ଦୁବାଇ: ଏସିଆ ମହାଦେଶର ୬ ଶକ୍ତିଶାଳୀ କ୍ରିକେଟିଂ ଦେଶକୁ ନେଇ ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ ୨୦୨୨। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଆୟୋଜକ ଶ୍ରୀଲଙ୍କା ସାମ୍ନାରେ ରହିଛି ଆଫଗାନିସ୍ତାନ। ଶ୍ରୀଲଙ୍କା ଏସିଆ କପ ଆୟୋଜନର ଅଧିକାର ପାଇଥିଲେ ମଧ୍ୟ ମ୍ୟାଚ୍ ଗୁଡ଼ିକ ୟୁଏଇରେ ଖେଳାଯିବ। ଶ୍ରୀଲଙ୍କାରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବାରୁ ଟୁର୍ଣ୍ଣାମେଣ୍ଟକୁ ଦୁବାଇ ସ୍ଥାନନ୍ତର କରାଯାଇଛି।
ହେଲେ ହୋଷ୍ଟିଂ ଅଧିକାର ଶ୍ରୀଲଙ୍କା ପାଖରେ ରହିଛି। ଭାରତୀୟ ସମୟ ୭.୩୦ରେ ଦୁବାଇରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ମୁହାଁମୁହିଁ ହେବେ। ଶ୍ରୀଲଙ୍କା ଏସିଆ କପ ୫ଥର ଜିତିଥିବା ବେଳେ ଆଫଗାନିସ୍ତାନ ଏଯାଏ ଏହି ସଫଳତା ହାସଲ କରିପାରି ନାହିଁ। ତେଣୁ ଆଫଗାନିସ୍ତାନ ନୂଆ ଜୋଶ ସହ ଆଜି ମୈଦାନକୁ ଓହ୍ଲାଇବ ବୋଲି ସମସ୍ତେ ଆଶା ରଖିଛନ୍ତି।
ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଉଛି। ଏହାର ଅର୍ଥ ୬ଟି ଟିମକୁ ଦୁଇ ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍ରେ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ଦୁଇଟି ଗ୍ରୁପ୍ରୁ ଟପ୍ ୪ଟି ଦଳ ସୁପର ୪ରେ ପ୍ରବେଶ କରିବେ। ସେଠାରେ ପୁଣିଥରେ ସବୁ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ସୁପର ୪ର ଟପ୍ ୨ ଟିମ୍ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଗ୍ରୁପରେ ଏ’ ଭାରତ, ପାକିସ୍ତାନ ଓ ହଂକଂ ଥିବା ବେଳେ ଗ୍ରୁପ ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛି।
ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମୁକାବିଲା ରବିବାର ସନ୍ଧ୍ୟା ୭.୩୦ରେ ଖେଳାଯିବ। ଭାରତ ଓ ପାକିସ୍ତାନ ଏହି ମ୍ୟାଚରେ ମୁହାଁମୁହିଁ ହେବେ। ୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନ ଦୁବାଇରେ ହିଁ ଭାରତକୁ ଏକତରଫା ଭାବେ ପରାସ୍ତ କରିଥିଲା। ଏହାର ପ୍ରତିଶୋଧ ନେବାକୁ ରୋହି ଶର୍ମା ଆଣ୍ଡ କୋ ପୂରା ସୁଯୋଗ ଅପେକ୍ଷା ରହିଛନ୍ତି।
ଏସିଆ କପର ଡିଫେଣ୍ଡିଂ ଚାମ୍ପିୟନ ହେଉଛି ଭାରତ। ସେହିପରି ଟିମ୍ ଇଣ୍ଡିଆ ୭ଥର ଏସିଆ କପ ଜିତିଛି। ଦୁଇ ଥର ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିବା ପାକିସ୍ତାନ ଖାତା କଲମରେ ଭାରତ ତୁଳନାରେ ସାମାନ୍ୟ ଦୁର୍ବଳ। ହେଲେ ପାକିସ୍ତାନର ଗଲା କିଛି ମ୍ୟାଚକୁ ଦେଖିଲେ, ଭାରତ ପାଇଁ ମ୍ୟାଚରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ।
