ନୂଆଦିଲ୍ଲୀ: ପୁଣି ଗୋଟିଏ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଧାରୁ ବିଦା ହୋଇଛି ଟିମ ଇଣ୍ଡିଆ। ୨୦୧୩ ପରଠାରୁ ଭାରତ ଏଯାଏ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ନ ଜିତିବା ସମସ୍ତଙ୍କୁ ମର୍ମାହତ କରିଛି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ଭାରତ ଜିତି ସବୁ ପଛ କଥାକୁ ଭୁଲାଇ ଦେବ ବୋଲି ସମସ୍ତେ ଆଶା କରିଥିଲେ।
ହେଲେ ସେମି ଫାଇନାଲରେ ଦଳ ଇଂଲଣ୍ଡ ଠାରୁ ୧୦ ୱିକେଟରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ୨୦୨୧ ଟି-୨୦ ବିଶ୍ୱକପରେ ଭାରତ ସୁପର ୧୨ରୁ ବିଦା ହୋଇଥିଲା। ୨୦୧୫ ଆଇସିସି ଦିନିକିଆ ବିଶ୍ୱକପ ସେମି ଫାଇନାଲ, ୨୦୧୬ ଟି-୨୦ ବିଶ୍ୱକପ ସେମି ଫାଇନାଲ, ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ, ୨୦୧୯ ଦିନିକିଆ ବିଶ୍ୱକପ ସେମି ଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ହାରିଛି। ଏହାର ଅର୍ଥ ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ କୌଣସି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ପାରିନାହିଁ।
ଚଳିତ ବର୍ଷ ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ସୁପର ୧୨ରେ ବେଶ ଚମତ୍କାର ରହିଥିଲା। ସୁପର ୧୨ର ୫ ମ୍ୟାଚ୍ରୁ ରୋହିତ ଶର୍ମା ଆଣ୍ଡ କୋ ୪ଟିରେ ଜିତିଥିଲେ। ଏଥିସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲେ। କିନ୍ତୁ ନକଆଉଟରେ ଭାରତ ସଂପୂର୍ଣ୍ଣ ଧରାଶାୟୀ ହୋଇଛି।
ଆରମ୍ଭରୁ ହିଁ ନକଆଉଟ ମ୍ୟାଚ୍ର ଚାପ ଭାରତ ଅନୁଭବ କରିଥିଲା। ଶେଷରେ ଇଂଲଣ୍ଡ ମ୍ୟାଚ୍ ଜିତି ରବିବାର ପାକିସ୍ତାନ ସହ ଫାଇନାଲ ଖେଳିବାକୁ ଟିକେଟ ହାତେଇଛି।
