ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚ୍‌: ତଥାପି ଡ୍ରରେ ଶେଷ ହେଲା ପାକ୍‌-ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ

କରାଚି: ଟେଷ୍ଟ କ୍ରିକେଟ ଆଦୌ ବୋରିଂ ନୁହେଁ। ଦିନିକିଆ ଓ ଟି-୨୦ ଭଳି ଟେଷ୍ଟ କ୍ରିକେଟ ମଧ୍ୟ ରୋମାଞ୍ଚକର ହୋଇପାରେ। ଏକଥା ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ମ୍ୟାଚ ଅମୀମାଂସିତ ରହିଛି ସତ, କିନ୍ତୁ ପୂରା ମ୍ୟାଚ୍‌ ବେଶ ରୋମାଞ୍ଚକର ରହିଥିଲା। ପାକିସ୍ତାନକୁ ଶେଷ ଦିନରେ ମ୍ୟାଚ୍‌ ଜିତିବା ପାଇଁ ୩୧୯ ରନ ଦରକାର ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିଜୟ ଠାରୁ ୮ ୱିକେଟ ଦୂରରେ ଥିଲା। ପାକିସ୍ତାନ ପାଇଁ ସର୍ଫରାଜ […]

pakistan

  • Published: Friday, 06 January 2023
  • , Updated: 06 January 2023, 09:22 PM IST

କରାଚି: ଟେଷ୍ଟ କ୍ରିକେଟ ଆଦୌ ବୋରିଂ ନୁହେଁ। ଦିନିକିଆ ଓ ଟି-୨୦ ଭଳି ଟେଷ୍ଟ କ୍ରିକେଟ ମଧ୍ୟ ରୋମାଞ୍ଚକର ହୋଇପାରେ। ଏକଥା ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ମ୍ୟାଚ ଅମୀମାଂସିତ ରହିଛି ସତ, କିନ୍ତୁ ପୂରା ମ୍ୟାଚ୍‌ ବେଶ ରୋମାଞ୍ଚକର ରହିଥିଲା।

ପାକିସ୍ତାନକୁ ଶେଷ ଦିନରେ ମ୍ୟାଚ୍‌ ଜିତିବା ପାଇଁ ୩୧୯ ରନ ଦରକାର ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିଜୟ ଠାରୁ ୮ ୱିକେଟ ଦୂରରେ ଥିଲା। ପାକିସ୍ତାନ ପାଇଁ ସର୍ଫରାଜ ଅହମଦ ଶତକ ହାସଲ କରିବା ସହ ଏକଦା ଦଳକୁ ବିଜୟ ଅଭିମୁଖେ ନେଇ ଯାଇଥିଲେ। କିନ୍ତୁ ସେ ଆଉଟ ହେବା ପରେ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଜିତିବାର ନିକଟବର୍ତ୍ତୀ ହୋଇଯାଇଥିଲା। ହେଲେ ଶେଷରେ ଦୁଇ ଦଳ ମଧ୍ୟରୁ କେହି ବି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇନାହାନ୍ତି।

ଟାର୍ଗେଟ ୩୧୯ ଥିବା ବେଳେ ପାକିସ୍ତାନ ୯୦ ଓଭର ବ୍ୟାଟିଂ କରି ୯ ୱିକେଟ ହରାଇ ୩୦୪ ରନ କରିଛି। ଅର୍ଥାତ ଦଳ ବିଜୟ ଠାରୁ ୧୫ ରନ ପଛରେ ରହିଯାଇଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ଗୋଟିଏ ୱିକେଟ ହାସଲ କରିଥିଲେ ମ୍ୟାଚକୁ ଜିତି ପାରି ଥାଆନ୍ତା। କିନ୍ତୁ ଖରାପ ଆଲୁଅ ଯୋଗୁ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି। ତଥାପି ଅମୀମାଂସିତ ରହିଥିବା ମ୍ୟାଚ୍‌କୁ ଷ୍ଟାଡିୟମ ଓ ଟିଭିରେ ଦେଖୁଥିବା ଲୋକ ବେଶ ମଜା ଉଠାଇଛନ୍ତି।

ପାକିସ୍ତାନ ୨୮୭ ରନରେ ସର୍ଫରାଜ ଅହମଦ (୧୧୮)ଙ୍କୁ ୯ମ ବ୍ୟାଟର ଭାବେ ହରାଇଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡ ସମସ୍ତ ୧୧ ଖେଳାଳିଙ୍କୁ ଦୁଇ ପାକ୍‌ ବ୍ୟାଟର ନଶିମ ଶାହ ଓ ଅବରାର ଅହମଦଙ୍କ ଚାରି ପାଖରେ ଖଞ୍ଜି ଆଉଟ କରିବାକୁ ଚେଷ୍ଟା କରିଥିଲା।

କିନ୍ତୁ ଦୁହେଁ ବେଶ ସାହାସର ସହ ବ୍ୟାଟିଂ କରିଥିଲେ। ଏଥିସହ ନ୍ୟୁଜିଲ୍ୟାଣ୍ଡର ସବୁ ରଣନୀତିକୁ ଫେଲ କରି ଦେଇଥିଲେ। ୧୧ ଖେଳାଳି କେମିତି ବ୍ୟାଟରଙ୍କ ୪ ପାଖରେ ଫିଲ୍ଡିଂ କରିଥିଲେ, ତା’ର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ କରାଚିରେ ଖେଳାଯାଇଥିବା ଏହି ଟେଷ୍ଟକୁ ପସନ୍ଦ କରି ଟ୍ୱିଟ କରୁଛନ୍ତି। ତେଣୁ ଟ୍ୱିଟରରେ ଟେଷ୍ଟ କ୍ରିକେଟ ଟ୍ରେଣ୍ଡିଂ ମଧ୍ୟ କରୁଛି।

