ମୁମ୍ବାଇ: ଅଷ୍ଟ୍ରେଲିଆ ଠାରୁ ଟି-୨୦ ସିରିଜ ହାରି ଯାଇଛି ଭାରତୀୟ ମହିଳା ଦଳ। ଅଧିନାୟକ ହରମନପ୍ରୀତ କୌରଙ୍କ ୪୬ ଓ ରିଚା ଘୋଷଙ୍କ ଅପରାଜିତ ୧୯ ବଲରେ ୪୦ ରନ ସତ୍ତ୍ୱେ ଅଷ୍ଟ୍ରେଲିଆ ଠାରୁ ୭ ରନରେ ୪ର୍ଥ ଟି-୨୦ରେ ହାରିଛି ଭାରତ। ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜ୍କୁ ଆଗୁଆ ୩-୧ରେ କବଜା କରି ନେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆର ମହିଳା ଦଳ।
ଆଜି ଖେଳା ଯାଇଥିବା ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆ ମହିଳା ଦଳ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୮ ରନ କରିଥିଲା। ଦଳ ପକ୍ଷର ଏଲିସ ପେରୀ ଅପରାଜିତ ୭୨ ଓ ଗ୍ରେସ ହାରିସ ୧୨ ବଲରେ ଅପରାଜିତ ୨୭ ରନର ଇନିଂସ ଖେଳିଥିଲେ। ଏହାବାଦ ଅଧିନାୟକ ଏଲିସର ହେଲୀ ୩୦ ରନ କରି ରିଟାର୍ଡହର୍ଟ ହୋଇଥିବା ବେଳେ ଗାର୍ଡେନର ୪୨ ରନ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ଭାରତକୁ ମ୍ୟାଚ୍ ଜିତିବା ପାଇଁ ୧୮୯ ରନର ଟାର୍ଗେଟ ଦେଇଥିଲା।
୧୮୯ ରନର ଟାର୍ଗେଟ ପିଛା କରୁଥିବା ଭାରତ ପାଇଁ ଦମଦାର ଆରମ୍ଭ କରିଥିଲେ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା। ଉଭୟ ମାତ୍ର ୨.୪ ଓଭରରେ ୨୩ ରନ ସଂଗ୍ରହ କରିଥିଲେ। ହେଲେ ୧୬ ରନ କରି ପ୍ରଥମେ ମନ୍ଧାନା ଓ ପରେ ୨୦ ରନ କରି ଶେଫାଳି ଆଉଟ ହେବାର ପରେ ରନ ସଂଗ୍ରହ ହାର ଧିମା ହୋଇଯାଇଥିଲା। ଜେମିମା ରୋଡ୍ରିଗସ୍ ମଧ୍ୟ କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ।
୪୯ ରନରେ ୩ ୱିକେଟ ହରାଇଥିବା ଭାରତକୁ କୌର ଓ ଦେବିକା ବୈଦ୍ୟ ସମ୍ଭାଳିଥିଲେ। ଉଭୟ ଦ୍ରୁତଗତିରେ ରନ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୧୫ ଓଭର ସୁଦ୍ଧା ୧୨୧ରେ ପହଞ୍ଚା ଦେଇଥିଲେ। ତଥାପି ଟାର୍ଗେଟ ଠାରୁ ଭାରତ ବହୁ ପଛରେ ରହିଥିଲା। ଏହି ସମୟରେ ବଡ଼ ଶଟ ଖେଳିବା ଲୋଭରେ କୌର(୩୦ ବଲ ୪୬ ରନ୍) ଆଲନା କିଙ୍ଗଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦେବିକା ୩୨ ରନ କରି ଗାର୍ଡେନରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।
ଉଭୟ ଆଉଟ ହୋଇଯିବାରୁ ଭାରତର ପରାଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଥିଲା। କିନ୍ତୁ ରିଚା ଘୋଷ ହାର ମାନିବା ମୁଡରେ ନଥିଲେ। ସେ ମାତ୍ର ୧୯ ବଲରେ ୪୦ ରନର ଇନିଂସ ଖେଳି ଭାରତକୁ ମ୍ୟାଚ୍ରେ କମବ୍ୟାକ କରାଇଥିଲେ। ଦୀପ୍ତି ଶର୍ମା ମଧ୍ୟ ୮ ବଲରେ ୧୨ ରନ କରିଥିଲେ। ହେଲେ ଏହା ଭାରତକୁ ବିଜୟ କରାଇବାରେ ଯଥେଷ୍ଟ ନଥିଲା। ଶେଷରେ ଦଳ ଅଷ୍ଟ୍ରେଲିଆର ସ୍କୋର ଠାରୁ ୭ ରନ ପଛରେ ରହି ଯାଇଥିଲା। ଭାରତ ୫ ୱିକେଟ ହରାଇ ୧୮୧ ରନ କରିବାରୁ ଅଷ୍ଟ୍ରେଲିଆ ମ୍ୟାଚ୍ ସହ ସିରିଜ ଜିତି ନେଇଛି।
ଅଷ୍ଟ୍ରେଲିଆ ପକ୍ଷରୁ ଗାର୍ଡେନର ଓ କିଙ୍ଗ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ବ୍ରାଉନ ଗୋଟିଏ ସଫଳତା ପାଇଛନ୍ତି।