ଭାରତର ମିଶନ ଦକ୍ଷିଣ ଆଫ୍ରିକା ଆରମ୍ଭ, ଟସ ଜିତିଲେ ବିରାଟ କୋହଲି

ସେଞ୍ଚୁରିଅନ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଜନିତ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ। ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଡେନ ଏଲଗାରଙ୍କ ଦକ୍ଷିଣ ଆଫ୍ରିକା ବୋଲିଂ କରିବ। ଭାରତୀୟ ଟିମ୍‌ର କମ୍ବିନେସନକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ରନ ପାଇଁ ସଂଘର୍ଷ କରୁଥିବା […]

toss

Hemant Lenka
  • Published: Sunday, 26 December 2021
  • , Updated: 26 December 2021, 03:11 PM IST

ସେଞ୍ଚୁରିଅନ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଜନିତ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ। ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଡେନ ଏଲଗାରଙ୍କ ଦକ୍ଷିଣ ଆଫ୍ରିକା ବୋଲିଂ କରିବ।

ଭାରତୀୟ ଟିମ୍‌ର କମ୍ବିନେସନକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ରନ ପାଇଁ ସଂଘର୍ଷ କରୁଥିବା ଅଜିଙ୍କ୍ୟ ରାହାଣେଙ୍କୁ ପୁଣି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ଏହାର ଅର୍ଥ ଶ୍ରେୟସ ଆୟର ଓ ହନୁମା ବିହାରୀଙ୍କ ଅପେକ୍ଷା ଟିମ ମ୍ୟାନେଜମେଣ୍ଟ ରାହାଣେଙ୍କ ଉପରେ ଅଧିକ ଭରସା ଦେଖାଇଛି।

ସେହିପରି ଦଳରେ ୩ ଦ୍ରୁତ ବୋଲରଙ୍କ ସହ ଶାର୍ଦ୍ଦୁଲ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ରହିଛନ୍ତି। ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ମହମ୍ମଦ ଶାମିଙ୍କ ଉପରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲିଂ ଭାର ରହିବ। ଦଳରେ ଅଭିଜ୍ଞ ଈଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିନି। ଏହି ମ୍ୟାଚ୍‌ରେ କେଏଲ ରାହୁଲ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ।

ପୂର୍ବରୁ ଅଜିଙ୍କ୍ୟ ରାହାଣେ ଦଳର ଉପ ଅଧିନାୟକ ଥିଲେ। ହେଲେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍‌ ଘୋଷଣା ବେଳେ ତାଙ୍କ ଠାରୁ ଏହି ପଦ ଛଡ଼ାଇ ନିଆଯାଇଥିଲା। ରାହାଣେଙ୍କ ବଦଳରେ ରୋହିତ ଶର୍ମା ଟେଷ୍ଟ ଟିମ୍‌ର ଉପ ଅଧିନାୟକ ହୋଇଥିଲେ। କିନ୍ତୁ ଆହତ ଯୋଗୁ ରୋହିତ ଦକ୍ଷିଣ ଆଫ୍ରିକା ସିରିଜ୍‌ ଖେଳିବେନି। ତେଣୁ ବିସିସିଆଇ ରାହୁଲଙ୍କୁ ଉପ ଅଧିନାୟକ କରିଛି।


ଦକ୍ଷିଣ ଆଫ୍ରିକାରେ ଭାରତାର ୨୯ ବର୍ଷ ମଧ୍ୟରେ କୌଣସି ପ୍ରକାରର ଟେଷ୍ଟ ସିରିଜ୍‌ ଜିତିନି। ତେଣୁ ଏହି ସିରିଜ୍‌ରେ ଇତିହାସକୁ ବଦଳାଇବା ପାଇଁ ଟିମ୍‌ ଇଣ୍ଡିଆ ପାଖରେ ସୁଯୋଗ ରହିଛି। ନୂଆ କରି ମୁଖ୍ୟ କୋଚ୍ ନିଯୁକ୍ତ ହୋଇଥିବା ରାହୁଲ ଡ୍ରାଭିଡଙ୍କ ମଧ୍ୟ ଏହା ପ୍ରଥମେ ବିଦେଶ ସିରିଜ୍। ତେଣୁ ସେ ମଧ୍ୟ ସିରିଜ୍ ବିଜୟ ନେଇ ଆଶାବାଦୀ ରହିଛନ୍ତି।

ସେନା ଦେଶ(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ରେ ବିଜୟ ବାନା ଉଡ଼ାଇବାରେ ଭାରତ ମାତ୍ର ଗୋଟିଏ ପାଦ ପଛରେ ରହିଛି। କାରଣ ଦଳ ଦକ୍ଷିଣ ଆଫ୍ରିକାକୁ ଛାଡ଼ି ଆଉ ସବୁଠି ଟେଷ୍ଟ ସିରିଜ୍ ଜିତିଛି। ୭ଥର ଭାରତ ଆଜି ଯାଏ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଖେଳିଥିଲେ ମଧ୍ୟ କେବେ ହେଲେ ଜିତିବାକୁ ସକ୍ଷମ ହୋଇନି।

ଦକ୍ଷିଣ ଆଫ୍ରିକାରେ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ଭାରତର ନେତୃତ୍ୱ ନେବେ। ତାଙ୍କ ନେତୃତ୍ୱରେ ଭାରତ ୨୦୧୭-୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ହେଲେ ଏହି ସିରିଜକୁ ଦଳ ୧-୨ରେ ହାରି ଯାଇଥିଲା। ଭାରତୀୟ ଦଳ ୧୯୯୨ରେ ପ୍ରଥମଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ହେଲେ ୨୯ ବର୍ଷ ମଧ୍ୟରେ କେବେ ହେଲେ ସିରିଜ୍ ଜିତିନି।

ଏଥର ଭାରତୀୟ ଟିମ୍ ଇତିହାସ ବଦଳାଇବାକୁ ଲକ୍ଷ୍ୟ ରଖିଛି। ଏହି ସିରିଜ୍ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ ବେଶ ମହତ୍ତ୍ୱପୂର୍ଣ୍ଣ। କାରଣ କ୍ରିକେଟ ପ୍ରେମୀ ଦୀର୍ଘ ୨ ବର୍ଷ ହେଲାଣି ବିରାଟଙ୍କ ବ୍ୟାଟରୁ ଶତକ ଦେଖିନାହାନ୍ତି। ଦିନିକିଆ ଓ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ମଧ୍ୟ ସେ ବଞ୍ଚିତ ହୋଇଛନ୍ତି। ଏହି କାରଣରୁ ଦକ୍ଷିଣ ଆଫ୍ରିକାରେ ସେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Related story