ଭାରତୀୟ ଦଳର ୩ ପ୍ରମୁଖ ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଏବେ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ରାହୁଲ ଜିମ୍ବାୱେ ବିପକ୍ଷ ଦିନିକିଆରେ ମାତ୍ର ୧ ଓ ୩୦ ରନ କରି ପାରିଛନ୍ତି। ସେହିପରି ବିରାଟ ଆଇପିଏଲ ଠାରୁ ଫର୍ମରେ ନାହାନ୍ତି। ରୋହିତ ଶର୍ମା ଅଧିନାୟକ ହୋଇଥିଲେ ମଧ୍ୟ ବେଶ କିଛି ମ୍ୟାଚରେ ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନି। ଆଗକୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏହି ୩ ବ୍ୟାଟରଙ୍କୁ ଫର୍ମକୁ ଫେରିବା ପାଇଁ ଏସିଆ କପରେ ସୁଯୋଗ ମିଳିବ।
ଟିମ ଇଣ୍ଡିଆରେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ନାହାନ୍ତି। ସେହିପରି ଆହତ ଯୋଗୁ ହର୍ଷଲ ପଟେଲ ଏସିଆ କପ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି। ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଆଭେଶ ଖାନ ଦ୍ରୁତ ବୋଲିଂ ବାହିନୀରେ ଅଛନ୍ତି। ଏମାନଙ୍କୁ ସାଥ ଦେବା ପାଇଁ ହାର୍ଦ୍ଦିକ ପାଣ୍ତ୍ୟା ଅଲରାଉଣ୍ଡର ଭାବେ ଟିମ୍ରେ ରହିଛନ୍ତି।
ସ୍ପିନର ଭାବେ ଭାରତୀୟ ସ୍କ୍ୱାଡରେ ରବୀନ୍ଦ୍ର ଜେଡାଜେ, ୟୁଜି ଚହଲ ଓ ରବି ଅଶ୍ୱିନ ଦୁବାଇ ଗସ୍ତରେ ଯାଇଛନ୍ତି। ଏମାନଙ୍କ ମଧ୍ୟରୁ କେଉଁ ଦୁଇ ଜଣ ଖେଳିବେ, ତାହା ମଧ୍ୟ ବଡ଼ ଚ୍ୟାଲେଞ୍ଜ। ଦୀନେଶ କାର୍ତ୍ତିକ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ କି ନାହିଁ, ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ସୂର୍ଯ୍ୟ କୁମାର ଯାଦବ ଓ ଋଷଭ ପନ୍ତ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ବ୍ୟାଟିଂ କରିବା ଏକ ପ୍ରକାରର ନିଶ୍ଚିତ। ସେହିପରି ପାଣ୍ଡ୍ୟା କେତେ ନମ୍ବରରେ ବ୍ୟାଟିଂ କରିବେ, ତା’ହା ମଧ୍ୟ ଏକ ବଡ଼ ପ୍ରଶ୍ନ।
#TeamIndia train, our cameras go click-click 📸 📸#AsiaCup2022 | #AsiaCup pic.twitter.com/WLGjcSFv4N
— BCCI (@BCCI) August 26, 2022
ଅନ୍ୟପକ୍ଷରେ ପାକିସ୍ତାନ ଟିମ୍ରେ ଦ୍ରୁତ ବୋଲର ଶାହୀନ ଆଫ୍ରିଦ ନାହାନ୍ତି। ସେହିପରି ୱାସିମ ଜୁନିୟର ମଧ୍ୟ ଆହତ କାରଣରୁ ଏସିଆ କପରୁ ବାଦ ପଡ଼ିଛି। ତେବେ ହାସନ ଅଲୀ ବଦଳ ଖେଳାଳି ଭାବେ ସ୍ଥାନ ପାଇବା ଟିମ୍ ପାକିସ୍ତାନର ମନୋବଳକୁ ବୃଦ୍ଧି କରିଛି। ଏହାବାଦ ଅଧିନାୟକ ବାବର ଆଜମ ଓ ଉପ ଅଧିନାୟକ ମହମ୍ମଦ ରିଜୱାନ ଜବରଦସ୍ତ ଫର୍ମରେ ଅଛନ୍ତି। ଉଭୟ ଟି-୨୦ ବିଶ୍ୱକପରେ ଭାରତକୁ ଏକତରଫା ଭାବେ ପରାସ୍ତ କରିଥିଲେ। ତେଣୁ ସେମାନଙ୍କ ୱିକେଟ ସଅଳ ଦଖଲ କରିପାରିଲେ ଭାରତ ମ୍ୟାଚ୍ରେ ନିଜର କବଜା କରିପାରିବ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି।
ଏସିଆ କପର ରେକର୍ଡକୁ ଦେଖିଲେ ଭାରତ ଓ ପାକିସ୍ତାନ ଏଯାଏ ୧୪ଟି ମ୍ୟାଚ୍ରେ ମୁହାଁମୁହିଁ ହୋଇଛି। ଭାରତ ୮ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ୫ଟିରେ ବାଜିମାତ କରିଛି। ସେହିପରି ଗୋଟିଏ ମ୍ୟାଚ୍ର ରେଜଲ୍ଟ ବର୍ଷା ଯୋଗୁ ବାହାରି ପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।