ଇଂଲଣ୍ଡ ଜିତିଲା, ପଏଣ୍ଟ ଟେବୁଲରେ ରୋମାଞ୍ଚ ବଢ଼ିଲା

ବ୍ରିସବେନ୍‌: ଚଳିତ ଟି-୨୦ ବିଶ୍ୱକପରେ ଏଯାଏ ଅପରାଜେୟ ଥିବା ନ୍ୟୁଜିଲ୍ୟାଣ୍ଡ ଶେଷରେ ପରାସ୍ତ ହୋଇଛି। ଆଜି ଜୋଶ ବଟଲରଙ୍କ ଇଂଲଣ୍ଡ ବେଶ ଚତ୍ମକାର ଢଙ୍ଗରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେଇଛି। ଏହି ମ୍ୟାଚ୍‌କୁ ଇଂଲଣ୍ଡ ୨୦ ରନରେ ଜିତିବା ପରେ ଗ୍ରୁପ ୧ ପଏଣ୍ଟ ଟେବୁଲରେ ରୋମାଞ୍ଚ ବଢ଼ି ଯାଇଛି। ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସମାନ ୫ ପଏଣ୍ଟ ଲେଖାଏ ପାଇଛନ୍ତି। ଏବେ ଏହି ୩ ଦଳ ପାଖରେ ଗୋଟିଏ ଲେଖାଏ ମ୍ୟାଚ୍‌ ବାକି […]

ENG

ENG

Hemant Lenka
  • Published: Tuesday, 01 November 2022
  • Updated: 01 November 2022, 05:42 PM IST

Sports

Latest News

ବ୍ରିସବେନ୍‌: ଚଳିତ ଟି-୨୦ ବିଶ୍ୱକପରେ ଏଯାଏ ଅପରାଜେୟ ଥିବା ନ୍ୟୁଜିଲ୍ୟାଣ୍ଡ ଶେଷରେ ପରାସ୍ତ ହୋଇଛି। ଆଜି ଜୋଶ ବଟଲରଙ୍କ ଇଂଲଣ୍ଡ ବେଶ ଚତ୍ମକାର ଢଙ୍ଗରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେଇଛି। ଏହି ମ୍ୟାଚ୍‌କୁ ଇଂଲଣ୍ଡ ୨୦ ରନରେ ଜିତିବା ପରେ ଗ୍ରୁପ ୧ ପଏଣ୍ଟ ଟେବୁଲରେ ରୋମାଞ୍ଚ ବଢ଼ି ଯାଇଛି।

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସମାନ ୫ ପଏଣ୍ଟ ଲେଖାଏ ପାଇଛନ୍ତି। ଏବେ ଏହି ୩ ଦଳ ପାଖରେ ଗୋଟିଏ ଲେଖାଏ ମ୍ୟାଚ୍‌ ବାକି ରହିଛି। ନ୍ୟୁଜିଲ୍ୟାଣ୍ଡ ଶେଷ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ଭେଟିବାକୁ ଥିବା ବେଳେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଫଗାନିସ୍ତାନକୁ ଭେଟିବ। ସେହିପରି ଇଂଲଣ୍ଡ ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ। ଶ୍ରୀଲଙ୍କା ମଧ୍ୟ ୪ ମ୍ୟାଚ୍‌ରୁ ୪ ପଏଣ୍ଟ ସହ ସେମି ଖେଳିବା ଆଶାରେ ରହିଛି।

ରନ ରେଟ ଦୃଷ୍ଟିକୋଣରୁ ନ୍ୟୁଜିଲ୍ୟାଣ୍ଡ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ଦ୍ୱିତୀୟରେ ଓ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛନ୍ତି। ତେଣୁ ଏହି ୩ ଦଳଙ୍କ ମଧ୍ୟରୁ ୨ଟି ଦଳ ସେମି ଫାଇନାଲ ଯିବେ। ନିଜ ନିଜର ଶେଷ ମ୍ୟାଚ୍‌ ବି ଯଦି ଏହି ୩ ଦଳ ଜିତୁଛନ୍ତି, ତା’ହେଲେ ବି ରନ ରେଟ୍‌ ଆଧାରରେ ୨ଟି ଦଳକୁ ସେମି ଫାଇନାଲ ଖେଳିବାର ସୁଯୋଗ ମିଳିବ।

ଆଜିର ମ୍ୟାଚ୍‌ ଇଂଲଣ୍ଡ ପାଇଁ ଏକ ପ୍ରକାରର କର ବା ମର ପରିସ୍ଥିତି ଥିଲା। ୨୦୨୧ ଟି-୨୦ରେ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ସେମିରେ ହାରିଥିଲା। ତେଣୁ ବଟଲରଙ୍କ ଇଂଲଣ୍ଡ ଉପରେ ଅତିରିକ୍ତ ଚାପ ରହିଥିଲା। ବ୍ରିସବେନର ଗାବାରେ ଟସ୍‌ ଜିତି ବଟଲର ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ।

