କାହିଁକି ଓ କେମିତି ଟିମ୍ ଇଣ୍ଡିଆର ମେଣ୍ଟର ହେଲେ ଧୋନି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଚୟନ କରିଛି। ଏଥିସହ ବୋର୍ଡ ଆଉ ଏକ ବଡ଼ ଘୋଷଣା କରି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରିଛି। ଏହି ନିଷ୍ପତ୍ତି ଯେତିକି ଖୁସି ଦେଇଛି, ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ମଧ୍ୟ କରିଛି। ତେବେ ସମସ୍ତଙ୍କ ମନରେ କିଛି ପ୍ରଶ୍ନ ଉଠିଛି। ଯେପରିକି ଧୋନିଙ୍କ ମେଣ୍ଟର ହେବା ପଛର କାରଣ କ’ଣ? ତାଙ୍କୁ ମେଣ୍ଟର କରିବା […]

ms-dhoni

ms-dhoni

Ranjit Kumar Jena
  • Published: Thursday, 09 September 2021
  • Updated: 09 September 2021, 04:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଚୟନ କରିଛି। ଏଥିସହ ବୋର୍ଡ ଆଉ ଏକ ବଡ଼ ଘୋଷଣା କରି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରିଛି। ଏହି ନିଷ୍ପତ୍ତି ଯେତିକି ଖୁସି ଦେଇଛି, ତା'ଠାରୁ ଅଧିକ ଆଶ୍ଚର୍ଯ୍ୟ ମଧ୍ୟ କରିଛି। ତେବେ ସମସ୍ତଙ୍କ ମନରେ କିଛି ପ୍ରଶ୍ନ ଉଠିଛି। ଯେପରିକି ଧୋନିଙ୍କ ମେଣ୍ଟର ହେବା ପଛର କାରଣ କ'ଣ? ତାଙ୍କୁ ମେଣ୍ଟର କରିବା ପାଇଁ କିଏ ଚିନ୍ତା କଲା? ଆସନ୍ତୁ ଜାଣିବା ଏହା ପଛର ପୂରା କାହାଣୀ।

ଦୁଇମାସ ତଳେ ବିସିସିଆଇ ସମ୍ପାଦକ ଜୟ ଶାହ ଧୋନିଙ୍କୁ ଯୋଗାଯୋଗ କରିଥିଲେ। ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ସହଯୋଗ କରିବା ପାଇଁ ଧୋନିଙ୍କୁ ଯେତେବେଳେ ଜୟ ଶାହ ପ୍ରସ୍ତାବ ଦେଲେ, ମାହି ତୁରନ୍ତ ହଁ ଭରିଥିଲେ। ତେବେ ଟିମରେ ତାଙ୍କର ଭୂମିକା କ'ଣ ହେବ, ସେ ନେଇ ଧୋନି ସେକ୍ରେଟାରୀଙ୍କୁ ପଚାରିଥିଲେ। ଏହା ପରେ ଜୟ ଶାହ ଇଂଲଣ୍ଡରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି, ରୋହିତ୍ ଶର୍ମା ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ଏ ପ୍ରସ୍ତାବ ସମ୍ବନ୍ଧରେ ପଚାରିଥିଲେ। ତିନିଜଣ ଯାକ ମଧ୍ୟ ଧୋନିଙ୍କ ଉପସ୍ଥିତିକୁ ନେଇ ରାଜି ହୋଇଥିଲେ। ତେବେ ଏଇଠି ବଡ଼ କଥା ହେଉଛି, ଟିମରେ ଧୋନିଙ୍କ ଭୂମିକା କ'ଣ ହେବ?

