ଟି-୨୦ ବିଶ୍ୱକପ: ଭାରତର ୫ ଚିନ୍ତା, କେମିତି ଜିତିବ ଟ୍ରଫି?

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଜିତିଛି। ଏସିଆ କପର ସୁପର ୪ରୁ ବାଦ ପଡ଼ିବା ପରେ ଭାରତ ଏହି ଦୁଇ ସିରିଜ୍‌ ଜିତି ନିଜର ମନବଳ ବୃଦ୍ଧି କରିଛି। ଏବେ ଭାରତର ପରବର୍ତ୍ତୀ ପରୀକ୍ଷା ଟି-୨୦ ବିଶ୍ୱକପରେ ହେବ। ୨୦୨୧ ଟି-୨୦ ବିଶ୍ୱକପ ୟୁଏଇରେ ଖେଳା ଯାଉଥିଲା। କିନ୍ତୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଭାରତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। […]

Team-India

  • Published: Wednesday, 05 October 2022
  • , Updated: 05 October 2022, 04:53 PM IST

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଜିତିଛି। ଏସିଆ କପର ସୁପର ୪ରୁ ବାଦ ପଡ଼ିବା ପରେ ଭାରତ ଏହି ଦୁଇ ସିରିଜ୍‌ ଜିତି ନିଜର ମନବଳ ବୃଦ୍ଧି କରିଛି। ଏବେ ଭାରତର ପରବର୍ତ୍ତୀ ପରୀକ୍ଷା ଟି-୨୦ ବିଶ୍ୱକପରେ ହେବ।

୨୦୨୧ ଟି-୨୦ ବିଶ୍ୱକପ ୟୁଏଇରେ ଖେଳା ଯାଉଥିଲା। କିନ୍ତୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଭାରତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଏବେ ୨୦୨୨ ବିଶ୍ୱକପ ଅଷ୍ଟ୍ରେଲିଆ ଭଳି ବାଉନ୍ସିଂ ପିଚ୍‌ରେ ଅନୁଷ୍ଠିତ ହେବ। ଭାରତ ମଧ୍ୟ ବିଶ୍ୱକପ ଜିତିବାର ପ୍ରବଳ ଦାବିଦାର ରହିଛି। କିନ୍ତୁ ଟି-୨୦ ବିଶ୍ୱକପ ଜିତିବା ଭାରତ ପାଇଁ ସେତେଟା ସହଜ ହେବନି। ଭାରତ ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ଦଳ ଆଗରେ ଏକାଧିକ ଚ୍ୟାଲେଞ୍ଜ ଓ ଚିନ୍ତା ସୃଷ୍ଟି ହୋଇଛି।


ଭାରତକୁ ଅଷ୍ଟ୍ରେଲିଆରେ ବିଶ୍ୱକପ ଜିତିବାକୁ ହେଲେ ୩ଟି ଯାକ ବିଭାଗ-ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂକୁ ସୁଧାରିବାକୁ ପଡ଼ିବ। କେବଳ ବ୍ୟାଟିଂ କିମ୍ବା ବୋଲିଂ ବଳରେ ବିଶ୍ୱକପ ଜିତିବା ସମ୍ଭବ ନୁହେଁ। ଡେଥ ବା ଶେଷ ଭାଗ ବୋଲିଂ ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏସିଆ କପରୁ ଭାରତ ଡେଥ ବୋଲିଂରେ ଅଧିକ ରନ ଖର୍ଚ୍ଚ କରିବାରେ ଲାଗିଛି।

ଲାଗୁଥିଲା ଯଶପ୍ରୀତ ବୁମ୍ରା ଆସିବା ପରେ ସବୁ କିଛି ଠିକ ହୋଇଯିବ। ହେଲେ ବୁମ୍ରା ଆହତ ଯୋଗୁ ବିଶ୍ୱକପରୁ ବାଦ ପଡ଼ିଛନ୍ତି। ଏବେ ତାଙ୍କ ସ୍ଥାନ କିଏ ନେବେ, ତା’ହା ସବୁଠାରୁ ବଡ଼ ପ୍ରଶ୍ନ। ଏହାବାଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିପ୍ଲେସ କରିବା ଭଳି କୌଣସି ଅଲରାଉଣ୍ଡର ବିଶ୍ୱକପ ସ୍କ୍ୱାଡରେ ନାହାନ୍ତି। ଯଦି ପାଣ୍ଡ୍ୟା ବିଶ୍ୱକପ ଅଧାରୁ ଆହତ ହୁଅନ୍ତି, ତା’ହେଲେ ଟିମ୍‌ କିମ୍ବିନେସନ କେମିତି କରାଯିବ, ତା’ର ଉତ୍ତର କାହା ପାଖରେ ନାହିଁ।

