ଇସଲାମାବାଦ: ପାକିସ୍ତାନ ମାଟିରେ ଇତିହାସ ରଚିଛି ଇଂଲଣ୍ଡ। ବିଶ୍ୱର ପ୍ରଥମ ଦେଶ ଭାବେ ପାକିସ୍ତାନ ମାଟିରେ ୩-୦ରେ ଟେଷ୍ଟ ସିରିଜ୍କୁ କ୍ଲିନସୁଇପ କରିଛି ଇଂଲଣ୍ଡ। କରାଚିରେ ଖେଳା ଯାଉଥିବା ଟେଷ୍ଟ ସିରିଜ୍ର ତୃତୀୟ ତଥା ଶେଷ ମ୍ୟାଚ୍ରେ ଇଂଲଣ୍ଡ ଏକତରଫା ଭାବେ ୮ ୱିକେଟରେ ପାକିସ୍ତାନକୁ ହରାଇଛି।
ମାତ୍ର ୧୬୭ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ଏହି ଟେଷ୍ଟକୁ ୪ ଦିନ ମଧ୍ୟରେ ଶେଷ କରି ସିରିଜ୍ କବଜା କରିଛି। ଆଜି ୪ର୍ଥ ଦିନର ଖେଳ ଆରମ୍ଭ ହେବା ବେଳକୁ ଇଂଲଣ୍ଡକୁ ଜିତିବା ପାଇଁ ୫୫ ରନ ଦରକାର ଥିଲା। ଏହି ଫର୍ମାଲିଟିଜ୍କୁ ବେନ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଳଣ୍ଡ ବିନା କୌଣସି କ୍ଷତି ଘଟାଇ ମାତ୍ର ୧୨ ଓଭର ମଧ୍ୟରେ ହାସଲ କରି ନେଇଥିଲା। ଦଳ ପକ୍ଷରୁ ବେନ ଡକେଟ ଅପରାଜିତ ୮୨ ରନର ଇନିଂସ ଖେଳି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
୪ର୍ଥ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ହିଁ ଇଂଲଣ୍ଡ ମ୍ୟାଚ୍ ଜିତିବ ବୋଲି ଏକପ୍ରକାରର ନିଶ୍ଚିତ ହୋଇ ସାରିଥିଲା। କାରଣ ୪ର୍ଥ ଇନିଂସରେ ଇଂଲଣ୍ଡକୁ ପାକିସ୍ତାନ ମାତ୍ର ୧୬୭ ରନର ଟାର୍ଗେଟ ଦେଇଥିଲା। ତୃତୀୟ ଦିନ ଖେଳ ଶେଷ ବେଳକୁ ଇଂଲଣ୍ଡ ୨ ୱିକେଟ ହରାଇ ୧୧୨ ରନ କରି ନେଇଥିଲା।
କ୍ରିଜ୍ରେ ବେନ ଷ୍ଟୋକ୍ସ ଓ ଡକେଟ ରହିଥିଲେ। ଆଜି ଏମାନେ କୌଣସି କ୍ଷତି ନ ଘଟାଇ ଧାର୍ଯ୍ୟ ଟାର୍ଗେଟକୁ ବେଶ ସହଜରେ ହାସଲ କରି ନେଇଛନ୍ତି। ପୂର୍ବରୁ ୨ଟି ଯାକ ମ୍ୟାଚ୍ ହାରି ଟେଷ୍ଟ ସିରିଜ୍ ହରାଇ ସାରିଥିବା ପାକିସ୍ତାନ ନୂଆ ଜୋଶ ନେଇ କରାଚିରେ ତୃତୀୟ ମ୍ୟାଚ୍ ଖେଳିବାକୁ ଓହ୍ଲାଇଥିଲା।
ଆଝାର ଅଲୀ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳୁଥିବାରୁ ଦଳ ତାଙ୍କୁ ବିଜୟ ଉପହାର ଦେବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଇଂଲଣ୍ଡ ଏହା କରାଇ ଦେଇନି। ଟସ୍ ଜିତି କରାଚିରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ୭୮ ଓ ଅଘା ସଲମାନଙ୍କ ୫୬ ରନ ବଳରେ ପ୍ରଥମ ଇନିଂସରେ ୩୦୪ ରନ କରିଥିଲା। ପାକିସ୍ତାନ ପକ୍ଷରୁ ଜ୍ୟାକ ଲିଚ୍ ୪ଟି ଓ ଡେବ୍ୟୁଟାଣ୍ଟ ରେହାନ ଅହମଦ ୨ଟି ସଫଳତା ପାଇଥିଲେ।
