ମୁମ୍ବାଇ: ଅକ୍ଷର ପଟେଲଙ୍କ ବିସ୍ଫୋରକ ୩୮ ଓ ଯୁବ ତାରକା ଲଳିତ ଯାଦବଙ୍କ ଗୁରୁତ୍ୱପୂର୍ଣ୍ଣ ୪୮ ରନ୍ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବଳରେ ୧୭୭ ରନ କରିଥିଲା। ଏହାର ଜବାବରେ ଦିଲ୍ଲୀ ୧୦ ବଲ ପୂର୍ବରୁ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟ ହାସଲ କରିନେଇଛି।
ଦିଲ୍ଲୀ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର ଓ ଲଳିତ ଯାଦବ ଚମତ୍କାର ବ୍ୟାଟିଂ କରି ଦିଲ୍ଲୀର ଚଳିତ ଆଇପିଏଲ ଅଭିଯାନ ବିଜୟରୁ ଆରମ୍ଭ କରିଛନ୍ତି।
ଈଶାନ କିଶନଙ୍କ ଅପରାଜିତ ୮୧ ରନ ବଳରେ ମୁମ୍ବାଇ ୧୭୭ ରନ କରିଥିଲା। ୧୭୮ ରନ୍ର ଟାର୍ଗେଟ ପାଇଥିବା ଦିଲ୍ଲୀ ୩୦ ରନରେ ପ୍ରଥମ ୱିକେଟ ହରାଇଥିଲା। ଟିମ୍ ସେଇଫର୍ଟ ୧୪ ବଲରେ ୨୧ ରନ୍ କରି ମୁରଗାନ ଅଶ୍ୱିନଙ୍କ ବଲରେ କ୍ଲିନବୋଲ୍ଡ ହୋଇ ଯାଇଥିଲେ। ଏହାପରେ ମନଦୀପ ସିଂହ ଖାତା ଖୋଲିବା ପୂର୍ବରୁ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଅଧିନାୟକ ଋଷଭ ପନ୍ତ ମଧ୍ୟ କେବଳ ୧ ରନ କରି ମିଲ୍ସଙ୍କ ବଲରେ ଆଉଟ ହୋଇଯାଇଥିଲେ।
୩୦ ରନ୍ରେ କୌଣସି ୱିକେଟ ହରାଇ ନଥିବା ଦିଲ୍ଲୀ ୩୨ ରନ୍ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ କ୍ରିଜ୍ରେ ଥିବା ପୃଥ୍ୱୀ ଶ’ ବଡ଼ବଡ଼ ଶଟ ଖେଳି ଚାପ ହଟାଇବାକୁ ଚେଷ୍ଟା କରିଥିଲେ। ଏଥିସହ ଲଳିତ ଯାଦବଙ୍କ ସହ ମିଶି ୪ର୍ଥ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ। ଦଳୀୟ ସ୍କୋର ୭୨ ଥିବା ବେଳେ ଶ’ ୩୮ ରନ୍ କରି ବାସିଲ ଥାମ୍ପିଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେ ଏହି ଇନିଂସରେ ୪ଟି ଚୌକା ଓ ୨ଟି ଚୌକା ମାରିଛନ୍ତି।
ଶ’ଙ୍କ ପରେପରେ ରୋଭମାନ ପାୱେଲ ଖାତା ଖୋଳିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ମଧ୍ୟ ଥାମ୍ପିଙ୍କ ଖାତାକୁ ଯାଇଥିଲା। ୭୨ ରନ୍ରେ ଦିଲ୍ଲୀ ୫ ୱିକେଟ ହରାଇଥିବାରୁ ଦଳର ବିଜୟ ଆଶା ମଉଳି ଯାଇଥିଲା। ହେଲେ ଶାର୍ଦ୍ଦୁଲ ଠାକୁର ୧୧ ବଲରେ ୨୨ ରନ୍ କରି ଦଳୀୟ ଶିବିରରେ ଉତ୍ସାହ ଭରି ଦେଇଥିଲେ। ସେ ଆଉଟ ହେବା ପରେ କ୍ରିଜକୁ ଆସିଥିଲେ ମ୍ୟାଚ୍ର ହିରୋ ଅକ୍ଷର ପଟେଲ।
ଏହି ସମୟରେ ଦିଲ୍ଲୀ ୧୩.୨ ଓଭର୍ରେ ୬ ୱିକେଟ ହରାଇ ମାତ୍ର ୧୦୪ ରନ୍ କରିଥିଲା। ଏହି ଠାରୁ ଅକ୍ଷର ଓ ଲଳିତ ଯାଦବ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ବିଶେଷ କରି ଅକ୍ଷରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ଦମଦାର ବ୍ୟାଟିଂ କରି ଦିଲ୍ଲୀକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଏଥିସହ ୧୦ ବଲ ପୂର୍ବରୁ ଦଳ ପାଇଁ ବିଜୟ ମୁଣ୍ଡି ପାରିଥିଲେ। ଦଳୀୟ ସ୍କୋର ୧୭୫ ଥିବା ବେଳେ ଅକ୍ଷର ପଟେଲ ଯଶପ୍ରୀତ ବୁମ୍ରାଙ୍କୁ ଚୌକା ମାରି ଦିଲ୍ଲୀକୁ ବିଜୟ ଭେଟି ଦେଇଥିଲେ।
୧୭ ବଲରେ ଅପରାଜିତ ୩୮ ରନ୍ର ଇନିଂସ ଖେଳିଥିବା ଅକ୍ଷର ପଟେଲ ୩ଟି ଛକା ଓ ୨ଟି ଚୌକା ମାରିଛନ୍ତି। ସେହିପରି ଲଳିତ ଯାଦବ ୩୮ ବଲରେ ୪୮ ରନ୍ର ଇନିଂସ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଏହି ଇନିଂସରେ ସେ ୪ଟି ଚୌକା ଓ ୨ଟି ଛକା ମାରିଛନ୍ତି।
ମୁମ୍ବାଇ ପକ୍ଷରୁ ଥାମ୍ପି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଅଶ୍ୱିନ ୨ଟି ଓ ମିଲ୍ସ ଗୋଟିଏ ସଫଳତା ପାଇଛନ୍ତି। ମୁମ୍ବାଇକୁ ବୋଲିଂରେ ଘାଇଲା କରିଥିବା କୁଲଦୀପ ଯାଦବ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି। ସେ ୪ ଓଭର୍ରେ ୧୮ ରନ୍ ଦେଇ ୩ ୱିକେଟ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।