ଭାରତର ଟପ୍‌ ୫ ଚିନ୍ତାର ବିଷୟ

୧-ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି

ଆହତ ଯୋଗୁ ବୁମ୍ରା ଟି-୨୦ ବିଶ୍ୱକପରୁ ବାଦ ପଡ଼ିବା ଟିମ ଇଣ୍ଡିଆ ପାଇଁ ଗୋଟିଏ ବଡ଼ ଝଟକା। ଏଯାଏ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରାଯାଇନାହିଁ। ବିଶ୍ୱକପ ଟିମରେ ଷ୍ଟାଣ୍ଡବାଇ ଭାବେ ମହମ୍ମଦ ଶାମି ଓ ଦୀପକ ଚହର ଅଛନ୍ତି। କିନ୍ତୁ ଉଭୟ ଚଳିତ ବର୍ଷ ଅଧିକାଂଶ ଟି-୨୦ ମ୍ୟାଚ୍‌ରୁ ବାହାରେ ରହିଥିଲେ। ଚହର ଅବଶ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଖେଳିଛନ୍ତି। କିନ୍ତୁ କ’ଣ ବିଶ୍ୱକପ ପୂର୍ବରୁ ପ୍ରଦର୍ଶନ ଆକଳନ କରିବାକୁ ୩ଟି ମ୍ୟାଚ୍‌ ଯଥେଷ୍ଟ?

ଅନ୍ୟପଟେ ଶାମି ଭାରତ ପାଇଁ ଚଳିତ ବର୍ଷ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି। ସେ ଆଇପିଏଲରେ କେବଳ ଖେଳିଥିଲେ। ତାଙ୍କୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ସାମିଲ କରାଯାଇଥିଲା। କିନ୍ତୁ କରୋନା ପାଇଁ ସେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିନାହାନ୍ତି। ମହମ୍ମଦ ସିରାଜଙ୍କ କଥା ବିଚାରକୁ ନିଆଯାଇପାରେ। ହେଲେ ସେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ଢେର ରନ ବ୍ୟୟ କରିଛନ୍ତି। ତେଣୁ ଟିମ ମ୍ୟାନେଜମେଣ୍ଟ କାହାକୁ ବିଶ୍ୱକପରେ ସାମିଲ କରିବ, ତାହା ବଡ଼ ପ୍ରଶ୍ନ।


୨- ଡେଥ ବୋଲିଂ

ଏସିଆ କପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଦେଖିବାକୁ ମିଳିଛି ଯେ ଭାରତୀୟ ବୋଲରମାନେ ଡେଥ ଓଭର ଗୁଡ଼ିକରେ ପ୍ରବଳ ରନ ଖର୍ଚ୍ଚ କରୁଛନ୍ତି। ଭୁବନେଶ୍ୱର କୁମାର ସବୁଠାରୁ ଅଭିଜ୍ଞ ବୋଲର। ହେଲେ ସେ ଏକାଧିକ ମ୍ୟାଚ୍‌ର ୧୯ମ ଓଭରରେ ଅଧିକ ରନ ଦେବାରୁ ଭାରତକୁ ମ୍ୟାଚ ହାରିବାକୁ ପଡ଼ିଛି।

ଏସିଆ କପରେ ପାକିସ୍ତନ ଓ ଶ୍ରୀଲଙ୍କା ବିପକ୍ଷ ୧୯ତମ ଓଭରରେ ଭୁବିଙ୍କ ଖରାପ ବୋଲିଂ ଯୋଗୁ ଭାରତ ମ୍ୟାଚ୍‌ ହାତ ଛଡ଼ା କରିଥିଲା। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ଭୁବି ସମାନ ପ୍ରଦର୍ଶନ କରିଥିଲେ। ଭୁବିଙ୍କ ବ୍ୟତୀତ ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ ମଧ୍ୟ ଡେଥ ଓଭରରେ କ୍ରମାଗତ ରନ ଲିକ୍‌ କରିବାରେ ଲାଗିଛନ୍ତି।

