ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରୁ ଶ୍ରେୟସ ଆୟର ଆଉଟ

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ବ୍ୟାକ୍‌ ଇଞ୍ଜୁରୀ ପାଇଁ ଦଳର ନିୟମିତ ସଦସ୍ୟ ଶ୍ରେୟସ ଆୟର ସିରିଜରୁ ବାଦ ପଡ଼ିଛନ୍ତି। ସେ ଆହତ ହେବାରୁ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଯିବେ। ଦିନିକିଆ ସିରିଜ୍‌ରୁ ଆୟର ବାଦ ପଡ଼ିବାରୁ ତାଙ୍କ ବଦଳ ଖେଳାଳି ଭାବେ ରଜତ ପାଟିଦାରଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ […]

Shreyas-Iyer

  • Published: Tuesday, 17 January 2023
  • , Updated: 17 January 2023, 10:47 PM IST

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ବ୍ୟାକ୍‌ ଇଞ୍ଜୁରୀ ପାଇଁ ଦଳର ନିୟମିତ ସଦସ୍ୟ ଶ୍ରେୟସ ଆୟର ସିରିଜରୁ ବାଦ ପଡ଼ିଛନ୍ତି। ସେ ଆହତ ହେବାରୁ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଯିବେ। ଦିନିକିଆ ସିରିଜ୍‌ରୁ ଆୟର ବାଦ ପଡ଼ିବାରୁ ତାଙ୍କ ବଦଳ ଖେଳାଳି ଭାବେ ରଜତ ପାଟିଦାରଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି।

ବିସିସିଆଇ ସମ୍ପାଦକ ଜୟ ଶାହ ଗୋଟିଏ ବିବୃତିରେ କହିଛନ୍ତି, “ବ୍ୟାକ୍ ଇଞ୍ଜୁରୀ ପାଇଁ ଭାରତୀୟ ବ୍ୟାଟର ଶ୍ରେୟସ ଆୟର ନ୍ୟୁଜିଲ୍ୟାଣ୍ତ ବିପକ୍ଷ ୩ଟିକିଆ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି।” ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ପରେ ହିଁ ଆୟର ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କର ସ୍କାନ କରାଯାଇଥିଲା। ଆହତ ସମସ୍ୟା ସାମାନ୍ୟ ଅଧିକ ଥିବାରୁ ତାଙ୍କୁ ଏନସିଏ ଯିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

୨୦୨୨ରେ ଭାରତ ପାଇଁ ଦିନିକିଆରେ ଶ୍ରେୟସ ଆୟର କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିଲେ। କିନ୍ତୁ ୨୦୨୩ରେ ତାଙ୍କ ବ୍ୟାଟ ସେତେଟା ଚାଲି ନାହିଁ। ସେ ଶ୍ରୀଲଙ୍କା ବିପକ୍ଷ ୩ଟି ଯାକ ମ୍ୟାଚ୍‌ ଖେଳିଥିଲେ ହେଁ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ସେ ୩ଟି ମ୍ୟାଚରେ ଯଥାକ୍ରମେ ୨୮,୨୮ ଓ ୩୮ ରନର ଇନିଂସ ଖେଳିଥିଲେ। ତଥାପି ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଥିବାରୁ ଆୟରଙ୍କୁ ଟିମ ମ୍ୟାନେଜମେଣ୍ଟ ୪ନଂରେ ଖେଳାଇବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ବଦଳରେ ଆୟରଙ୍କୁ ହିଁ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ସୁଯୋଗ ମିଳିଥିଲା।


ଏବେ ସେ ଆହତ ହୋଇଥିବାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବ ୪ନଂରେ ବ୍ୟାଟିଂ କରିପାରନ୍ତି। ସେହିପରି କେଏଲ ରାହୁଲ ଦିନିକିଆ ସିରିଜ୍‌ରେ ନଥିବାରୁ ୱିକେଟ କିପିଂ ଦାୟିତ୍ୱ ଈଶାନ କିଶନଙ୍କୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରି ହେଲେ ଦଳ କାହାକୁ ବାଦ ଦେବ ଓ କାହାକୁ ରଖିବ, ସେନେଇ ଚିନ୍ତାରେ ପଡ଼ିଛି।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜାନୁଆରୀ ୧୮ରୁ ଦିନିକିଆ ସିରିଜ ଆରମ୍ଭ ହେବ। ଏହି ସିରିଜ୍‌ରେ ରୋହିତ ଶର୍ମା ଦଳର କମାଣ ସମ୍ଭାଳିବେ। ସେହିପରି ଦିନିକିଆ ପରେ ଟି-୨୦ ସିରିଜ ଆରମ୍ଭ ହେବ। ଏଥିରେ ଭାରତର ଅଧିନାୟକ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିବେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଈଶାନ କିଶନ, ବିରାଟ କୋହଲି, ରଜତ ପାଟିଦାର, ସୂର୍ଯ୍ୟ କୁମାର ଯାଦବ, କେଏସ୍‌ ଭରତ(ୱିକେଟ କିପର) ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ୱାଶିଂଟନ ସୁନ୍ଦର, ଶହବାଜ ଅହମଦ, ଶାର୍ଦ୍ଦୁଲ ଠାକୁର, ୟୁଜି ଚହଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଉମ୍ରାନ ମିଲିକ।

Related story