ଏହାପର ଜବାବରେ ଇଂଲଣ୍ଡ ହ୍ୟାରି ବ୍ରୁକଙ୍କ ୧୧୧, ବେନ ଫକ୍ସଙ୍କ ୬୪ ଓ ଓଲି ପପଙ୍କ ୫୧ ରନ ବଳରେ ପ୍ରଥମ ଇନିଂସରେ ୩୫୪ ରନ କରିଥିଲା। ଫଳରେ ଦଳକୁ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୫୦ ରନର ଲିଡ୍ ମିଳିଥିଲା।
ପ୍ରଥମ ଇନିଂସରେ ୫୦ ରନରେ ପଛରେ ଥିବା ପାକିସ୍ତାନକୁ ଦ୍ୱିତୀୟ ଇନିଂସରେ ଘାଇଲା କରିଥିଲେ ରେହାନ ଓ ଜ୍ୟାକ ଲିଚ୍। ଉଭୟ ଦମଦାର ବୋଲିଂ କରିବା ସହ ପାକିସ୍ତାନର ୮ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ରେହାନ ଡେବ୍ୟୁ ମ୍ୟାଚରେ ୫ ୱିକେଟ ଦଖଲ କରି ଇତିହାସ ମଧ୍ୟ ରଚିଥିଲେ। ସେ ଏହି ମ୍ୟାଚରେ ମୋଟ ୭ଟି ୱିକେଟ ଦଖଲ କରିଛନ୍ତି। ସେହିପରି ଲିଚ୍ ମଧ୍ୟ ୭ଟି ସଫଳତା ପାଇଛନ୍ତି।
ଘାତକ ବୋଲିଂ ଯୋଗୁ ପାକିସ୍ତାନ ୨୧୬ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ବାବର ୫୪ ଓ ସୌଦ ଶକୀଲ ୫୩ ରନ କରିବାକୁ ସକ୍ଷମ ହୋଇଥିଲେ। ପାକିସ୍ତାନ ଦ୍ୱିତୀୟ ଇନିଂସରେ ୨୧୬ ରନ କରିବାରୁ ଇଂଲଣ୍ଡକୁ ସିରିଜ୍ କ୍ଲିନ ସୁଇପ କରିବା ପାଇଁ ମାତ୍ର ୧୬୭ ରନର ଟାର୍ଗେଟ ମିଳିଥିଲା।
ଦଳ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଜ୍ୟାକ କ୍ରାଉଲି (୪୧) ଓ ରେହାନ(୧୦)ଙ୍କ ୱିକେଟ ହରାଇ ୧୧୨ ରନ କରି ନେଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ଡେକଟ ୫୦ ଓ ଷ୍ଟୋକ୍ସ ୧୦ ରନ କରି ଅପରାଜିତ ରହିଥିଲେ।
ଆଜି ଦୁହେଁ ଦମଦାର ବ୍ୟାଟିଂ କରି ଇନିଂସକୁ ଆଗକୁ ନେଇଥିଲେ। ଏଥିସହ ଇଂଲଣ୍ଡକୁ ୮ ୱିକେଟରେ ବିଜୟ ଭେଟି ଦେଇଥିଲେ। ଶେଷ ଯାଏ ଡକେଟ ୭୮ ବଲରେ ୮୨ ଓ ଷ୍ଟୋକ୍ସ ୪୩ ବଲରେ ୩୫ ରନ କରି ଅପରାଜିତ ରହିଥିଲେ। ଦ୍ୱିତୀୟ ଇନିଂସରେ ପାକିସ୍ତାନର ଅବ୍ରାର ଅହମଦ ୨ଟି ଯାକ ୱିକେଟ ନେଇଛନ୍ତି।
ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ଦମଦାର ଶତକ ହାସଲ କରିଥିବା ବ୍ରୁକ ମ୍ୟାନ ଅଫ ଦି ମ୍ୟାଚ୍ ସହ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଛନ୍ତି। ସେ ୩ଟି ଯାକ ଟେଷ୍ଟରେ ମୋଟ ୪୬୮ ରନ କରିଛନ୍ତି।
ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ରାୱଲପିଣ୍ଡି ଭଳି ଫ୍ଲାଟ ୱିକେଟରେ ୭୪ ରନରେ ଜିତିଥିଲା। ସେହିପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପାକିସ୍ତାନକୁ ବେଶ ରୋମାଞ୍ଚକର ଢଙ୍ଗରେ ଇଂଲଣ୍ଡ ୨୬ରେ ହରାଇଥିଲା।