Advertisment

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍‌ରେ ଚେତନ ଶର୍ମା ଭାରତୀୟ କ୍ରିକେଟରଙ୍କ ବିଷୟରେ ଅନେକ କଥା କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

author-image
Jitendra Garnayak
Chetan Sharma

Chetan Sharma

ଷ୍ଟିଙ୍ଗ୍ ଅପରେସନ୍‌ରେ ଫସି ବିବାଦୀୟ ହୋଇପଡ଼ିଥିବା ପୂର୍ବତନ କ୍ରିକେଟର ଚେତନ ଶର୍ମା ବସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ତାଙ୍କ ଇସ୍ତଫାପତ୍ର ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ନିକଟକୁ ପଠାଇ ଦେଇଥିବା ବେଳେ ତାକୁ ଗ୍ରହଣ କରି ନିଆଯାଇଛି ବୋଲି ଜଣାଯାଇଛି।

Advertisment

ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍‌ରେ ଚେତନ ଶର୍ମା ଭାରତୀୟ କ୍ରିକେଟରଙ୍କ ବିଷୟରେ ଅନେକ କଥା କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଥିଲେ ଯେ ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବାକୁ ଇଞ୍ଜେକ୍ସନ ନିଅନ୍ତି। ଆହତ ଥିବା ସତ୍ତ୍ୱେ ଟିମ୍ ଚୟନ ବେଳେ ଫିଟ୍ ରହିବାକୁ ସେମାନେ ଇଞ୍ଜେକ୍ସନ ଉପରେ ନିର୍ଭର କରନ୍ତି। ଟିମ୍ ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥା’ନ୍ତି। କିନ୍ତୁ ସେମାନଙ୍କୁ ଦଳରେ ରଖିବାକୁ ଅନୁରୋଧ କରାଯାଇଥାଏ। ତାରକା ଖେଳାଳିମାନେ ସଂପୂର୍ଣ୍ଣ ସୁସ୍ଥ ନଥିଲେ ବି ଏନ୍‌ସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ।

ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ମଧ୍ୟ ଚେତନ ଶର୍ମା ପ୍ରତିକ୍ରିୟା ଦେଇଥିଲେ। କୋହଲି ଏବେ କୌଣସି ଫର୍ମାଟ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଉ ନଥିଲେ ମଧ୍ୟ, ତାଙ୍କ କଥାରେ ସବୁ ହେଉଛି। ରୋହିତ ଅଧିନାୟକ ହୋଇଥିଲେ ବି କୋହଲି ସବୁ ନିଷ୍ପତ୍ତି ନେଉଛନ୍ତି। ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନାହିଁ। ସେମାନଙ୍କ ମଧ୍ୟରେ ଅହଙ୍କାର ରହିଛି। ଏହି ଅହଙ୍କାର ଓ ଭୁଲ୍ ବୁଝାମଣା ଯୋଗୁ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ସେ କହିଥିଲେ।

Advertisment

ଚେତନ କହିଥିଲେ ଯେ ବିରାଟ କୋହଲି ତତ୍‌କାଳୀନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ପ୍ରୟାସ କରିଥିଲେ। ସେ ଭାବୁଥିଲେ ଯେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପଛରେ ଗାଙ୍ଗୁଲିଙ୍କ ହାତ ଥିଲା। କିନ୍ତୁ କୋହଲିଙ୍କ ପଦକ୍ଷେପ ତାଙ୍କ ପାଇଁ ବୁମେରାଂ ସାଜିଥିଲା। ପ୍ରକୃତ କଥା ହେଲା, ବିସିସିଆଇ ଚାହୁଁଥିଲା ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଜଣେ ଅଧିନାୟକ ରୁହନ୍ତୁ। କୋହଲି ଟି-ଟ୍ୱେଣ୍ଟି ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିବା ପରେ ଏଭଳି ନିଷ୍ପତ୍ତିରୁ ଓହରିଯିବାକୁ ଗାଙ୍ଗୁଲି ତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ କୋହଲି ଅଗ୍ରାହ୍ୟ କରି ଦେଇଥିଲେ। ଏହା ପରେ ଗାଙ୍ଗୁଲି ଅସନ୍ତୁଷ୍ଟ ହୋଇଥିଲେ। ସେଥିପାଇଁ ଗାଙ୍ଗୁଲି ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ବିଦା କରିଥିଲେ ବୋଲି କୋହଲି ଭାବି ନେଇଥିଲେ ବୋଲି ଚେତନ କହିଥିଲେ।

ସେହିଭଳି ଶୁବମନ ଗିଲ୍‌ଙ୍କୁ ଟି-ଟ୍ୱେଣ୍ଟି ଦଳରେ ସାମିଲ କରିବା ପାଇଁ ରୋହିତ ଓ କୋହଲିଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡ଼ିଥିଲା ବୋଲି ଚେତନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଯେବେ ବି ଦିଲ୍ଲୀ ଆସନ୍ତି ତାଙ୍କ ଘରକୁ ଆସନ୍ତି ଓ ନିଜ ଭବିଷ୍ୟତ ବିଷୟରେ ଆଲୋଚନା କରନ୍ତି। ଯେଉଁ କଥା ଘରେ ଆଲୋଚନା କରିହେବ, ତାହା ଅଫିସ୍‌ରେ ହୋଇପାରିବ ନାହିଁ ବୋଲି ଚେତନ କହିଥିଲେ। 

ସୂଚନାଯୋଗ୍ୟ, ରୋଜର ବିନି ବିସିସିଆଇ ସଭାପତି ହେବା ପରେ ଚୟନକର୍ତ୍ତା କମିଟିକୁ ଭାଙ୍ଗି ଦିଆଯାଇଥିଲା ଓ ଏହାର ପୁନର୍ଗଠନ ହୋଇଥିଲା। ଆଉ ଚେତନ ଶର୍ମାଙ୍କୁ ପୁନର୍ବାର ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ କରାଯାଇଥିଲା। 

Bcci Narada Sting Operation Chetan Sharma