କ୍ରୀଷ୍ଟଚର୍ଚ୍ଚ: ଟେଷ୍ଟ ବିଶ୍ୱ ବିଜେତା ନ୍ୟୁଜିଲ୍ୟାଣ୍ଡ ଘରୋଇ ମାଟିରେ ତା’ର ଜଲୱା ଦେଖାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ କ୍ୱିୱି ଟିମ୍ ଇନିଂସ ଓ ୨୭୬ ରନ୍ରେ ଜିତି ନେଇଛି। ପ୍ରଥମ ଇନିଂସରେ ମ୍ୟାଟ ହେନରୀ କମାଲ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ଅଭିଜ୍ଞ ଟିମ୍ ସାଉଦିଙ୍କ ଘାତିକ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକା ଆତ୍ମସମର୍ପଣ କରିଛି।
ସେ ୫ ୱିକେଟ ଦଖଲ କରିବାରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତା’ ଦ୍ୱିତୀୟ ଇନିଂସରେ ମାତ୍ର ୧୧୧ ରନ୍ କରି ଅଲଆଉଟ ହୋଇଯାଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ମ୍ୟାଟ ହେନରୀ ମ୍ୟାନ ଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି।
ସେ ଏହି ମ୍ୟାଚ୍ରେ ମୋଟ ୯ଟି ୱିକେଟ ଦଖଲ କରିଛନ୍ତି। ପ୍ରଥମ ଇନିଂସରେ ସେ ୨୩ ରନ୍ ଦେଇ ୭ ସଫଳତା ପାଇଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ ୨ଟି ୱିକେଟ ଦଖଲ କରିଛନ୍ତି। ଏଥିସହ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ୍ରେ ସେ ୧୧ନଂରେ ବ୍ୟାଟିଂ କରିବାକୁ ଆସି ୫୮ ରନ୍ କରିଥିଲେ।
ନ୍ୟୁଜିଲ୍ୟାଣ୍ଡ ଆଜି ଯାଏ କେବେ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ଜିତି ନାହିଁ। କିନ୍ତୁ ଏଥର ଦଳ ପାଖରେ ସିରିଜ୍ ଜିତିବାର ସୁଯୋଗ ରହିଛି। ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍କୁ ନ୍ୟୁଜିଲ୍ୟାଣ୍ଡ ସହଜରେ ଜିତି ନେଇଥିବାରୁ ଦ୍ୱିତୀୟ ଟେଷ୍ଟରେ ଦଳ ଚାପ ମୁକ୍ତ ହୋଇ ଖେଳିବ। ଏଥିସହ ଘରୋଇ ମାଟିରେ ଇତିହାସ ସୃଷ୍ଟି କରିବା ଆଶାରେ ମୈଦାନକୁ ଓହ୍ଲାଇବ।
ମ୍ୟାଚ୍ କଥା ବିଚାରକୁ ନେଲେ ନ୍ୟୁଜିଲ୍ୟାଣ୍ଡର କାମଚଳା ଅଧିନାୟକ ଟମ ଲାଥମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକାର ବ୍ୟାଟର୍ସମାନେ କ୍ୱିୱି ଟିମ୍ର ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମ ଇନିଂସରେ ମାତ୍ର ୯୫ ରନ୍ କରିପାରିଥିଲେ।
ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସରେ ୪୮୨ ରନ୍ କରିଥିଲା। ଦଳ ପକ୍ଷରୁ ହେନରୀ ନିକୋଲ୍ସ ୧୦୫, ଟମ ବ୍ଲଣ୍ଡେଲ ୯୬ ଓ ମ୍ୟାଟ ହେନରୀ ୫୮ ରନ୍ର ଇନିଂସ ଖେଳିଥିଲେ।
ନ୍ୟୁଜିଲ୍ୟାଣ୍ଡ ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ତେବେ ପୁଣିଥରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟେମ୍ବା ଭାବୁମା(୪୧) ଓ କାୟେଲ ଭେରନା(୩୦)ଙ୍କୁ ଛାଡ଼ି ଦେଲେ ଆଉ କେହି ବି ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ସାମ୍ନା କରିପାରି ନଥିଲେ। ଶେଷରେ ଦଳ ତା’ର ଦ୍ୱିତୀୟ ଇନିଂସରେ ୧୧୧ ରନ୍ କରି ଅଲଆଉଟ ହୋଇଯାଇଥିଲା।
କ୍ୱିୱି ଟିମ୍ ପକ୍ଷରୁ ସାଉଦି ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ହେନରୀ ଓ ୱାଗନର ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି କାୟେଲ ଜାମିସନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।