କଟକ(ଓଡ଼ିଶା ରିପୋର୍ଟର): ଦୃଷ୍ଟିହୀନ ଟି-୨୦ କ୍ରିକେଟ ବିଶ୍ୱକପର ଆଜିର ତୃତୀୟ ମୁକାବିଲାରେ ଜିତିଲା ଭାରତ। ବାଂଲାଦେଶକୁ ୭ ୱିକେଟରେ ହରାଇଛି ଭାରତୀୟ ଟିମ। ଭାରତୀୟ ଦଳର ଦୁର୍ଗା ରାଓଙ୍କ ଧୂଆଁଧାର ୭୩ ରନ ବଳରେ ଏହି ଚିତାକର୍ଷକ ମ୍ୟାଚକୁ ଜିତି ନେଇଛି ଭାରତ।
କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭ୍ରମଣକାରୀ ଦଳ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ବାଂଲାଦେଶ କରିଥିଲା ୧୬୬ ରନ। ଦଳ ପକ୍ଷରୁ ଅଧିନାୟକ ଆସିକୁର ରେହେମାନ ସର୍ବାଧିକ ୭୫ ରନ କରିଥିଲା ବେଳେ ମହମ୍ମଦ ଆରିଫ ୩୩ ଓ ତାଂଯିଲ ୨୦ ରନ କରିଥିଲେ। ଭାରତ ପକ୍ଷରୁ ନକୁଳ ବଡନାୟକ ୨ ଓଭରରେ ୭ ରନ ଦେଇ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ।
ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ଓପନର ଓଡ଼ିଆ ଷ୍ଟାର ନକୁଳ ବଡ଼ନାୟକ ୩୬ ରନ କରି ଆଉଟ ହୋଇଥିଲେ। ଏହାପରେ ଟି ଦୁର୍ଗା ରାଓ ୪୩ ବଲରେ ୭୩ ରନର ବିସ୍ଫୋରକ ଇନିଂସ୍ ଖେଳି ଭାରତକୁ ବିଜୟ କରାଇଥିଲେ। ୧୩.୧ ଓଭରରେ ୩ ୱିକେଟ ହରାଇ ଭାରତ ବିଜୟ ଲକ୍ଷ୍ୟ ୧୬୭ ରନ୍ ହାସଲ କରି ନେଇଥିଲା।