ମ୍ୟାଚ୍‌ କଥା ବିଚାରକୁ ନେଲେ ନ୍ୟୁଜିଲ୍ୟାଣ୍ଡ ତା’ ପ୍ରଥମ ଇନିଂସରେ ଡେଭନ କନୱେଙ୍କ ୧୨୨, ଟମ ବ୍ଲଣ୍ଡେଲଙ୍କ ୫୧ ଓ ଶେଷ ଭାଗରେ ମ୍ୟାଟ ହେନରୀଙ୍କ ଅପରାଜିତ ୬୮ ରନ ବଳରେ ୪୪୯ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ସୌଦ ଶକୀଲଙ୍କ ଅପରାଜିତ ୧୨୫, ଇମାମ ଉଲ ହକଙ୍କ ୮୩ ଓ ଆଘା ସଲମାନଙ୍କ ୪୧ ରନ ବଳରେ ସମସ୍ତ ୱିକେଟ ହରାଇ ୪୦୮ ରନ କରିଥିଲା।

ନ୍ୟୁଜିଲ୍ୟାଣ୍ଡ ୪୧ ରନର ଲିଡ୍‌ ହାସଲ କରିବା ପରେ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା। ଦ୍ୱିତୀୟ ଇନିଂସରେ ଟମ ଲାଥମଙ୍କ ୬୨, କେନ ୱିଲିୟମସନଙ୍କ ୪୧, ଟମ ବ୍ଲଣ୍ଡେଲଙ୍କ ୭୪ ଓ ମାଇକେଲ ବ୍ରେସୱେଲଙ୍କ ଅପରାଜିତ ୭୪ ରନ ବଳରେ ୫ ୱିକେଟ ହରାଇ ୨୭୭ ରନ କରିବା ପରେ ପାଳି ଘୋଷଣା କରିଥିଲା।

୪ର୍ଥ ଦିନର ଖେଳ ମାତ୍ର କିଛି ମିନିଟ ବାକି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପାଳି ଘୋଷଣା କରିବାରୁ ପାକିସ୍ତାନକୁ ୩୧୯ ରନର ଟାର୍ଗେଟ ମିଳିଥିଲା। କିନ୍ତୁ ୪ର୍ଥ ଦିନ ଷ୍ଟମ୍ପ ଅପସାରଣ ପୂର୍ବରୁ ପାକିସ୍ତାନ ବିନା କୌଣସି ରନରେ ୨ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଲାଗୁଥିଲା ଆଜି ନ୍ୟୁଜିଲ୍ୟାଣ୍ଡ ବାକି ୮ ୱିକେଟ ସଅଳ ନେଇ ମ୍ୟାଚ୍‌ ସହ ୨ଟିକିଆ ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତି ନେବ।

କିନ୍ତୁ ୪ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ସର୍ଫରାଜ ନିଜ ଅଭିଜ୍ଞତାର ପରିଚୟ ଦେଇଥିଲେ। ଏଥିସହ ଖୁଣ୍ଟ ଭଳି ଗୋଟିଏ ପଟେ ପାକିସ୍ତାନକୁ ସମ୍ଭାଳିଥିଲେ। ତାଙ୍କୁ ଶାନ ମାସୁଦ (୩୫), ସୌଦ ଶକୀଲ (୩୨) ଓ ଆଘା ସଲମାନ(୩୨) କିଛି ସମୟ ସାଥ ଦେଇଥିଲେ। ହେଲେ କେହି ବି ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ସର୍ଫରାଜ ଲଢ଼େଇ କରି ୮ ବର୍ଷ ପରେ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଏହି ସମୟରେ ସେ ବେଶ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କ ପତ୍ନୀ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ୮ ବର୍ଷ ପରେ ସର୍ଫରାଜ ଶତକ ହାସଲ କରିଥିବାରୁ ସେ ଖୁସିରେ କାନ୍ଦି ପକାଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି।


ସର୍ଫରାଜ ୧୧୮ ରନ କରିଥିବା ବେଳେ ବ୍ରେସୱେଲ ତାଙ୍କୁ ଆଉଟ କରି ପାକିସ୍ତାନକୁ ୯ମ ଝଟକା ଦେଇଥିଲେ। ଲାଗୁଥିଲା ନଶିମ ଶାହ ଓ ଅବରାର ମ୍ୟାଚ୍‌ ବଞ୍ଚାଇ ପାରିବେ ନାହିଁ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସେମାନଙ୍କ ବ୍ୟାଟ ଚାରିପାଖରେ ଫିଲ୍ଡ ଲଗାଇ ଘନଘନ ଆକ୍ରମଣ କରିଥିଲା। ତଥାପି ଦୁହେଁ ବେଶ ଦୃଢ଼ତାର ସହ ସବୁ କିଛିର ମୁକାବିଲା କରି ମ୍ୟାଚ୍‌କୁ ଡ୍ର କରିବାରେ ସକ୍ଷମ ହୋଇଛନ୍ତି।

ପ୍ରଥମ ମ୍ୟାଚ୍‌ ମଧ୍ୟ ଡ୍ର ରହିଥିଲା। ତେଣୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟିକିଆ ଟେଷ୍ଟ ସିରିଜ ଅମୀମାଂସିତ ରହିଛି। ଲଢ଼ୁଆ ଶତକ ସହ ପ୍ରଥମ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିବା ସର୍ଫରାଜ ଅହମଦ ଉଭୟ ମ୍ୟାନ ଅଫ ଦି ମ୍ୟାଚ୍‌ ଓ ସରିଜ ପାଇଛନ୍ତି।

Related story