ନୂଆଦିଲ୍ଲୀ: ପୁଣିଥରେ ମଲ୍ଟିନେଶନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। କାରଣ ଏସିଆ କପର ପ୍ରଥମ ଗ୍ରୁପରେ ଭାରତ ଓ ପାକିସ୍ତାନ ସ୍ଥାନ ପାଇଛନ୍ତି।
ଆଜି ଏସିଆନ କ୍ରିକେଟ କାଉନସିଲ(ଏସିସି) ୨୦୨୩ ଓ ୨୦୨୪ ବର୍ଷ ପାଇଁ ମ୍ୟାଚ୍ କ୍ୟାଲେଣ୍ଡର ଜାରି କରିଛି। ଏଥିରେ ଏସିଆ କପ ବେଳେ କେଉଁ ଦେଶ କେଉଁ ଗ୍ରୁପ୍ରେ ରହିବେ, ତା’ର ତଥ୍ୟ ମଧ୍ୟ ସାର୍ବଜନୀନ ହୋଇଛି। ଏହି ଘୋଷଣା ଅନୁସାରେ ଏସିଆ କପର ଗୋଟିଏ ଗ୍ରୁପ୍ରେ ଭାରତ ଓ ପାକିସ୍ତାନ ରହିଛନ୍ତି।
ଏସିସି ସଭାପତି ତଥା ବିସିସିଆଇର ସମ୍ପାଦକ ଜୟ ଶାହ ଆଜି କାଉନସିଲର ୨୦୨୩ ଓ ୨୦୨୪ ବର୍ଷ ପାଇଁ କ୍ରିକେଟ କ୍ୟାଲେଣ୍ଡର ସାର୍ବଜନୀନ କରିଛନ୍ତି। ଏଥିରେ ପୁରୁଷ ଓ ମହିଳା ଏସିଆ କପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଠାରୁ ବିଭିନ୍ନ ଟ୍ରଫି ସମ୍ପର୍କିତ ସୂଚନା ରହିଛି।
ନୂଆ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୩ ବର୍ଷ ପୁରୁଷ ଚ୍ୟାଲେଞ୍ଜର୍ସ କପରୁ ଆରମ୍ଭ ହେବ। ଏହି ୫୦ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଭାଗ ନେବେ। ବାହାରିନ, ସାଉଦି ଆରବ, ଭୁଟାନ, ଚାଇନା, ମିଆଁମାର, ମାଳଦ୍ୱୀପ, ଥାଇଲ୍ୟାଣ୍ଡ ଓ ଇରାନ ଚ୍ୟାଲେଞ୍ଜର୍ସ କପ ଖେଳିବା ନିଶ୍ଚିତ ହୋଇଛି। ବାକି ଦୁଇଟି ଦେଶର ନାଁ ପରବର୍ତ୍ତୀ ଅବସ୍ଥାରେ ଘୋଷଣା ହେବ। ୧୦ ଟିମ ୨ଟି ଗ୍ରୁପ୍ରେ ବିଭିକ୍ତ ହୋଇ ମୋଟ ୨୩ଟି ମ୍ୟାଚ ଖେଳିବେ। ମାର୍ଚ୍ଚ ମାସରେ ପୁରୁଷ ଅଣ୍ଡର ୧୬ ଆଞ୍ଚଳିକ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ୮ଟି ଟିମ ଭାଗ ନେବେ।
ପୁରୁଷ ଚ୍ୟାଲେଞ୍ଜର୍ସ କପର ବିଜେତା ଓ ଉପ ବିଜେତା ଦଳ ୫୦ ଓଭର ବିଶିଷ୍ଟ ପ୍ରିମିୟର କପ ଖେଳିବେ। ଏହି ପ୍ରତିଯୋଗିତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ ଓ ୨୪ଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ୧୦ ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ। ଏହି କପ ଖେଳିବାକୁ ବର୍ତ୍ତମାନ ସୁଦ୍ଧା ୟୁଏଇ, ନେପାଳ, କୁଏତ, କତାର, ଓମାନ, ହଂକଂ, ସିଙ୍ଗାପୁର ଓ ମାଲେସିୟା ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।
ଜୁନ୍ ମାସରେ ମହିଳା ଟି-୨୦ ଇମର୍ଜିଂ ଟିମ୍ସ ଏସିଆ କପ ଅନୁଷ୍ଠିତ ହେବ। ଏଥିରେ ୮ଟି ଟିମ ଭାଗ ନେବେ। ଗୋଟିଏ ଗ୍ରୁପରେ ଭାରତ ଏ, ପାକିସ୍ତାନ ଏ, ଥାଇଲ୍ୟାଣ୍ଡ ଓ ହଂକଂ ରହିବେ। ଅନ୍ୟ ଗ୍ରୁପରେ ଶ୍ରୀଲଙ୍କା ଏ, ବାଂଲାଦେଶ ଏ, ୟୁଏଇ ଓ ମାଲେସିୟା ରହିଛନ୍ତି।
ଏହାପରେ ୫୦ ଓଭର ବିଶିଷ୍ଟ ପୁରୁଷ ଇମର୍ଜିଂ ଏସିଆ କପ ଖେଳାଯିବ। ପ୍ରିମିୟର କପର ଟପ ୩ ଟିମ ସହ ମୋଟ ୮ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ। ଗୋଟିଏ ଗ୍ରୁପରେ ଭାରତ ଏ, ପାକିସ୍ତାନ ଏ, ଶ୍ରୀଲଙ୍କା ଏ ଓ ଯୋଗ୍ୟତା ପର୍ଯ୍ୟାୟର ୧ନଂ ଦଳ ରହିଛନ୍ତି। ଅନ୍ୟ ଗ୍ରୁପରେ ଆଫଗାନିସ୍ତାନ ଏ, ବାଂଲାଦେଶ ଏ ଓ ଯୋଗ୍ୟତା ପର୍ଯ୍ୟାୟର ଟପ ୨ ଓ ୩ ଦଳ ରହିବେ। ମୋଟ ୧୫ଟି ମ୍ୟାଚ୍ ଖେଳାଯିବ।
ଏସିସିର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ବା ଏସିଆ କପ ୨୦୨୩ ସେପ୍ଟେମ୍ବର ମାସରେ ଖେଳାଯିବ। ଏସିଆ କପରେ ଭାଗ ନେବାକୁ ଥିବା ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗୋଟିଏ ଗ୍ରୁପରେ ଭାରତ, ପାକିସ୍ତାନ ଓ ଯୋଗ୍ୟତା ଅର୍ଜନ କରିବାକୁ ଥିବା ଦଳ(ପ୍ରିମିୟର କପ ବିଜେତା) ରହିଛନ୍ତି। ସେହିପରି ଦ୍ୱିତୀୟ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ।
Presenting the @ACCMedia1 pathway structure & cricket calendars for 2023 & 2024! This signals our unparalleled efforts & passion to take this game to new heights. With cricketers across countries gearing up for spectacular performances, it promises to be a good time for cricket! pic.twitter.com/atzBO4XjIn
— Jay Shah (@JayShah) January 5, 2023
ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ଅଣ୍ଡର ୧୯ର ୩ଟି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଅକ୍ଟୋବର ମାସରେ ଚ୍ୟାଲେଞ୍ଜର୍ସ କପ, ନଭେମ୍ବରରେ ପ୍ରିମିୟର କପ ଓ ଡିସେମ୍ବର ମାସରେ ଅଣ୍ଡର ୧୯ ଏସିଆ କପ ଅନୁଷ୍ଠିତ ହେବ। ଅଣ୍ଡର ୧୯ ଏସିଆ କପରେ ମଧ୍ୟ ଉଭୟ ଭାରତ ଓ ପାକିସ୍ତାନ ସମାନ ଗ୍ରୁପରେ ରହିଛନ୍ତି।