ସରିଗଲା କ୍ରିକେଟର ହରଭଜନ ସିଂହଙ୍କ ଯୁଗ

ନୂଆଦିଲ୍ଲୀ: ଆଉ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିବନି ଭଜିଙ୍କ ଯାଦୁ। ଆଉ ଷ୍ଟାଣ୍ଡରୁ ଶୁଭିବନି ଭଜି ଭଜିର ନାରା। କାରଣ କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଆଜି ଅଲବିଦା କହିଛନ୍ତି ଟିମ୍‌ ଇଣ୍ଡିଆର ଅପସ୍ପିନର ହରଭଜନ ସିଂହ। ସେ ଟ୍ୱିଟ ଯୋଗେ କ୍ରିକେଟରୁ ଅବସର ନେଇଥିବା ସୂଚନା ଦେଇଛନ୍ତି। ଏଥିସହ ୟୁଟ୍ୟୁବରେ ମଧ୍ୟ ସେ ଗୋଟିଏ ଭିଡିଓ ପୋଷ୍ଟ କରି ଅବସରର କାରଣ କହିଛନ୍ତି। ଭଜିଙ୍କ ଅବସର ସହ ୨୩ ବର୍ଷ ଧରି କ୍ରିକେଟରେ ଚାଲିଥିବା ତାଙ୍କ […]

Harbhajan

Hemant Lenka
  • Published: Friday, 24 December 2021
  • , Updated: 24 December 2021, 03:49 PM IST

ନୂଆଦିଲ୍ଲୀ: ଆଉ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିବନି ଭଜିଙ୍କ ଯାଦୁ। ଆଉ ଷ୍ଟାଣ୍ଡରୁ ଶୁଭିବନି ଭଜି ଭଜିର ନାରା। କାରଣ କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଆଜି ଅଲବିଦା କହିଛନ୍ତି ଟିମ୍‌ ଇଣ୍ଡିଆର ଅପସ୍ପିନର ହରଭଜନ ସିଂହ। ସେ ଟ୍ୱିଟ ଯୋଗେ କ୍ରିକେଟରୁ ଅବସର ନେଇଥିବା ସୂଚନା ଦେଇଛନ୍ତି। ଏଥିସହ ୟୁଟ୍ୟୁବରେ ମଧ୍ୟ ସେ ଗୋଟିଏ ଭିଡିଓ ପୋଷ୍ଟ କରି ଅବସରର କାରଣ କହିଛନ୍ତି।

ଭଜିଙ୍କ ଅବସର ସହ ୨୩ ବର୍ଷ ଧରି କ୍ରିକେଟରେ ଚାଲିଥିବା ତାଙ୍କ ଯାଦୁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୦୦ ମସିହାରୁ ଭଜି ଟିମ୍‌ ଇଣ୍ଡିଆର ସବୁ ଫର୍ମାଟରେ ଜଣେ ସକ୍ରିୟ ସଦସ୍ୟ ଭାବେ ଖେଳି ଆସୁଥିଲେ। କିନ୍ତୁ ୧୯୯୮ ମାର୍ଚ୍ଚରେ ସେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ।  ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ଜିତିଥିବା ଟିମ୍‌ରେ ହରଭଜନ ରହିଥିଲେ।

୨୦୦୧ରେ ଭାରତ ଘରୋଇ ମାଟିରେ ଷ୍ଟିଭ ୱଙ୍କ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା। ଏହି ସମୟରେ ଭଜିଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଏହି ଟେଷ୍ଟ ମ୍ୟାଚ୍‌ ତାଙ୍କ କ୍ରିକେଟ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିଲା ଓ ସେ ଟିମ୍‌ ଇଣ୍ଡିଆର ଜଣେ ନିୟମିତ ସଦସ୍ୟ ହୋଇ ଯାଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଉକ୍ତ ସିରିଜ୍‌ରେ ସେ ୩୨ଟି ୱିକେଟ ନେଇଥିଲେ। ଏହା ମଧ୍ୟରେ ଗୋଟିଏ ହ୍ୟାଟ୍ରିକ ବି ରହିଥିଲା। ଇଡେନ ଗାର୍ଡେନରେ ଖେଳ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଥିଲେ। ଏଥିସହ ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟରେ ହ୍ୟାଟ୍ରିକ ହାସଲ କରିବାର ରେକର୍ଡ କରିଥିଲେ।

ଆଜି ଭଜି କହିଛନ୍ତି, “ସବୁ ଭଲ ଜିନିଷର ଶେଷ ରହିଛି। ମୋତେ ମୋ ଜୀବନରେ ସବୁ କିଛି ଦେଇଥିବା ଖେଳକୁ ଆଜି ମୁଁ ଅଲବିଦା କହୁଛି। ଏହି ୨୩ ବର୍ଷର ସୁନ୍ଦର ଯାତ୍ରା ମଧ୍ୟରେ ମୋତେ ସହଯୋଗ ଓ ସମର୍ଥନ କରି ଆସିଥିବା ସମସ୍ତଙ୍କୁ ଧନ୍ୟବାଦ। ସମସ୍ତଙ୍କୁ କୃତଜ୍ଞତା।”

୧୯୯୮ ମସିହାରେ ଭଜି ଭାରତ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ତେବେ ଯୁବ ବୟସରେ ମଧ୍ୟ ସେ ଅନ୍ତର୍ଜାତୀୟ ବ୍ୟାଟର୍ସଙ୍କୁ ନିଜ ସ୍ପିନ ଜାଲରେ ଫସାଇ ଥିଲେ। ମାତ୍ର ୨ ବର୍ଷ ମଧ୍ୟରେ ସେ ନିଜର କଠିନ ପରିଶ୍ରମ ବଳରେ ଟିମ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରଥିଲେ।

ଭାରତ ପାଇଁ ସେ ୧୦୩ଟି ଟେଷ୍ଟ ମ୍ୟାଚ୍ ଖେଳି ୪୧୭ଟି ୱିକେଟ ନେଇଛନ୍ତି। ଏଥିସହ ଭାରତର ୪ର୍ଥ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ମାନ୍ୟତା ମଧ୍ୟ ପାଇଛନ୍ତି। ଏହାବାଦ ହରଭଜନ ଭାରତ ପାଇଁ ୨୩୬ଟି ଦିନିକିଆରେ ୨୬୯ ୱିକେଟ ଓ ୨୮ଟି ଟ୍ୱେଣ୍ଟି-୨୦ରେ ୨୫ଟି ସଫଳତା ପାଇଛନ୍ତି।


ହରଭଜନ ୨୦୦୩ ଓ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ଖେଳି ଥିବା କିଛି ହାତ ଗଣତି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି।
ଆଇପିଏଲରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। ସେ ୨୦୦୮ରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ। ତେବେ ଏହାପରେ ଚେନ୍ନାଇ ସୁପର କିଙ୍ଗସ ଓ ଏବେ କୋଲକାତା ନାଇଡ ରାଇଡର୍ସ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ଆଇପିଏଲରେ ସେ ୧୬୩ଟି ମ୍ୟାଚ୍‌ରେ ୧୫୦ଟି ୱିକେଟ ନେଇଛନ୍ତି।

Related story