ଭାରତର ଡେଥ ଓଭର ସ୍ପେଶାଲିଷ୍ଟ ବୁମ୍ରା ବାଦ ପଡ଼ିଥିବାରୁ ଏବେ ଏହି ସମସ୍ୟା କେମିତି ସମାଧାନ ହେବ, ତା’ର ସବୁଠାରୁ ବଡ଼ ପ୍ରଶ୍ନ। ଭାରତୀୟ ବୋଲରମାନେ ଶେଷ ଭାଗରେ ୟର୍କର ପକାଇବାକୁ ଅକ୍ଷମ ହେଉଛନ୍ତି। ପୂର୍ବରୁ ନିଜର ସ୍ଲୋ ବଲରେ ଚକମା ଦେଉଥିବା ହର୍ଷଲ ପଟେଲଙ୍କ ପ୍ରଭାବ ମଧ୍ୟ ଆଉ ଦେଖିବାକୁ ମିଳୁନି। ତେଣୁ ତାଙ୍କୁ ବିଶ୍ୱକପରେ କିଛି ନୂଆ ଭାରିଏସନ ସହ ପ୍ରତିପକ୍ଷ ବ୍ୟାଟରଙ୍କୁ ଚକମା ଦେବା ବିଷୟରେ ଚିନ୍ତା କରିବାକୁ ପଡ଼ିବ।


୩- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲରାଉଣ୍ତର ନାହାନ୍ତି

ଟି-୨୦ ଫର୍ମାଟରେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତର ଟ୍ରମ କାର୍ଡ। ଚଳିତ ବର୍ଷ ସେ ନିଜର ବ୍ୟାଟିଂ ଓ ବୋଲିଂ ବଳରେ ଭାରତକୁ ଏକାକୀ ଜିତାଇବାକୁ ସକ୍ଷମ ବୋଲି ଏକାଧିକ ଥର ପ୍ରମାଣ କରି ଦେଖାଇଛନ୍ତି। କିନ୍ତୁ ଆମକୁ ଭାବିବାକୁ ପଡ଼ିବ ଯେ ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୁଅନ୍ତି, ତା’ହେଲେ କ’ଣ କରାଯିବ?

ପାଣ୍ଡ୍ୟା ଆହତ ହେଲେ ବିଶ୍ୱକପରେ ଭାରତର ଟିମ୍‌ କିମ୍ବିନେସନ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିବ। ସେହିପରି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ପାଣ୍ଡ୍ୟାଙ୍କୁ ବିଶ୍ରାମ ମଧ୍ୟ ମିଳିବ ନାହିଁ। ନିକଟରେ ସେ ଆହତ ସମସ୍ୟାରୁ ମୁକୁଳିଛନ୍ତି। ଯଦି ଟୁର୍ଣ୍ଣାମେଣ୍ଟ ଅଧାରୁ ସେ ଆହତ ହୁଅନ୍ତି, ତା’ହେଲେ ତାଙ୍କୁ ରିପ୍ଲେସ କରିବା ଭଳି ଅଲରାଣ୍ଡର ଭାରତୀୟ ସ୍କ୍ୱାଡରେ ନାହାନ୍ତି।


୪- ଋଷଭ ପନ୍ତଙ୍କ ଫର୍ମ

ୱିକେଟ କିପର ଋଷଭ ପନ୍ତଙ୍କ ପାଖରେ ଯଥେଷ୍ଟ ଦକ୍ଷତା ରହିଛି। ହେଲେ ଏଯାଏ ସେ ଟି-୨୦ ଫର୍ମାଟରେ ନିଜର ଦକ୍ଷତା ସେତେଟା ପ୍ରଦର୍ଶନ କରିପାରି ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ୩ଟି ଯାକ ମ୍ୟାଚ୍‌ ପନ୍ତ ଖେଳିଥିଲେ। ହେଲେ ସେ କେବଳ ତୃତୀୟ ଟି-୨୦ରେ ବ୍ୟାଟିଂ କରିବାକୁ ସକ୍ଷମ ହୋଇଛନ୍ତି।

