ଇସଲାମାବାଦ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଥିବା ଏସିଆ କପ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଏସିଆ କପରୁ ବାଦ ପଡ଼ିଛନ୍ତି। ସେ ଆହତ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କୁ ଏସିଆ କପରେ ଦେଖିବାକୁ ମିଳିବ ନାହିଁ।
ଟି-୨୦ ବିଶ୍ୱକପ ଠାରୁ ଆରମ୍ଭ କରି ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ଆଫ୍ରିଦି ନିଜର ବାମହାତୀ ସୁଇଂରେ ସମସ୍ତଙ୍କୁ ଚକମା ଦେଉଥିଲେ। ଭାରତ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚ୍ରେ ମଧ୍ୟ ଆଫ୍ରିଦିଙ୍କ ଜଲୱା ଦେଖିବାକୁ ମିଳିଥିଲା। ଏବେ ତାଙ୍କ ଅନୁପସ୍ଥିତି ଏସିଆ କପରେ ପାକିସ୍ତାନକୁ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି।
ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆହତ ସମସ୍ୟା ଦେଇ ଗତି କରୁଥିବା ଶାହୀନ ଆଫ୍ରିଦିଙ୍କୁ ମେଡିକାଲ ପରାମର୍ଶଦାତା କମିଟି ୪ରୁ ୬ ସପ୍ତାହ ବିଶ୍ରାମ ନେବାକୁ କହିଛି। ଏହାର ଅର୍ଥ ସେ ଟି-୨୦ ଏସିଆ କପ ଖେଳିପାରିବେ ନାହିଁ। ସେହିପରି ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ନାହିଁ।
ଗାଲେରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଆଫ୍ରିଦି ଆହତ ହୋଇଥିଲେ। ସେ ଫିଲ୍ଡିଂ କରୁଥିବା ବେଳେ ଆଣ୍ଠୁ ଲିଗାମେଣ୍ଟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ପଡ଼ିଆ ମଧ୍ୟ ଛାଡ଼ିବାକୁ ପଡ଼ିଥିଲା। ଏହାର ଚିକିତ୍ସା ଚାଲିଥିଲେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତେଣୁ ତାଙ୍କୁ ୪ରୁ ୬ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ ବୋଲି ପିସିବି କହିଛି।
ପିସିବିର ମୁଖ୍ୟ ମେଡିକାଲ ଅଫିସର ଡା ନଜିବୁଲ୍ଲା ସୋମରୋ କହିଛନ୍ତି, “ମୁଁ ଏସମ୍ପର୍କରେ ଶାହୀନଙ୍କ ସହ କଥା ହୋଇଛି। ସେ ଏହି ଖବର ପାଇ ବେଶ ମନ ଖରାପ କରିଛନ୍ତି। କିନ୍ତୁ ସେ ଜଣେ ସାହାସୀ କ୍ରିକେଟର। ସେ ବେଶ ଶକ୍ତିଶାଳୀ ଢଙ୍ଗରେ କମବ୍ୟାକ କରି ଦେଶ ତଥା ଟିମ୍ ପାଇଁ ନିଜର ସେବା ଯୋଗାଇ ଦେବେ ବୋଲି କହିଛନ୍ତି। ତାଙ୍କର ଏପରି କଥା ଆମକୁ ପ୍ରଭାବିତ କରିଛି।”
ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜ୍ରେ ସ୍କ୍ୱାଡରେ ୨୨ ବର୍ଷୀୟ ଆଫ୍ରିଦି ରହିଥିଲେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ନାହାନ୍ତି। ଏସବୁ ଭିତରେ ସେ ଏସିଆ କପରୁ ବାଦ ପଡ଼ିଛନ୍ତି। ଆଫ୍ରିଦି ବାଦ ପଡ଼ିଥିଲେ ମଧ୍ୟ ପିସିବି ଏଯାଏ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିନାହିଁ। ପାକିସ୍ତାନ ୨୮ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍ରୁ ତା’ର ଏସିଆ କପ ଅଭିଯାନ ଆରମ୍ଭ କରିବ।