ଭାରତ ପାଖରେ ବିଶ୍ୱକପରେ ଅନେକ ବଡ଼ ଓ ମ୍ୟାଚ୍ ୱିନର ରହିଥିଲେ। ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ନଥିଲା। ହେଲେ ଅଭିଜ୍ଞ ତଥା ବରିଷ୍ଠ ଖେଳାଳି ନିଜର ଛାପ ଛାଡ଼ିବାରେ ଆଦୌ ସଫଳ ହୋଇନାହାନ୍ତି। ଏବେ ଟିମ ଇଣ୍ଡିଆ ବିଶ୍ୱକପରୁ ବାଦ ପଡ଼ିଥିବାରୁ ଦଳରେ ଥିବା ୪ ଖେଳାଳିଙ୍କ ଟି-୨୦ କ୍ୟାରିୟର ଏକ ପ୍ରକାରର ଶେଷ ହୋଇଯାଇଛି। ସେମାନଙ୍କୁ ଯଥା ଶୀଘ୍ର ଏହି ଫର୍ମାଟରୁ ବିଦାୟ ନେବାକୁ ପରାମର୍ଶ ମଧ୍ୟ ମିଳିଲାଣି।
୧- ରବି ଚନ୍ଦ୍ରନ୍ ଅଶ୍ୱିନ୍: ଟିମ ଇଣ୍ଡିଆର ଅନ୍ୟତମ ସଫଳ ସ୍ପିନର ହେଉଛନ୍ତି ରବି ଅଶ୍ୱିନ। ୨୦୧୩ ଚାମ୍ପିୟନ୍ସ ଟ୍ରଫି ଭାରତ ଜିତିବାରେ ଅଶ୍ୱିନଙ୍କ ଭୂମିକା ବେଶ ଅଧିକ ରହିଥିଲା। ତାଙ୍କ ପାଖରେ ଯଥେଷ୍ଟ ଅଭଜ୍ଞତା ଥିବାରୁ ତାଙ୍କୁ ଟି-୨୦ ବିଶ୍ୱକପରେ ସାମିଲ କରାଯାଇଥିଲା।
୨୦୨୧ ଟି-୨୦ ବିଶ୍ୱକପରେ ସେ ସ୍କ୍ୱାଡରେ ଥିଲେ ମଧ୍ୟ ପ୍ରଥମ ୨ଟି ମ୍ୟାଚ୍ ଖେଳି ନଥିଲେ। ଭାରତକୁ ଏହି ଦୁଇ ମ୍ୟାଚ୍ ମଧ୍ୟ ହାରିବାକୁ ପଡ଼ିଥିଲା। ହେଲେ ଏଥର ଅଶ୍ୱିନ ପ୍ଲେଇଂ ଇଲେଭେନରେ ଇନଫର୍ମ ୟୁଜି ଚହଲଙ୍କ ବଦଳରେ ସ୍ଥାନ ପାଇଥିଲେ। ସେ ବିଶ୍ୱକପରେ ୬ଟି ଯାକ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। କିନ୍ତୁ ସେ ଦଳ ପାଇଁ ଆଦୌ ପ୍ରଭାବଶାଳୀ ବୋଲି ପ୍ରମାଣ କରି ପାରିନାହାନ୍ତି। ଏବେ ସେ ଆଉ ଟି-୨୦ ଖେଳିବାକୁ ଫିଟ ନଥିବା ଚଳିତ ବିଶ୍ୱକପରୁ ସ୍ପଷ୍ଟ ହୋଇଯାଇଛି। ତାଙ୍କୁ ମଧ୍ୟ ୩୬ ବର୍ଷ ହୋଇ ସାରିଲାଣି। ତେଣୁ ସେ ତୁରନ୍ତ ଟି-୨୦ରୁ ଅବସର ନେବା ଉଚିତ ବୋଲି କୁହାଯାଉଛି।
୨-ଦୀନେଶ କାର୍ତ୍ତିକ: ଆଇପିଏଲ ପ୍ରଦର୍ଶନ ଆଧାରରେ ୩୭ ବର୍ଷୀୟ ଦୀନେଶ କାର୍ତ୍ତିକଙ୍କୁ ଚଳିତ ବର୍ଷ ଟି-୨୦ ବିଶ୍ୱକପରେ ସାମିଲ କରାଯାଇଥିଲା। କାର୍ତ୍ତିକଙ୍କୁ ଫିନିଶର ଭାବରେ ଦଳରେ ନିଆଯାଇଥିଲା। ଏପରି କି ଯୁବ କ୍ରିକେଟର ଋଷଭ ପନ୍ତଙ୍କ ବଦଳରେ ସୁପର ୧୨ର ୪ଟି ମ୍ୟାଚ୍ରେ କାର୍ତ୍ତିକଙ୍କୁ ଟିମ ମ୍ୟାନେଜମେଣ୍ଟ ଅଗ୍ରାଧିକାର ଦେଇଥିଲା।
