ଗୌହାଟୀ : ବର୍ଷ ୨୦୨୩ର ପ୍ରଥମ ଦିନିକିଆରେ କମାଲ କରିଛନ୍ତି ଭାରତୀୟ ବ୍ୟାଟର। ବିଶେଷ କରି ବିରାଟ କୋହଲିଙ୍କ ବ୍ୟାଟରୁ ହୋଇଛି ରନ ବର୍ଷା। ବିରାଟଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିଆରେ ଭାରତ ୭ ୱିକେଟ ହରାଇ ୩୭୩ ରନ କରିଛି। ଫଳରେ ଏହି ମ୍ୟାଚ୍କୁ ଜିତିବା ପାଇଁ ଶ୍ରୀଲଙ୍କାକୁ ୩୭୪ ରନର ଟାର୍ଗେଟ ମିଳିଛି।
ଆଜି ବିରାଟ କୋହଲି ୧୧୩ ରନର ଇନିଂସ ଖେଳିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୪୫ ତମ ଶତକ। ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ ୭୩ତମ ଶତକ ହାସଲ କରିଛନ୍ତି। ଏହାବାଦ ଶ୍ରୀଲଙ୍କା ବିପକ୍ଷରେ ବିରାଟଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୯ମ ଶତକ। ବିରାଟ ବର୍ତ୍ତମାନ ସଚିନ ତେନ୍ଦୁଲକରଙ୍କ ଦିନିକିଆ ରେକର୍ଡ ଠାରୁ ଆଉ ୪ଟି ଶତକ ଦୂରରେ ରହିଛନ୍ତି।
ଆଜିର ମ୍ୟାଚ୍ରେ ବିରାଟଙ୍କ ବ୍ୟତୀତ ରୋହିତ ଶର୍ମା ୮୩ ଓ ଶୁବମନ ଗିଲ ୭୦ ରନର ଇନିଂସ ଖେଳିଛନ୍ତି। ଗୌହାଟୀରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶଣକା ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ରୋହିତ ଶର୍ମା ଓ ଗିଲ୍ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ପ୍ରଥମ ୱିକେଟ ପାଇଁ ୧୯.୪ ଓଭର ସୁଦ୍ଧା ୧୪୩ ରନ ଯୋଡ଼ିଥିଲା। ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ତେବେ ଏତିକି ବେଳେ ୭୦ ରନ କରିଥିବା ଗିଲ୍ଙ୍କୁ ଶଣକା ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଆଉ ୩୦ ରନ ପରେ ରୋହିତ ଶର୍ମା ମଧ୍ୟ ୮୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ୬୭ ବଲରେ ୮୩ ରନର ଇନିଂସ ଖେଳିଥିବା ରୋହିତ ୩ଟି ଛକା ଓ ୯ଟି ଚୌକା ମାରିଛନ୍ତି। ଭାରତ ୩୦ ରନ ଭିତରେ ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ରନ ସଂଗ୍ରହ ହାରରେ ବ୍ରେକ ଲାଗି ନଥିଲା।
ବିରାଟ କୋହଲି ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇ ଦଳକୁ ସମ୍ଭାଳିଥିଲେ। ତାଙ୍କୁ ଶ୍ରେୟସ ଆୟର(୨୮) ଓ କେଏଲ ରାହୁଲ(୩୯) କିଛି ସମୟ ସାଥ ଦେଇଥିଲେ। ଏସବୁ ଭିତରେ ବିରାଟ ୪୭ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରି ବଡ଼ବଡ଼ ଶଟ ଖେଳିଥିଲେ। ଏଥିସହ ୮୦ ବଲରେ ନିଜର ୪୫ତମ ଦିନିକିଆ ଶତକ ହାସଲ କରିଥିଲେ।
ଶତକ ହାସଲ କରିବା ପରେ ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଲୋଭରେ ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ କାସୁନ ରଜିଥା ନେଇଛନ୍ତି। ଆଉଟ ହେବା ପୂର୍ବରୁ ବିରାଟ ୮୭ ବଲର ସମ୍ମୁଖୀନ ହୋଇ ୧୧୩ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ବିରାଟ ଆଉଟ ହେବା ପୂର୍ବରୁ ଟି-୨୦ ସିରିଜର ହିରୋ ଅକ୍ଷର ପଟେଲ ୯ ରନ କରି ଚାମିକା କରୁଣାରତ୍ନେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।
ଶେଷ ଭାଗରେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ନଥିଲା। ୪୯ ଓଭର ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୩୬୭ ରନ କରିଥିଲା। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ କରୁଣାରତ୍ନେ। ସେ ମାତ୍ର ୬ ରନ ଦେବାରୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ ରନ କରିଛି।