ଭାରତ ବିପକ୍ଷ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ: ନାହାନ୍ତି ଗପ୍ଟିଲ ଓ ବୋଲ୍ଟ

ୱେଲିଙ୍ଗଟନ: ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବ ସୀମିତ ଓଭର ସିରିଜ୍‌। ପ୍ରଥମେ ଦୁଇ ଦଳ ମଧ୍ୟରେ ୩ଟି ଟି-୨୦ ଓ ପରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଆଜି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ ଖେଳାଳିଙ୍କ ନାଁ ଘୋଷଣା କରିଛି। ଭାରତୀୟ ବିପକ୍ଷ ଉଭୟ ଟି-୨୦ ଓ ଦିନିକିଆ ସ୍କ୍ୱାଡରେ ନ୍ୟୁଜିଲ୍ୟାଣ୍ଡର ଦୁଇ ବରିଷ୍ଠ ଖେଳାଳି ମାର୍ଟିନ ଗପ୍ଟିଲ ଓ ଟ୍ରେଣ୍ଟ ବୋଲ୍ଟଙ୍କ ନାଁ ନାହିଁ। ଟି-୨୦ ବିଶ୍ୱକପ […]

NZ

  • Published: Tuesday, 15 November 2022
  • , Updated: 15 November 2022, 09:52 PM IST

ୱେଲିଙ୍ଗଟନ: ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବ ସୀମିତ ଓଭର ସିରିଜ୍‌। ପ୍ରଥମେ ଦୁଇ ଦଳ ମଧ୍ୟରେ ୩ଟି ଟି-୨୦ ଓ ପରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଆଜି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ ଖେଳାଳିଙ୍କ ନାଁ ଘୋଷଣା କରିଛି। ଭାରତୀୟ ବିପକ୍ଷ ଉଭୟ ଟି-୨୦ ଓ ଦିନିକିଆ ସ୍କ୍ୱାଡରେ ନ୍ୟୁଜିଲ୍ୟାଣ୍ଡର ଦୁଇ ବରିଷ୍ଠ ଖେଳାଳି ମାର୍ଟିନ ଗପ୍ଟିଲ ଓ ଟ୍ରେଣ୍ଟ ବୋଲ୍ଟଙ୍କ ନାଁ ନାହିଁ।

ଟି-୨୦ ବିଶ୍ୱକପ ସ୍କ୍ୱାଡରେ ଉଭୟ ଖେଳାଳି ଥିଲେ। ତେବେ ଗପ୍ଟିଲଙ୍କୁ ବିଶ୍ୱକପରେ ଖେଳିବାର ସୁଯୋଗ ମିଳି ନଥିଲା। ତାଙ୍କ ବଦଳରେ ଟିମ ମ୍ୟାନେଜମେଣ୍ଟ ଯୁବ ତାରକା ଫିନ ଆଲେନଙ୍କ ଉପରେ ଅଧିକ ଭରସା କରିଥିଲେ। ସେହିପରି ନିକଟରେ ବୋଲ୍ଟ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର କେନ୍ଦ୍ରୀୟ କଣ୍ଟ୍ରାକ୍ଟରୁ ବାହାରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

ଏହି କାରଣ ପାଇଁ ତାଙ୍କୁ ଭାରତ ବିପକ୍ଷ ସିରିଜରୁ ବାଦ ଦିଆଯାଇଛି। ବୋଲ୍ଟଙ୍କ ଅନୁପସ୍ଥିତିରେ ଟିମ ସାଉଦି, ମ୍ୟାଟ ହେନରୀ, ଲକି ଫର୍ଗୁସନ, ବ୍ଲଏୟାର ଟିକନେର ଓ ଆଡାମ ମିଲନେଙ୍କ ଉପରେ ଦ୍ରୁତ ବୋଲିଂର ଦାୟିତ୍ୱ ରହିବ। ଆଡାମଙ୍କୁ ୨୦୧୭ ପରେ ଦିନିକିଆ ସିରିଜ୍‌ ଖେଳିବାକୁ ଡାକରା ମିଳିଛି।

ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟେଡ କହିଛନ୍ତି, ଗପ୍ଟିଲ ଓ ବୋଲ୍ଟଙ୍କ ଭଳି ଖେଳାଳିଙ୍କୁ ବାଦ ଦେବା ସହଜ ନଥିଲା। କିନ୍ତୁ ଆମକୁ ଆଗାମୀ ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତା କରିବା ଦରକାର। ବୋଲ୍ଟ ଯେତେବେଳେ ଅଗଷ୍ଟ ମାସରେ କେନ୍ଦ୍ରୀୟ କଣ୍ଟ୍ରାକ୍ଟକୁ ମନା କରିଥିଲେ ସେବେଠାରୁ ଆମେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ସପକ୍ଷରେ ଚିନ୍ତା କରିଥିଲୁ। ବର୍ତ୍ତମାନ ସେହି ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ଏହି ସିରିଜରୁ ନିଜର ପ୍ରସ୍ତୁତ ଆରମ୍ଭ କରିବେ। ଆସନ୍ତା ଦିନିକିଆ ବିଶ୍ୱକପ ଭାରତରେ ହେବ। ତେଣୁ ଏବେ ଠାରୁ ଆଲେନଙ୍କୁ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ପାଇଁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।

ଭାରତ ବିପକ୍ଷ ଉଭୟ ଦିନିକିଆ ଓ ଟି-୨୦ରେ କେନ ୱିଲିୟମସନ ନ୍ୟୁଜିଲ୍ୟାଣ୍ଡର ନେତୃତ୍ୱ ନେବେ। କିନ୍ତୁ ଭାରତ ଅନେକ ବରିଷ୍ଠ ଖେଳାଳିଙ୍କୁ ଏହି ସିରିଜ୍‌ରେ ବିଶ୍ରାମ ଦେଇଛି। ଟି-୨୦ରେ ଭାରତର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଥିବା ବେଳେ ଦିନିକିଆରେ ଶିଖର ଧୱନ କମାଣ ସମ୍ଭାଳିବେ।

ନ୍ୟୁଜିଲ୍ୟାଣ୍ଡର ଟି-୨୦ ସ୍କ୍ୱାଡ: କେନ ୱିଲିୟମସନ(ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, ଡେଭନ କନୱେ, ଲକି ଫର୍ଗୁସନ, ଡାରେଲ ମିଚେଲ, ଆଡାମ ମିଲନେ, ଜିମ୍ମି ନୀଶମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଟିମ ସାଉଦି, ଈଶ ଶୋଢ଼ି ଓ ବ୍ଲଏୟାର ଟିକନେର।

ନ୍ୟୁଜିଲ୍ୟାଣ୍ଡର ଦିନିକିଆ ସ୍କ୍ୱାଡ: କେନ ୱିଲିୟମସନ(ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, ଡେଭନ କନୱେ, ଲକି ଫର୍ଗୁସନ, ଡାରେଲ ମିଚେଲ, ଆଡାମ ମିଲନେ, ଜିମ୍ମି ନୀଶମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଟିମ ସାଉଦି, ଟମ ଲାଥମ(ୱିକେଟ କିପର) ଓ ମ୍ୟାଟ ହେନରୀ।

ତେବେ ସ୍କ୍ୱାଡ ଘୋଷଣା ପରେ ନୀଶମଙ୍କ ସ୍ଥାନରେ ଶେଷ ଦିନିକିଆରେ ହେନେରୀ ନିକୋଲ୍ସଙ୍କୁ ସୁଯୋଗ ମିଳିବ ବୋଲି ନ୍ୟୁଜିଲ୍ୟାଣ୍ଡ ବୋର୍ଡ ପକ୍ଷରୁ କୁହାଯାଇଛି।

Related story