କିନ୍ତୁ ତାଙ୍କ ଉପରେ ଯେଉଁ ଆଶା ଓ ଭରସା ରହିଥିଲା, ସେହି ଅନୁସାରେ ସେ ଆଦୌ ପ୍ରଦର୍ଶନ କରିପାରି ନାହାନ୍ତି। ସେ ଚଳିତ ବର୍ଷ ଟି -୨୦ ବିଶ୍ୱକପ୍ର ୪ଟି ମ୍ୟାଚ୍ରେ ମାତ୍ର ୧୪ ରନ୍ ସ୍କୋର କରିପାରିଛନ୍ତି। ଅବଶ୍ୟ ତାଙ୍କୁ ସେତେଟା ବ୍ୟାଟିଂ କରିବାକୁ ସୁଯୋଗ ମିଳିନାହିଁ। ତଥାପି ତାଙ୍କ ପାଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ସୁଯୋଗ ଥିଲା। ସେ ୧୫ଟି ବଲର ମଧ୍ୟ ସମ୍ମୁଖୀନ ହୋଇଥିଲେ। କିନ୍ତୁ କାର୍ତ୍ତିକଙ୍କ ବ୍ୟାଟରୁ ଗୋଟିଏ ବି ବଡ଼ ଶଟ ଦେଖିବାକୁ ମିଳି ନଥିଲା। ତେଣୁ ବିଶ୍ୱକପ ପରେ ସେ କ୍ରିକେଟ ଓ ଟି-୨୦ ଫର୍ମାଟରୁ ବିଦାୟ ନେଇଯିବା ଭଲ। ଟିମ୍ ଇଣ୍ଡିଆ ପାଇଁ କାର୍ତ୍ତିକ ମୋଟ ୬୦ ଟି-୨୦ ମ୍ୟାଚ୍ ଖେଳି ୬୮୬ ରନ୍ କରିଛନ୍ତି।
୩-ଭୁବନେଶ୍ୱର କୁମାର: ଟିମ୍ ଇଣ୍ଡିଆର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଦେବା ଦରକାର। ଗତ କିଛି ବର୍ଷ ଧରି ଟିମ୍ ଇଣ୍ଡିଆ ପାଇଁ କେବଳ ସୀମିତ ଓଭର ଫର୍ମାଟରେ ଖେଳୁଥିବା ଭୁବିଙ୍କ ପାଇଁ ଚଳିତ ବିଶ୍ୱକପ ଅସଲ ପରୀକ୍ଷାର ଘଡ଼ି ଥିଲା।
କାରଣ ଯଶପ୍ରୀତ ବୁମ୍ରା ଆହତ ଯୋଗୁ ବିଶ୍ୱକପରୁ ବାଦ ପଡ଼ିଥିଲେ। ତେଣୁ ଅଭିଜ୍ଞ ବୋଲର ଭାବେ ସବୁ ଦାୟିତ୍ୱ ତାଙ୍କ ଉପରେ ରହିଥିଲା। ହେଲେ ଏହି ଟୁର୍ଣ୍ଣାମେଣ୍ଟରେ ସେ ୬ଟି ମ୍ୟାଚ୍ରେ କେବଳ ୪ଟି ୱିକେଟ୍ ନେବାକୁ ସକ୍ଷମ ହୋଇଛନ୍ତି। ଯେଉଁ ଆଶା ସହିତ ଭୁବନେଶ୍ୱର କୁମାରଙ୍କୁ ଟି -୨୦ ବିଶ୍ୱକପରେ ସାମିଲ କରାଯାଇଥିଲା, ସେ ଆଦୌ ସେମିତି କିଛି ବି କରିପାରି ନାହାନ୍ତି।
