ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଶୁକ୍ରବାର ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ୩ଟି ଟିମ ଘୋଷଣା କରାଯାଇଥିବା ବେଳେ ମାତ୍ର ୪ ଜଣ ଖେଳାଳି ସବୁ ସ୍କ୍ୱାଡରେ ରହିଛନ୍ତି। ସେମାନେ ହେଲେ ଶୁବମନ ଗିଲ, ସୂର୍ଯ୍ୟ କୁମାର ଯାଦବ, କୁଲଦୀପ ଯାଦବ ଓ ଈଶାନ କିଶନ। ସୂର୍ଯ୍ୟ କୁମାର ଯାଦବ ଓ ଈଶାନ କିଶନ ପ୍ରଥମଥର ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ ହୋଇଛନ୍ତି।
ସେହିପରି ରଣଜୀ ଟ୍ରଫିରେ କମାଲ କରିବା ପରେ ପୃଥ୍ୱୀ ଶ’ ଜାତୀୟ ଟିମକୁ ଫେରିଛନ୍ତି। ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ସାମିଲ କରାଯାଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ସ୍ଥାନ ପାଇଛନ୍ତି।
କେଏଲ ରାହୁଲ ଓ ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ଖେଳିବେ ନାହିଁ। ବ୍ୟକ୍ତିଗତ କାରଣ ପାଇଁ ସେମାନଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ନକରିବାକୁ ଅନୁରୋଧ କରିଥିଲେ। ଏଥିପାଇଁ ବିସିସିଆଇ ଉଭୟଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜକୁ ବାଦ ଦେଇଛି। ତେବେ ଉଭୟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ସ୍କ୍ୱାଡରେ ରହିଛନ୍ତି।
ରାହୁଲ ଟେଷ୍ଟ ସିରିଜରେ ଅଧିନାୟକ ରୋହିତ ଶର୍ମାଙ୍କ ଡେପୁଟି ଭାବେ କାମ କରିବେ। ଯଶପ୍ରୀତ ବୁମ୍ରା ଫିଟ ନଥିବାରୁ ତାଙ୍କୁ ମଧ୍ୟ ଦୁଇଟି ଯାକ ସିରିଜ୍ ପାଇଁ ଚୟନ କରାଯାଇନି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର କମାଣ ସମ୍ଭାଳିବେ। ସୂର୍ଯ୍ୟ କୁମାର ଯାଦବ ତାଙ୍କୁ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଭଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବେ ନାହିଁ। ତେବେ ଦିନିକିଆ ସିରିଜ୍ରେ ଉଭୟ କମବ୍ୟାକ୍ କରିବେ। ରୋହିତ ମଧ୍ୟ ଅଧିନାୟକ ଦାୟିତ୍ୱରେ ରହିବେ। ଦିନିକିଆରେ ରୋହିତଙ୍କ ଡେପୁଟି ଭାବେ ହାର୍ଦ୍ଦିକ ରହିଛନ୍ତି।
ଅନ୍ୟପକ୍ଷରେ ସୂର୍ଯ୍ୟ କୁମାର ଯାଦବ ଓ ଈଶାନ କିଶନଙ୍କୁ ପ୍ରଥମଥର ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଛି। ଋଷଭ ପନ୍ତ ଦୁର୍ଘଟଣାରେ ଆହତ ହୋଇଥିବାରୁ ଦଳରେ ଈଶାନ କିଶନଙ୍କୁ ୱିକେଟ କିପର ଭାବେ ସୁଯୋଗ ମିଳିଛି। କେଏସ୍ ଭରତ ମଧ୍ୟ ୱିକେଟ କିପର ଭାବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୧୮, ୨୧ ଓ ୨୪ ତାରିଖରେ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଏହାପରେ ୨୭,୨୯ ଓ ଫେବୃଆରୀ ୧ରେ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ। ଫେବୃଆରୀ ୯ରୁ ମାର୍ଚ୍ଚ ୧୩ ଯାଏ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, କେଏସ ଭରତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ୱାଶିଂଟନ ସୁନ୍ଦର, ଶହବାଜ ଅହମଦ, ଶାର୍ଦ୍ଦୁଲ ଠାକୁର, ୟୁଜି ଚହଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଉମ୍ରାନ ମିଲିକ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସୂର୍ଯ୍ୟ କୁମାର ଯାଦବ(ଉପ ଅଧିନାୟକ), ଈଶାନ କିଶନ, ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା(ୱିକେଟ କିପର), ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜି ଚହଲ, ଅର୍ଶଦୀପ ସିଂହ, ଉମ୍ରାନ ମିଲକ, ଶିବମ ମାଭି, ପୃଥ୍ୱୀ ଶ’ ଓ ମୁକେଶ କୁମାର।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର, କେଏସ ଭରତ(ୱିକେଟ କିପର), ଈଶାନ କିଶନ(ୱିକେଟ କିପର), ରବି ଅଶ୍ୱିନୀ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ ଓ ସୂର୍ଯ୍ୟ କୁମାର ଯାଦବ।
🚨 NEWS 🚨: India’s squads for Mastercard New Zealand tour of India and first two Test matches against Australia announced#TeamIndia | #INDvNZ | #INDvAUS | @mastercardindia
— BCCI (@BCCI) January 13, 2023