ଏଥିସହ ସେ ଆଲେକ୍ସ ହେଲ୍ସଙ୍କ ସହ ମିଶି ଇଂଲଣ୍ଡକୁ ଦ୍ରୁତ ଆରମ୍ଭ ଦେଇଥିଲେ। ୧୦.୨ ଓଭର ସୁଦ୍ଧା ବଟଲର ଓ ହେଲ୍ସ ଦଳୀୟ ସ୍କୋରକୁ ୮୧ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ୪୦ ବଲରେ ୫୨ ରନ କରିଥିବା ହେଲ୍ସଙ୍କୁ ମିଚେଲ ସାଣ୍ଟନର ଆଉଟ କରିଥିଲେ। ଏହାପରେ ବଟଲର ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଗୋଟିଏ ପଟେ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିଲେ ମଧ୍ୟ ଅନ୍ୟପଟେ ୱିକେଟ ଝଡ଼ିବା ଆରମ୍ଭ ହୋଇଥିଲା।

ମୋଇନ ଅଲୀ(୫), ଲିଆମ ଲିଭିଙ୍ଗଷ୍ଟୋନ(୨୦) ଓ ହ୍ୟାରୀ ବ୍ରୁକ(୭) ସମସ୍ତଙ୍କୁ ନିରାଶ କରିଥିଲେ। ଦଳୀୟ ସ୍କୋର ୧୬୨ ଥିବା ବେଳେ ବଟଲର ମଧ୍ୟ ୪୭ ବଲରେ ୭୩ ରନ କରି ରନ ଆଉଟ ହୋଇଯାଇଥିଲେ। ଏହାପୂର୍ବରୁ ସେ ୭ଟି ଚୌକା ଓ ୨ଟି ଛକା ସହ ୭୩ ରନର ଇନିଂସ ଖେଳିଥିଲେ।

ବେନ ଷ୍ଟୋକ୍ସ(୮) ଆଜି ପୁଣି ଫେଲ ମାରିଛନ୍ତି। ଶେଷ ଭାଗରେ ସାମ କୁରାନ ୩ ବଲରେ ୬ ଓ ଡାୱିଡ ମଲାନ ୧ ବଲରେ ୩ କରିବାରୁ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୯ ରନ କରିଥିଲା।

୧୮୦ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ଇନଫର୍ମ ଡେଭୋନ କନୱେ(୩)ଙ୍କୁ ହରାଇଥିଲା। ବିସ୍ଫୋରକ ଫିନ ଆଲେନ (୧୬) ମଧ୍ୟ ବେଶୀ କିଛି କରି ପାରିଥିଲେ। ୨୮ ରନରେ ଦୁଇ ୱିକେଟ ହରାଇଥିବା କ୍ୱିୱି ଟିମକୁ ଅଧିନାୟକ କେନ ୱିଲିୟମସନ ଓ ଗ୍ଲେନ ଫିଲିପ୍ସ ସମ୍ଭାଳିଥିଲେ। ଫିଲିପ୍ସ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ ମଧ୍ୟ ୱିଲିୟମସନ ଆଙ୍କର ଭୂମିକା ନିର୍ବାହ କରିଥିଲେ। ରନ ଚାପ ବଢ଼ିବାରୁ ୱିଲିୟମସନ ବଡ଼ ଶଟ ଖେଳିବା ଲୋଭରେ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ। ସେ ୪୦ ବଲରେ ମାତ୍ର ୪୦ ରନ କରିଛନ୍ତି। ଏହି ସମୟରେ ଦଳୀୟ ସ୍କୋର ୧୧୯ ରହିଥିଲା।

ଫିଲିପ୍ସ କିନ୍ତୁ ହାର ମାନି ନଥିଲେ। ସେ ଅର୍ଦ୍ଧଶତକ ହାସଲ କରିବା ସହ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ଆଡ଼କୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଜିମ୍ମି ନିଶୀମ(୬) ଓ ଡାରେଲ ମିଚେଲ(୩) ତାଙ୍କୁ ଉପଯୁକ୍ତ ସହଯୋଗ କରି ନଥିଲେ। ରନ ରେଟ୍‌ର ଚାପ ବଢ଼ିବାରୁ ଫିଲିପ୍ସ (୬୨) ସାମ କୁରାନଙ୍କୁ ଛକା ମାରିବାକୁ ଚେଷ୍ଟା କରି ଆଉଟ ହୋଇଥିଲେ।

ଶେଷ ଭାଗରେ ମିଚେଲ ସାଣ୍ଟନର (ଅପରାଜିତ ୧୬) ଓ ଈଶ ଶୋଢ଼ି (ଅପରାଜିତ ୬) ବଡ଼ ଶଟ ଖେଳିବାକୁ ଚାହିଁଥିଲେ ମଧ୍ୟ ଏହା ସମ୍ଭବ ହୋଇ ନଥିଲା। ଶେଷରେ ନ୍ୟୁଜିଲ୍ୟାଣ୍ଡ ୨୦ ଓଭର ସୁଦ୍ଧା ୬ ୱିକେଟ ହରାଇ ୧୫୯ରେ ଅଟକି ଯାଇଥିଲା।

ଏହି ମ୍ୟାଚ୍‌କୁ ୨୦ ରନରେ ଜିତି ଇଂଲଣ୍ଡ ଗୁରୁତ୍ୱପୂର୍ଣ୍ଣ ୨ ପଏଣ୍ଟ ହାସଲ କରିଛି। ଦଳ ପକ୍ଷରୁ କ୍ରିସ ୱିକ୍ସ ଓ ସାମ କୁରାନ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ମାର୍କ ଉଡ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ତେବେ ୪୭ ବଲରେ ୭୩ ରନ କରିଥିବା ବଟଲରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos