ଶେନ ୱାର୍ଣ୍ଣଙ୍କୁ ବଞ୍ଚାଇବାକୁ ସାଙ୍ଗମାନେ କରିଥିଲେ ‘୨୦ ମିନିଟ୍‌ର ସଂଘର୍ଷ’

ମେଲବର୍ଣ୍ଣ: କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ଣ୍ଣଙ୍କ ଅକାଳ ବିୟୋଗରେ ପୂରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ଥାଇଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିବା ବେଳେ ଶେନ ୱାର୍ଣ୍ଣ ହୃଦଘାତରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। ତେବେ ଏହି ଅଷ୍ଟ୍ରେଲୀୟ ଲିଜେଣ୍ଡଙ୍କୁ ବଞ୍ଚାଇବା ପାଇଁ ତାଙ୍କର ୩ ଜଣ ବନ୍ଧୁ ୨୦ ମିନିଟ୍‌ ଧରି ସବୁ ପ୍ରକାରର ପ୍ରୟାସ କରିଥିଲେ। କିନ୍ତୁ ସେମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ୱାର୍ଣ୍ଣ […]

shane-warne

Hemant Lenka
  • Published: Saturday, 05 March 2022
  • , Updated: 05 March 2022, 10:04 AM IST

ମେଲବର୍ଣ୍ଣ: କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ଣ୍ଣଙ୍କ ଅକାଳ ବିୟୋଗରେ ପୂରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ଥାଇଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିବା ବେଳେ ଶେନ ୱାର୍ଣ୍ଣ ହୃଦଘାତରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା।

ତେବେ ଏହି ଅଷ୍ଟ୍ରେଲୀୟ ଲିଜେଣ୍ଡଙ୍କୁ ବଞ୍ଚାଇବା ପାଇଁ ତାଙ୍କର ୩ ଜଣ ବନ୍ଧୁ ୨୦ ମିନିଟ୍‌ ଧରି ସବୁ ପ୍ରକାରର ପ୍ରୟାସ କରିଥିଲେ। କିନ୍ତୁ ସେମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ୱାର୍ଣ୍ଣ ଆଉ ଫେରି ନଥିଲେ। ଥାଇଲ୍ୟାଣ୍ଡ ପୁଲିସ୍‌ କହିଛି, କୋ ସାମଉଇରେ ଥିବା ଗୋଟିଏ ପ୍ରାଇଭେଟ ଭିଲ୍ଲାରେ ଶେନ ୱାର୍ଣ୍ଣ ଓ ତାଙ୍କର ୩ ଜଣ ବନ୍ଧୁ ରହୁଥିଲେ।

ସବୁ କିଛି ଶୁକ୍ରବାର ସନ୍ଧ୍ୟା ଯାଏ ଠିକ ଠାକ ଚାଲିଥିଲା। ତେବେ ଡିନର ପାଇଁ ଶେନ ୱାର୍ଣ୍ଣ ନ ଆସିବାରୁ ତାଙ୍କର ଜଣେ ବନ୍ଧୁ ଡାକିବା ପାଇଁ ଯାଇଥିଲେ। ସେ ରୁମରେ ପହଞ୍ଚିଲା ବେଳକୁ ଶେନ ୱାର୍ଣ୍ଣ ଅଚେତ ହୋଇ ରହିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ବନ୍ଧୁ ଜଣଙ୍କ ତୁରନ୍ତ ଶେନ ୱାର୍ଣ୍ଣଙ୍କ Cardiopulmonary resuscitation ବା ସିପିଆର କରିଥିଲେ। ଅନ୍ୟ ଦୁଇ ସାଙ୍ଗ ଆମ୍ବୁଲାନ୍ସ ଡାକିଥିଲେ।

ଖବର ପାଇ ଏମର୍ଜେନ୍ସି ରେସପନ୍ସ ଟିମ୍ ଭିଲ୍ଲାରେ ପହଞ୍ଚିଥିଲା। ସେମାନେ ମଧ୍ୟ ୧୦ରୁ ୧୫ ମିନିଟ ଧରି ଆଉ ଥରେ ସିପିଆର କରିଥିଲେ। ଏହାପରେ ଥାଇଲ୍ୟାଣ୍ଡ ଇଣ୍ଟରନ୍ୟାଶନାଲ ହସ୍ପିଟାଲର ଗୋଟିଏ ଆମ୍ବୁଲାନ୍ସ ପହଞ୍ଚିଥିଲା ଓ ଶେନ ୱାର୍ଣ୍ଣଙ୍କୁ ସେଠାକୁ ନିଆଯାଇଥିଲା। ହସ୍ପିଟାଲରେ ୫ ମିନିଟ ଧରି ପୁଣିଥରେ ତାଙ୍କର ସିପିଆର କରାଯାଇଥିଲା। ହେଲେ ଏହାପରେ ଶେନ ୱାର୍ଣ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୁଲିସ୍‌ କହିଛି।

ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିସେ ପେନ କହିଛନ୍ତି, ଅଧିକାରୀମାନେ ଥାଇଲ୍ୟାଣ୍ତରେ ଥିବା ଶେନ ୱାର୍ଣ୍ଣଙ୍କ ସାଙ୍ଗମାନଙ୍କ ସହ କଥା ହୋଇଛନ୍ତି। ଶନିବାର ଅଧିକାରୀମାନେ କୋ ସାମଉଇ ଯିବେ ଓ ସେଠାରେ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଅଷ୍ଟ୍ରେଲିଆ ସରକାର ଥାଇଲ୍ୟାଣ୍ଡ ସହ ନିୟମିତ ଯୋଗାଯୋଗରେ ରହିଥିବା ସେ କହିଛନ୍ତି।

ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇ କ୍ରିକେଟ୍‌ ଜଗତ ସ୍ତବ୍ଧ ହୋଇପଡ଼ିଛି। ତାଙ୍କ ପରଲୋକ କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ହୃଦଘାତର କିଛି ଘଣ୍ଟା ପୂର୍ବରୁ ୱାର୍ଣ୍ଣ ନିଜ ଦେଶର କ୍ରିକେଟର୍ ରଡନୀ ମାର୍ଶଙ୍କ ଦେହାନ୍ତରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଏହି ଟ୍ୱିଟ ପରେ ୱାର୍ଣ୍ଣ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

ଉଭୟ ଦିନିକିଆ ଓ ଟେଷ୍ଟରେ ଶେନ୍ ୱାର୍ଣ୍ଣ ୧୦୦୧ଟି ୱିକେଟ୍ ନେଇଥିଲେ। ସେ ୧୪୫ଟି ଟେଷ୍ଟରୁ ୭୦୮ଟି ୱିକେଟ୍ ପାଇଥିଲେ। ଏହି ଫର୍ମାଟ୍‌ରେ ସେ ୩,୧୫୪ ରନ୍ ମଧ୍ୟ କରିଥିଲେ। ସେହିପରି ଶେନ୍ ୱାର୍ଣ୍ଣ ୧୯୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୨୯୩ଟି ୱିକେଟ୍ ହାସଲ କରିଥିଲେ। ଦିନିକିଆରେ ସେ ୧,୦୧୮ ରନ୍ କରିଥିଲେ।

ଟେଷ୍ଟ୍ ମ୍ୟାଚ୍‌ରେ ଶେନ୍ ୱାର୍ଣ୍ଣଙ୍କ ବୋଲିଂ ଆଭେରେଜ ୨୫.୪୧ ରହିଥିଲା। ସେହିଭଳି ଦିନିକିଆରେ ଏହା ୨୫.୭୩ ରହିଥିଲା। ସେ ଟେଷ୍ଟ୍ ମ୍ୟାଚ୍‌ରେ ୩୭ ଥର ୫ଟି ୱିକେଟ୍ ନେଇଥିଲେ। ୭୧ ରନ୍‌ରେ ୮ ୱିକେଟ୍‌ ଥିଲା ଏହି ଫର୍ମାଟ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ଦିନିକିଆରେ ୩୩ ରନ୍‌ରେ ୫ଟି ୱିକେଟ୍‌ ଥିଲା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

Related story