୬ ମାରି ଅଷ୍ଟ୍ରେଲିଆକୁ ଜିତାଇଲେ ସ୍ମିଥ, ହାରିଲା ଇଂଲଣ୍ଡ

ଆଡିଲେଡ: କିଛି ଦିନ ତଳେ ଟି-୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ ପରାଜୟରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଆରମ୍ଭ କରିଛି। ଟି-୨୦ ବିଶ୍ୱକପରେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇ ନଥିବା ଷ୍ଟିଭ ସ୍ମିଥ ୬ ମାରି ଅଷ୍ଟ୍ରେଲିଆକୁ ସହଜ ବିଜୟ ଭେଟି ଦେଇଛନ୍ତି। ଶେଷ ଯାଏ ସ୍ମିଥ ଅପରାଜିତ ୮୦ ରନ କରି କ୍ରିଜ୍‌ରେ ରହିଥିବା ବେଳେ ଟ୍ରାଭିସ ହେଡ ୬୯ ଓ ଡାଭିଡ ୱାର୍ଣ୍ଣର ଗୁରୁତ୍ୱପୂର୍ଣ୍ଣ ୮୬ ରନର ଇନିଂସ ଖେଳିଛନ୍ତି। […]

smith

  • Published: Thursday, 17 November 2022
  • , Updated: 17 November 2022, 06:04 PM IST

ଆଡିଲେଡ: କିଛି ଦିନ ତଳେ ଟି-୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ ପରାଜୟରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଆରମ୍ଭ କରିଛି। ଟି-୨୦ ବିଶ୍ୱକପରେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇ ନଥିବା ଷ୍ଟିଭ ସ୍ମିଥ ୬ ମାରି ଅଷ୍ଟ୍ରେଲିଆକୁ ସହଜ ବିଜୟ ଭେଟି ଦେଇଛନ୍ତି।

ଶେଷ ଯାଏ ସ୍ମିଥ ଅପରାଜିତ ୮୦ ରନ କରି କ୍ରିଜ୍‌ରେ ରହିଥିବା ବେଳେ ଟ୍ରାଭିସ ହେଡ ୬୯ ଓ ଡାଭିଡ ୱାର୍ଣ୍ଣର ଗୁରୁତ୍ୱପୂର୍ଣ୍ଣ ୮୬ ରନର ଇନିଂସ ଖେଳିଛନ୍ତି। ଏହି ମିଳିତ ଯୋଗଦାନ ଯୋଗୁ ଅଷ୍ଟ୍ରେଲିଆ ୬ ୱିକେଟରେ ୧୯ ବଲ ପୂର୍ବରୁ ଇଂଲଣ୍ଡକୁ ମାତ ଦେବାକୁ ସକ୍ଷମ ହୋଇଛି। ଏଥିସହ ୩ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ଆଡିଲେଡ ଓଭାଲରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଡାୱିଡ ମଲାନଙ୍କ ଲଢ଼ୁଆ ୧୩୪ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୮୭ ରନ କରିଥିଲା। ମଲାନଙ୍କ ବ୍ୟତୀତ ଡାଭିଡ ୱିଲ୍ଲୀ ଅପରାଜିତ ୩୪ ଓ ଜୋଶ ବଟଲର ୨୯ ରନ କରିବାକୁ ସକ୍ଷମ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଦଳର ନୂଆ ଅଧିନାୟକ ପ୍ୟାଟ କମିନ୍ସ ଓ ଆଡାମ ଜାମ୍ପା ୩ଟି ଲେଖାଏ ୱେକଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଇଂଲଣ୍ଡ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଲାନଙ୍କ ଲଢ଼ୁଆ ଶତକ ଯୋଗୁ ୨୮୭ ରନର ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଥିଲା।

୨୮୮ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ ଇଂଲିଶ ବୋଲିଂ ଆଟାକକୁ କାଉଣ୍ଟର କରିଥିଲା। ଦୁଇ ଓପନର ୱାର୍ଣ୍ଣର ଓ ହେଡ୍‌ ଦମଦାର ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ପ୍ରଥମ ୱିକେଟ ପାଇଁ ୧୯.୪ ଓଭର ସୁଦ୍ଧା ୧୪୭ ରନ ଯୋଡ଼ି ଥିଲେ। ଏହି ସମୟରେ ୬୯ ରନ କରିଥିବା ହେଡଙ୍କୁ କ୍ରିସ ଜୋର୍ଡାନ ଆଉଟ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ।

ଆଉ ୫୩ ରନ ପରେ ୱାର୍ଣ୍ଣର(୮୬) ୱିଲ୍ଲୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମାର୍ନସ ଲାବୁଶେନ(୪) ଓ ଆଲେକ୍ସ କେରୀ(୨୧) ବେଶୀ କିଛି କରିବାକୁ ସକ୍ଷମ ହୋଇ ନଥିଲେ। ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୩ଟି ୱିକେଟ ହରାଇଥିଲେ ମଧ୍ୟ ଷ୍ଟିଭ ସ୍ମିଥ ନିଜର ଜଲୱା ଦେଖା ଚାଲିଥିଲେ।

ପ୍ରଥମେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ କ୍ୟାମରନ ଗ୍ରୀନ(ଅପରାଜିତ ୨୦)ଙ୍କୁ ସାଥୀ କରି ମ୍ୟାଚ୍‌ ଶେଷ କରିଥିଲେ। ଅଷ୍ଟ୍ରେଲିଆକୁ ଶେଷ ୨୪ ବଲରେ ୭ ରନ ଦରକାର ଥିବା ବେଳେ ସ୍ମିଥ ପ୍ରଥମେ ମଲାନଙ୍କୁ ଗୋଟିଏ ଚୌକା ଓ ପର ବଲରେ ୬କା ମାରି ମ୍ୟାଚ୍‌କୁ ଶେଷ କରି ଦେଇଥିଲେ।

ସ୍ମିଥ ୭୮ ବଲରେ ଅପରାଜିତ ୮୦ ରନର ଇନିଂସ ଖେଳିଛନ୍ତି। ଏଥିରେ ୯ଟି ଚୌକା ଓ ଗୋଟିଏ ଛକା ରହିଛି। ଇଂଲଣ୍ଡ ହାରିଥିଲେ ମଧ୍ୟ ଲଢ଼ୁଆ ଶତକ ହାସଲ କରିଥିବା ମଲାନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Related story