ଟିମରେ ଧୋନିଙ୍କ ରୋଲ୍‌ କ'ଣ ହେବ‍‍, ତାକୁ ନେଇ ବୋର୍ଡର ସମ୍ପାଦକ ଓ କୋଚ୍ ଶାସ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶାସ୍ତ୍ରୀଙ୍କୁ କୁହାଗଲା ଧୋନିଙ୍କ ଉପସ୍ଥିତିରେ ଆପଣଙ୍କ ସମ୍ମାନରେ କୌଣସି ଆଞ୍ଚ୍ ଆସିବ ନାହିଁ। ଏପରିକି ଆପଣଙ୍କ ଭୂମିକା ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଧୋନି ଆପଣଙ୍କ ଉପରେ କାମ କରିବେ ନାହିଁ କି ଆପଣଙ୍କ ଅଧିନରେ ମଧ୍ୟ ରହିବେ ନାହିଁ। ଅର୍ଥାତ୍ ବିଶ୍ୱକପରେ ଶାସ୍ତ୍ରୀ ଓ ଧୋନିଙ୍କ ବରାବର ଭୂମିକା ରହିବ। କୋଚ୍ ଭାବେ ଶାସ୍ତ୍ରୀଙ୍କ ଭୂମିକା ବା ଦାୟିତ୍ୱ ଯେତିକି ରହିବ, ମେଣ୍ଟର ଭାବେ ଧୋନିଙ୍କୁ ମଧ୍ୟ ସେମିତି କ୍ଷମତା ମିଳିବ। ଶାସ୍ତ୍ରୀ କହିଲେ ଯେ ଯଦି ଏହାଦ୍ୱାରା ଟିମର ଫାଇଦା ହେବ, ତାହେଲେ ଏଥିରେ ତାଙ୍କର କୌଣସି ସମସ୍ୟା ନାହିଁ। ଏହା ପରେ ଏହାକୁ ପ୍ରକ୍ରିୟା ଭାବେ ପ୍ରସ୍ତୁତ କରାଗଲା ଏବଂ ବାକି ଷ୍ଟେକ୍ ହୋଲ୍ଡରଙ୍କୁ ଏଥିରେ ସାମିଲ୍ କରାଗଲା।

କାହିଁକି ଧୋନିଙ୍କୁ କରାଗଲା ମେଣ୍ଟର?
କ୍ୟାପଟେନ୍ ଭାବେ ଧୋନିଙ୍କ ପାଖରେ ତିନୋଟି ଆଇସିସି ଟ୍ରଫି ଜିତିବାର ଅଭିଜ୍ଞତା ରହିଛି। ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ୍, ୨୦୧୧ ବିଶ୍ୱକପ୍ ଏବଂ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଛି। କିନ୍ତୁ କ୍ୟାପଟେନ୍ ଭାବେ ବିପୁଳ ସଫଳପା ପାଇଥିବା ବିରାଟ୍ କୋହଲି ଏଯାଏ ଆଇସିସିର ଟ୍ରଫି ଜିତିପାରିନାହାନ୍ତି। ତେଣୁ ଆଇସିସି ଟ୍ରଫି ଜିତିବା ପାଇଁ କୋହଲିଙ୍କୁ ହୁଏତ ଧୋନିଙ୍କ ସହଯୋଗ ଦରକାର ପଡ଼ିପାରେ। ତା'ଛଡ଼ା ଡ୍ରେସିଂ ରୁମରେ ସକାରାତ୍ମକ ଚିନ୍ତାଧାରା ପାଇଁ ଧୋନିଙ୍କ ଅଭିଜ୍ଞତା ଫଳପ୍ରଦ ହୋଇପାରେ। ମେଣ୍ଟର ଭାବେ ଧୋନି ଭାରତୀୟ ଟିମର ଯୁବ ଖେଳାଳିଙ୍କ ବିକାଶ ପାଇଁ କାମ କରିବେ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିସିସିଆଇ ଧୋନିଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରିଛି। ଟିମର ରଣନୀତି ଓ ଟେକନିକର ଦାୟିତ୍ୱ ହେଉଛି କୋଚଙ୍କର। ତେବେ ମେଣ୍ଟର ଭାବେ ଧୋନି ଖେଳାଳିଙ୍କୁ ପ୍ରେରଣା ଯୋଗାଇବା ସହ ସେମାନଙ୍କର ମାନସିକ ବିକାଶ ପାଇଁ କାମ କରିବେ।

ଅନ୍ୟପକ୍ଷରେ ଟି-୨୦ ବିଶ୍ୱକପ୍ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଏହା ପରେ ଭାରତ ନୂଆ କୋଚ୍ ସନ୍ଧାନରେ ରହିବ। ଏହା ପୂର୍ବରୁ ଧୋନିଙ୍କୁ ମେଣ୍ଟର କରାଯିବା ନେଇ ଅନେକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। କୁହାଯାଉଛି ଧୋନିଙ୍କୁ ହୁଏତ ଭାରତର ପରବର୍ତ୍ତୀ କୋଚ୍ ଭାବେ ବିସିସିଆଇ ରଖିବାକୁ ଚାହୁଁଛି। ତେବେ ଏ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos