ମୁମ୍ବାଇକୁ ୧୩୬ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ଅବୁଧାବି: ଏଡେନ ମାର୍କମଙ୍କ ୪୨ ଓ ଦୀପକ ହୁଡ୍ଡାଙ୍କ ଲଢ଼ୁଆ ୨୮ ରନ୍‌ ବଳରେ ପଞ୍ଜାବ କିଙ୍ଗସ ଡିଫେଣ୍ଡିଂ ଚାମ୍ପିୟନ ଆଗରେ ୧୩୭ ରନ୍‌ ଟାର୍ଗେଟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୩୫ ରନ୍‌ କରିଛି। ଫଳରେ ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିବାକୁ ମୁମ୍ବାଇକୁ ଏହି ମ୍ୟାଚ୍‌ରେ ୧୩୬ ରନ୍‌ କରିବାକୁ ପଡ଼ିବ। ବର୍ତ୍ତମାନ ଉଭୟ ଦଳ ୧୦ ଲେଖାଏ ମ୍ୟାଚ୍‌ ଖେଳି ସମାନ […]

Mumbai

Hemant Lenka
  • Published: Tuesday, 28 September 2021
  • , Updated: 28 September 2021, 09:18 PM IST

ଅବୁଧାବି: ଏଡେନ ମାର୍କମଙ୍କ ୪୨ ଓ ଦୀପକ ହୁଡ୍ଡାଙ୍କ ଲଢ଼ୁଆ ୨୮ ରନ୍‌ ବଳରେ ପଞ୍ଜାବ କିଙ୍ଗସ ଡିଫେଣ୍ଡିଂ ଚାମ୍ପିୟନ ଆଗରେ ୧୩୭ ରନ୍‌ ଟାର୍ଗେଟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୩୫ ରନ୍‌ କରିଛି। ଫଳରେ ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିବାକୁ ମୁମ୍ବାଇକୁ ଏହି ମ୍ୟାଚ୍‌ରେ ୧୩୬ ରନ୍‌ କରିବାକୁ ପଡ଼ିବ।

ବର୍ତ୍ତମାନ ଉଭୟ ଦଳ ୧୦ ଲେଖାଏ ମ୍ୟାଚ୍‌ ଖେଳି ସମାନ ୮ ପଏଣ୍ଟ ଲେଖାଏ ପାଇଛନ୍ତି। ମୁମ୍ବାଇ ପଏଣ୍ଟ ଟେବୁଲର ୭ନଂରେ ଥିବା ବେଳେ ପଞ୍ଜାବ ୫ ନଂରେ ରହିଛି। ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆଜିର ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି କେଏଲ ରାହୁଲଙ୍କ ପଞ୍ଜାବକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଆହତ ଯୋଗୁ ପଞ୍ଜାବ ଓପନର ମୟଙ୍କ ଅଗ୍ରୱାଲଙ୍କ ବଦଳରେ କେଏଲ ରାହୁଲ ଓ ମନଦୀପ ସିଂହ ଇନିଂସ ଆରମ୍ଭ କରିଥିଲେ। ଉଭୟ ବେଶ ସତର୍କତାର ସହ ଖେଳି ୫ ଓଭର୍‌ରେ ୩୬ ରନ୍‌ ଆଦାୟ କରିଥିଲେ।

ଏହାପରେ ଆରମ୍ଭ ହୋଇଥିଲା ବ୍ୟାଟିଂ ବିପର୍ଯ୍ୟୟ। ୧୫ ରନ୍‌ କରିଥିବା ମନଦୀପଙ୍କୁ କୃନାଲ ପାଣ୍ଡ୍ୟା ଆଉଟ କରି ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ୩୯ ରନ୍‌ରେ ଗେଲ୍‌(୧) କାଏରନ ପୋଲାର୍ଡଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସେହି ଓଭର୍‌ରେ ପୋଲାର୍ଡ ଇନଫର୍ମ କେଏଲ ରାହୁଲ(୨୧)ଙ୍କ ୱିକେଟ ମଧ୍ୟ ଦଖଲ କରିଥିଲେ।

ବିପର୍ଯ୍ୟୟ ଏତିକିରେ ଶେଷ ହୋଇ ନଥିଲା। ଏହାର ପରବର୍ତ୍ତୀ ଓଭର୍‌ରେ ଯଶପ୍ରୀତ ବୁମ୍ରା ୧ ରନ୍‌ କରିଥିବା ନିକୋଲସ ପୂରନଙ୍କୁ ଆଉଟ କରି ପଞ୍ଜାବକୁ ୪ର୍ଥ ଝଟକା ଦେଇଥିଲେ। ୪୮ ରନ୍‌ରେ ୪ ୱିକେଟ ହରାଇ ପଞ୍ଜାବ ପୂରା ସଙ୍କଟରେ ପଡ଼ିଯାଇଥିଲା। ଲାଗୁଥିଲା ଦଳ ୮୦ କିମ୍ବା ୯୦ ରନ୍‌ ଭିତରେ ଅଲଆଉଟ ହୋଇଯିବ।

କିନ୍ତୁ ମୁମ୍ବାଇର ସବୁ ଯୋଜନାରେ କିଛି ସମୟ ପାଇଁ ଏଡେନ ମାର୍କମ ଓ ଦୀପକ ହୁଡ୍ଡା ପାଣି ପକାଇ ଦେଇଥିଲେ। ଉଭୟ ଜବରଦସ୍ତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏପରି କି ୫ ୱିକେଟ ପାଇଁ ଦଳର ଖାତାରେ ୬୧ ରନ୍‌ ଯୋଡ଼ିଥିଲେ। ତେବେ ବଡ଼ ଶଟ ଖେଳିବା ଲୋଭରେ ମାର୍କମ (୪୨) ରାହୁଲ ଚହରଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୨୯ଟି ବଲରେ ୬ ଚୌକା ବଳରେ ୪୨ ରନ୍‌ର ଇନିଂସ ଖେଳିଥିଲେ।

ମାର୍କନ ଆଉଟ ହେବା ପରେ ହୁଡ୍ଡା ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୮ତମ ଓଭର ବୋଲିଂ କରୁଥିବା ବୁମ୍ରା ଏହା କରିବାକୁ ଦେଇ ନଥିଲେ। ବୁମ୍ରା ତାଙ୍କ ୨୮ ରନ୍‌ରେ ଆଉଟ କରି ପଞ୍ଜାବକୁ ୬ଷ୍ଠ ଝଟକା ଦେଇଥିଲେ। ଏହାର ପରବର୍ତ୍ତୀ ବଲରେ ହରପ୍ରୀତ ବ୍ରାର୍‌ଙ୍କ କ୍ୟାଚ୍‌ ଉଠିଥିଲେ ହେଁ ସୂର୍ଯ୍ୟ କୁମାର ଯାଦବ ଏହାକୁ ଧରି ପାରି ନଥିଲେ।

ହରପ୍ରୀତ ବ୍ରାର ଶେଷ ଯାଏ ୧୯ ବଲରେ ୧୪ ଓ ନାଥନ ଏଲ୍ଲିସ ୪ ବଲ୍‌ରେ ୬ ରନ୍‌ କରିବାରୁ ପଞ୍ଜାବ ୧୩୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ କାଏରନ ପୋଲାର୍ଡ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ କୃନାଲ ପାଣ୍ଡ୍ୟା ଏବଂ ରାହୁଲ ଚହର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Related story