ଦୁବାଇ: ଏସିଆ କପର ସୁପର ୪କୁ କିଏ ଯିବ? ଶ୍ରୀଲଙ୍କା ନା ବାଂଲାଦେଶ? ଆଜିର ମ୍ୟାଚ୍ ପରେ ଏକଥା ସ୍ପଷ୍ଟ ହୋଇଯିବ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି କର ବା ମର ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୩ ରନ କରିଛି। ଏହାର ଅର୍ଥ ଶ୍ରୀଲଙ୍କାକୁ ସୁପର ୪କୁ ଯିବା ପାଇଁ ୧୮୪ ରନର ଟାର୍ଗେଟ ମିଳିଛି। ଉଭୟ ଦଳ ନିଜର ନିଜର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଠାରୁ ହାରିଥିଲେ। ତେଣୁ ଉଭୟ ଆଜିର ମ୍ୟାଚ୍ ଜିତି ଏସିଆ କପର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।
ଦୁବାଇରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନେୟକ ଦସୁନ ଶଣକା ଟସ୍ ଜିତି ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଦଳୀୟ ସ୍କୋର ୧୯ ଥିବା ବେଳେ ବ୍ୟକ୍ତିଗତ ୫ ରନ କରି ସବ୍ବିର ରହମାନ ଆଉଟ ହୋଇ ଯାଇଥିଲେ। ତାଙ୍କ ୱିକେଟ ଅସିତ ଫର୍ଣ୍ଣାଡୋ ନେଇଥିଲେ। ତେବେ ଦ୍ୱିତୀୟ ୱିକେଟ ପାଇଁ ଅଧିନାୟକ ସାକିବ ଅଲ ହାସନ ଓ ଅନ୍ୟତମ ଓପନର ମେହିଦୀ ହାସନ ମିର୍ଜା ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦ୍ରୁତଗତିରେ ୩୭ ରନର ଭାଗିଦାରୀ କରି ଦଳୀୟ ସ୍କୋରକୁ ୫୮ ରନରେ ପହଞ୍ଚାଇ ଦେଇଥିଲେ।
କିନ୍ତୁ ବଡ଼ଶଟ ଖେଳିବା ଲୋଭରେ ମିର୍ଜା(୩୮) ୱାନିନ୍ଦୁ ହସରଙ୍ଗାଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ। ଏହାପରେ ଅଭିଜ୍ଞ ମୁସଫିକର ରହିମ(୪) ସମସ୍ତଙ୍କୁ ନିରାଶ କରିଥିଲେ। ତାଙ୍କୁ ଚାମିକା କରୁଣାରତ୍ନେ ଆଉଟ କରିଥିଲେ। ସାକିବ କିଛି ସମୟ ଲଢ଼ିଥିଲେ ମଧ୍ୟ କେବଳ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ କ୍ଲନବୋଲ୍ଡ କରି ମହୀଶ ତିକଶାନା ବାଂଲାଦେଶକୁ ୪ର୍ଥ ଝଟକା ଦେଇଥିଲେ।
୮୭ ରନରେ ୪ ୱିକେଟ ହରାଇଥିବା ବାଂଲାଦେଶ ପାଇଁ ଯୁବ ବ୍ୟାଟର ଅଫିସ ହୁସେନ ଓ ଅଭିଜ୍ଞ ମହମ୍ମଦୁଲ୍ଲା ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟରେ ଦଳୀୟ ସ୍କୋରୁ ୮୭ରୁ ନେଇ ୧୪୪ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ହସରଙ୍ଗା ୨୭ ରନ କରିଥିବା ମହମ୍ମଦୁଲ୍ଲା ଓ ଦିଲସାନ ମଦୁଶଣକା ୨୨ ବଲରେ ୩୯ ରନ କରିଥିବା ଅଫିଫଙ୍କୁ ଆଉଟ କରିଦେଇଥିଲେ।
ଅଫିଫ ତାଙ୍କ ଇନିଂସରେ ୪ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଶେଷ ଭାଗରେ ମୋସାଡେକ ହୁସେନ କିଛି ବଡ଼ ଶଟ ଖେଳିବାରୁ ବାଂଲାଦେଶ ଗୋଟିଏ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି। ୧୯ ଓଭର ଶେଷ ସୁଦ୍ଧା ବାଂଲାଦେଶ ୭ ୱିକେଟ ହରାଇ ୧୬୬ ରନ କରିଥିଲା। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଫର୍ଣ୍ଣାଡୋ।
ସେ ପ୍ରଥମ ବଲରେ ତସ୍କିନ ଅହମଦଙ୍କୁ ଚକାମା ଦେବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଦ୍ୱିତୀୟ ବଲରେ ତସ୍କିନ ଗୋଟିଏ ବିଶାଳ ଛକା ମାରିଥିଲେ। ତୃତୀୟ ବଲରେ ୧ ରନ ନେଇ ସେ ଇନଫର୍ମ ମୋସାଡେକଙ୍କୁ ଷ୍ଟ୍ରାଇକ ଦେଇଥିଲେ।
ସେ ମଧ୍ୟ କାହାକୁ ନିରାଶ କରି ନଥିଲେ। ୪ର୍ଥ ଓ ୫ମ ବଲରେ କ୍ରମାଗତ ୨ଟି ଚୌକା ମାରିଥିଲେ। ସେହିପରି ଶେଷ ବଲରେ ୨ ରନ ନେଇଥିଲେ। ଫଳରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୩ ରନ କରିବାକୁ ସକ୍ଷମ ହୋଇଛି। ମୋସାଡେକ ଶେଷ ଯାଏ ୯ ବଲରେ ୨୪ ଓ ତସ୍କିନ ୬ ବଲରେ ୧୧ ରନ କରି କ୍ରିଜରେ ରହିଥିଲେ।
ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ଓ କରୁଣାରତ୍ନେ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ମଦୁଶଣକା, ତିକଶାନା ଓ ଫର୍ଣ୍ଣାଡୋ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।