ମିନି ଅକ୍ସନରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୬.୨୫ କୋଟି ଟଙ୍କାରେ କିଣିଛି। ଆଜିର ମିନି ଅକ୍ସନ ବେଳେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଷ୍ଟୋକ୍ସଙ୍କୁ ନେବାକୁ ଚେଷ୍ଟା କରିଥିଲା। ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ ମଧ୍ୟ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ସମସ୍ତଙ୍କୁ ମାତ ଦେଇ ଚେନ୍ନାଇ ଷ୍ଟୋକ୍ସଙ୍କୁ ନିଜ ସହ ସାମିଲ କରିଛି।