ଏହି ଗୋଟିଏ ମ୍ୟାଚ୍‌ରେ ସେ ୧୪ ବଲରେ ୨୭ ରନର ଇନିଂସ ଖେଳିଛନ୍ତି। ସେ ଓପନିଂ କରି ଏପରି ରନ କରିଛନ୍ତି। ହେଲେ ବିଶ୍ୱକପରେ କେଏଲ ରାହୁଲ ଓ ରୋହିତ ଶର୍ମା ଥିବାରୁ ପନ୍ତଙ୍କୁ ଓପନ କରିବାର ସୁଯୋଗ ମିଳିବ ନାହିଁ। ମଧ୍ୟକ୍ରମରେ ସେ ଯଦି ଖେଳିବେ, ତେବେ କେଉଁ ସ୍ଥାନରେ ବ୍ୟାଟିଂ କରିବେ? ଚଳିତ ବର୍ଷ ପନ୍ତ ମଧ୍ୟକ୍ରମରେ ବ୍ୟାଟିଂ କରି ସେମିତି କିଛି ବଡ଼ ରନ କରିନାହାନ୍ତି। ତେଣୁ ପନ୍ତଙ୍କ ଫର୍ମ ସବୁଠାରୁ ବଡ଼ ଚିନ୍ତା। ବର୍ତ୍ତମାନ ଆମେ କହିପାରିବା ଯେ ପନ୍ତଙ୍କ ସ୍ଥାନ ଦୀନେଶ କାର୍ତ୍ତିକ ନେବେ।


୫- ମଧ୍ୟଭାଗରେ ୟୁଜି ଚହଲ ୱିକେଟ ନେଇ ପାରୁନାହାନ୍ତି

ଲେଗ ସ୍ପିନର ବଡ଼ ଗ୍ରାଉଣ୍ତରେ ଘାତକ ସାବ୍ୟସ୍ତ ହେବାର ନଜିର ରହିଛି। ତେଣୁ ଟିମ ଇଣ୍ଡିଆ ବିଶ୍ୱକପରେ ୟୁଜି ଚହଲଙ୍କ ଉପରେ ଅଧିକ ଭରସା କରିବ। ଅଷ୍ଟ୍ରେଲିଆରେ ବଡ଼ ଗ୍ରାଉଣ୍ଡ ଥିବାରୁ ଚହଲ ଫ୍ଲାଇଟିଂ ଦ୍ୱାରା ରିସ୍କ ନେଇପାରନ୍ତି। ଏହା ଭାରତକୁ ୱିକେଟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଚହଲଙ୍କ ଫର୍ମ ଅଧିନାୟକ ରୋହିତ ଶର୍ମା ଓ ଟିମ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି।

ଚହଲ ମଧ୍ୟକ୍ରମରେ ରନ ରୋକିବାକୁ ସକ୍ଷମ ହେଉ ନାହାନ୍ତି। ସେହିପରି ନିୟମିତ ଭାବେ ୱିକେଟ ଦଖଲ କରିବା ମଧ୍ୟ ତାଙ୍କ ପାଇଁ ସ୍ୱପ୍ନ ହୋଇଗଲାଣି। ଏସିଆ କପ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଚହଲ ମଧ୍ୟଭାଗରେ ପ୍ରବଳ ରନ ଦେଇଥିଲେ। ସେହିପରି କାଁଭାଁ ୱିକେଟ ମଧ୍ୟ ତାଙ୍କୁ ମିଳୁଥିଲା।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ତାଙ୍କୁ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିବାର ସୁଯୋଗ ମିଳି ନଥିଲା। ଚହଲଙ୍କ ବଦଳରେ ରବି ଅଶ୍ୱିନଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ ଅଧିକ ଭରସା ଦେଖାଇଥିଲା। ତେଣୁ ଚହଲଙ୍କୁ ବିଶ୍ୱକପ ପୂର୍ବରୁ ନିଜର ଫର୍ମକୁ ଫେରିବାକୁ ପଡ଼ିବ। ନଚେତ ବୁମ୍ରା ବାଦ ପଡ଼ିବା ପରେ ଦୁର୍ବଳ ହୋଇପଡ଼ିଥିବା ଟିମ ଇଣ୍ଡିଆ ବିଶ୍ୱକପରେ ଆହୁରି କଠିନ ସମୟର ସମ୍ମୁଖୀନ ହେବ।

Related story