ମୁଁ ନଟ୍‌ ଆଉଟ୍‌ ଥିଲି, ୪୦୦ ରନ କରିଥାଆନ୍ତି; ଆଉଟ ହେବା ପରେ କହିଲେ ପୃଥ୍ୱୀ ଶ’

ମୁମ୍ବାଇ: ରଣଜୀ ଟ୍ରଫିରେ ଇତିହାସ ରଚିଥିବା ଯୁବ କ୍ରିକେଟର ପୃଥ୍ୱୀ ଶ’ ଅମ୍ପାୟରିଂ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଆସାମ ବିପକ୍ଷ ରଣଜୀ ମ୍ୟାଚ୍‌ରେ ୩୭୯ ରନର ଇନିଂସ ଖେଳି ପ୍ରଥମ ଥର ତ୍ରିଶତକ ହାସଲ କରିବାର କୀର୍ତ୍ତିମାନ ହାସଲ କରିଥିଲେ। ସେହିପରି ରଣଜୀ ଟ୍ରଫିରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହକାରୀ ହେବାର ରେକର୍ଡ ମଧ୍ୟ କରିଛନ୍ତି। ପୃଥ୍ୱୀ ୩୮୩ ବଲ୍‌ର ସମ୍ମୁଖୀନ ହୋଇ ୪୯ ଚୌକା ଓ ୪ ଛକା ସହାୟତାରେ ୩୭୯ ରନ୍‌ […]

shaw

  • Published: Thursday, 12 January 2023
  • , Updated: 12 January 2023, 08:56 AM IST

ମୁମ୍ବାଇ: ରଣଜୀ ଟ୍ରଫିରେ ଇତିହାସ ରଚିଥିବା ଯୁବ କ୍ରିକେଟର ପୃଥ୍ୱୀ ଶ’ ଅମ୍ପାୟରିଂ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଆସାମ ବିପକ୍ଷ ରଣଜୀ ମ୍ୟାଚ୍‌ରେ ୩୭୯ ରନର ଇନିଂସ ଖେଳି ପ୍ରଥମ ଥର ତ୍ରିଶତକ ହାସଲ କରିବାର କୀର୍ତ୍ତିମାନ ହାସଲ କରିଥିଲେ। ସେହିପରି ରଣଜୀ ଟ୍ରଫିରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହକାରୀ ହେବାର ରେକର୍ଡ ମଧ୍ୟ କରିଛନ୍ତି।

ପୃଥ୍ୱୀ ୩୮୩ ବଲ୍‌ର ସମ୍ମୁଖୀନ ହୋଇ ୪୯ ଚୌକା ଓ ୪ ଛକା ସହାୟତାରେ ୩୭୯ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ପ୍ରଥମ ଦିନରେ ୨୪୦ ରନ୍‌ରେ ଅପରାଜିତ ଥିବା ପୃଥ୍ୱୀ ଦ୍ୱିତୀୟ ଦିନରେ ଆଉ ୧୩୯ ରନ୍‌ ଯୋଡ଼ି ରିୟାନ ପରାଗଙ୍କ ବଲରେ ଏଲବି ଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ଦ୍ୱିତୀୟ ଦିନର ଖେଳ ସରିବା ପରେ ପୃଥ୍ୱୀ ନଟ ଆଉଟ ଥିବା ଦାବି କରିଛନ୍ତି। ଏଥିସହ ସେ ୪୦୦ ରନ କରିବାକୁ ଲକ୍ଷ୍ୟ ରଖିଥିଲେ ବୋଲି କହିଛନ୍ତି।

ସେ କହିଛନ୍ତି, “ମୁଁ ଆଉଟ ନଥିଲି। ମୁଁ ୪୦୦ ରନ କରିଥାଆନ୍ତି। ଦ୍ୱିତୀୟ ଦିନରେ ମୁଁ ଭଲ ବ୍ୟାଟିଂ କରୁଥିଲି। ଦ୍ୱିତୀୟ ଦିନ କ୍ରିଜ୍‌ରେ ଜମି ରହିବାକୁ ଚେଷ୍ଟା କରିଥିଲି। ପ୍ରଥମେ ବଡ଼ ରନ ବାହାରି ନଥିଲା। ତେଣୁ ମୁଁ ନିଜକୁ କିଛି ସମୟ ପିଚ୍‌ ସହ ଖାପ ଖୁଆଇବାକୁ ଚେଷ୍ଟା କରିଥିଲି।