ଏସିଆ କପର ସୁପର ୪ରେ ଭୁବି ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ୧୯ତମ ଓଭରରେ ସେ ବାରମ୍ବାର ଫେଲ ମାରିବାରୁ ଭାରତକୁ ଏସିଆ କପରୁ ବିଦା ହେବାକୁ ପଡ଼ିଥିଲା। ଲାଗୁଥିଲା ଅଷ୍ଟ୍ରେଲିଆରେ ଭୁବି ନିଜର ପ୍ରଭାବ ଛାଡ଼ି ପାରିବେ। ସୁଇଂ ମାଷ୍ଟର ଭୁବି କିନ୍ତୁ ସମସ୍ତଙ୍କୁ ନିରାଶ କରିଛନ୍ତି। ତେଣୁ ତାଙ୍କୁ ମଧ୍ୟ ଟି-୨୦ରୁ ଅବସର ନେଇଯିବା ଦରକାର ବୋଲି ଅନେକ କହୁଛନ୍ତି। ସେ ଭାରତ ପାଇଁ ଏଯାଏ ୮୫ ଟି -୨୦ ମ୍ୟାଚ୍ ଖେଳି ୮୯ଟି ୱିକେଟ୍ ନେଇଛନ୍ତି।
୪-ମହମ୍ମଦ ଶାମି: ଦୀର୍ଘ ଗୋଟିଏ ବର୍ଷ ହେଲା ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳି ନଥିବା ୩୨ ବର୍ଷୀୟ ମହମ୍ମଦ ଶାମିଙ୍କୁ ଶେଷ ମୁହୂର୍ତ୍ତରେ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଥିଲା। ବୁମ୍ରା ଆହତ ହେବା ପରେ କ୍ରିକେଟ ପଣ୍ଡିତମାନେ ଯୁବ ତାରକା ଉମ୍ରାନ ମଲିକଙ୍କୁ ଦଳରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। କାରଣ ତାଙ୍କ ପାଖରେ ପେସ୍ ଓ ବାଉନ୍ସ ରହିଛି। ଅଷ୍ଟ୍ରେଲିଆ ଭଲି ପିଚ୍ରେ ସେ ନିଶ୍ଚିତ ପ୍ରଭାବ ପକାଇ ପାରି ଥାଆନ୍ତେ।
ହେଲେ ଯୁବ ବୋଲରଙ୍କ ବଦଳରେ ଟିମ ମ୍ୟାନେଜମେଣ୍ଟ ୩୨ ବର୍ଷୀୟ ଶାମିଙ୍କୁ ସ୍କ୍ୱାଡରେ ସାମିଲ କରିଥିଲା। ତଥାପି ଶାମି ପ୍ଲେଇଂ ୧୧ରେ ସ୍ଥାନ ପାଇବେ ବୋଲି କାହାର ଆଶା ନଥିଲା। କାରଣ ଦଳ ପାଖରେ ହର୍ଷଲ ପଟେଲଙ୍କ ଭଳି ଜଣେ ଭାରିଏସନ ହାସଲ କରିପାରୁ ଥିବା ବୋଲର ଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କରି ଶାମି ବିଶ୍ୱକପ ଖେଳିଥିଲେ। ୨୦୨୧ ବିଶ୍ୱକପ ପରେ ସେ ସିଧାସଳଖ ଭାରତ ପାଇଁ ୨୦୨୨ ବିଶ୍ୱକପ ଖେଳିବାରୁ କ୍ରିକେଟ ପଣ୍ଡିତମାନେ ଏହାକୁ ନାପସନ୍ଦ କରିଥିଲେ।
ଏହାର ପରିଣାମ ଭାରତକୁ ମଧ୍ୟ ଭୋଗିବାକୁ ପଡ଼ିଛି। ଶାମି ଏହି ଫର୍ମାଟରେ ସଂପୂର୍ଣ୍ଣ ପ୍ରଭାବହୀନ ରହିଛନ୍ତି। ସେ ଟେଷ୍ଟ ପାଇଁ କେବଳ ଫିଟ। ଶାମି ଭାରତ ପାଇଁ ୨୩ଟି ଟି-୨୦ ମ୍ୟାଚ୍ ଖେଳି କେବଳ ୨୪ଟି ୱିକେଟ ନେଇଛନ୍ତି। ତେଣୁ ସେ ତୁରନ୍ତ ଅବସର ସମ୍ପର୍କରେ ଚିନ୍ତା କରିବା ଦରକାର।