ସେହି ଅନୁସାରେ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲି। ପିଚ୍‌ ମଧ୍ୟ ସେଇଆ ବ୍ୟବହାର କରୁଥିଲା। ପିଚ୍‌ରେ ସିମ ମୁଭମେଣ୍ଟ ନଥିଲା। ଓଭର ବିତିବା ସହ ବଲ୍‌ ମଧ୍ୟ ତଳୁଆ ରହିବା ଆରମ୍ଭ କରିଥିଲା। ଅଜିଙ୍କ୍ୟ ରାହାଣେଙ୍କ ସହ ବ୍ୟାଟିଂ କରି ବହୁତ କିଛି ଶିଖିଥିଲି।

ସେ ମଧ୍ୟ ମୋତେ ଧୈର୍ଯ୍ୟର ସହ ବ୍ୟାଟିଂ କରିବାକୁ କହିଥିଲେ। ତାଙ୍କ ପାଖରେ ଅନ୍ତର୍ଜାତୀୟ ମ୍ୟାଚ୍‌ର ବିପୁଳ ଅଭିଜ୍ଞତା ରହିଛି। ମୁମ୍ବାଇ ଟିମ୍‌ରେ ତାଙ୍କ ଉପସ୍ଥିତି ଦଳକୁ ଆଗକୁ ନେଇଛି। ମୁଁ ଅନ୍ତର୍ଜାତୀୟ ଖେଳାଳିଙ୍କ ଠାରୁ ଅନେକ କିଛି ଶିଖିବାକୁ ସବୁବେଳେ ଚାହିଁଥାଏ। ଦ୍ୱିତୀୟ ଦିନ ମଧ୍ୟ ସେଇଆ କରିଥିଲି। ହେଲେ ମୁଁ ୧୨୬ତମ ଓଭରରେ ଆଉଟ ହୋଇଯାଇଥିଲି। ତଥାପି ମୁଁ ବହୁତ ଖୁସି।”

ପୃଥ୍ୱୀ ୪୦୦ ରନର ମାଇଲ ଖୁଣ୍ଟରେ ପହଞ୍ଚି ପାରି ନଥିଲେ ମଧ୍ୟ ମୁମ୍ବାଇ ପ୍ରଥମ ଇନିଂସରେ ତାଙ୍କ ୩୭୯ ରନ ବଳରେ ବିଶାଳ ସ୍କୋର କରିପାରିଛି। ଦଳ ୪ ୱିକେଟ ହରାଇ ୬୮୭ ରନ କରିବା ପରେ ପାଳି ଘୋଷଣା କରିଥିଲା। ରାହାଣେ ମଧ୍ୟ ୧୯୧ ରନର ଇନିଂସ ଖେଳିଛନ୍ତି। ଏହାର ଜବାବରେ ଆସାମ ତା’ର ପ୍ରଥମ ଇନିଂସରେ ୧ ୱିକେଟ ହରାଇ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୨୯ ରନ କରିଛି। ତେଣୁ ମ୍ୟାଚ୍‌ ଡ୍ର ଅଭିମୁଖେ ଯାଉଛି।

ଅନ୍ୟପକ୍ଷରେ ପୃଥ୍ୱୀ ରଣଜୀ ଟ୍ରଫିରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରି ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଛନ୍ତି। ତାଙ୍କ ଉପରେ ମହାରାଷ୍ଟ୍ରର ଭାଉସାହେବ ନିମ୍ବଲକର ରହିଛନ୍ତି। ସେ ୧୯୪୮ ଡିସେମ୍ବରରେ ଅପରାଜିତ ୪୪୩ ରନ୍‌ର ପାଳି ଖେଳି ରଣଜୀ ଟ୍ରଫି ତଥା ଭାରତ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହେବାର କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ସଞ୍ଜୟ ମଞ୍ଜେରକର ମଧ୍ୟ ୩୭୭ ରନର ଇନିଂସ ଖେଳିଥିଲେ।

Related story